ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗ
କେନ୍ଦ୍ରାପଡ଼ା : ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କର ପରଲୋକ । ଆଜି ସକାଳ ୬.୪୦ ମିନିଟରେ ସେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା I ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାରେ ଚିକିତ୍ସାଧୀନ ଥିଲେ I ଏପିଏସମ୍ପର୍କରେ ସୂଚନା ଦେଇଛନ୍ତି ତାଙ୍କର ବଡ଼ ପୁଅ ଶ୍ରୀ ପଞ୍ଚାନନ ଦାସ । ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କୁ ଗାର୍ଡ […]
କେନ୍ଦ୍ରାପଡ଼ା : ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କର ପରଲୋକ । ଆଜି ସକାଳ ୬.୪୦ ମିନିଟରେ ସେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା I ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାରେ ଚିକିତ୍ସାଧୀନ ଥିଲେ I ଏପିଏସମ୍ପର୍କରେ ସୂଚନା ଦେଇଛନ୍ତି ତାଙ୍କର ବଡ଼ ପୁଅ ଶ୍ରୀ ପଞ୍ଚାନନ ଦାସ । ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବରେ ସେ ସାମାଜିକ ବିକାଶରେ ମଧ୍ୟ ମହତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି। ତାଙ୍କର ତ୍ୟାଗପୂତ ସରଳ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।
ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟମର୍ଯ୍ୟଦା ସହ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ଏକ ଶୋକ ବାର୍ତାରେ କହିଛନ୍ତି ଯେ, କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଓ ଗୌରବ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ବ୍ରିଟିଶ୍ ରାଜ୍ ବିରୁଦ୍ଧରେ ସଂଗ୍ରାମକରି କାରାବରଣ କରିଥିଲେ। ସେ ଜଣେ ସତ୍ୟନିଷ୍ଠ ପରୋପକାରୀ ବନ୍ଧୁବଚ୍ଛଳ ବ୍ୟକ୍ତି ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।




