ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଲଘୁଚାପ ପାଇଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି I ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ୧୮ତାରିଖରେ ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଏହି ଘୋଷଣା କରାଯାଇଛି । ତେବେ ଘର ଭାଙ୍ଗିଥିଲେ କିମ୍ୱା ଚାଷବାସ କ୍ଷତିଗ୍ରସ୍ତ ହୋଇଥିଲେ ବିପନ୍ନଙ୍କୁ ସହାୟତା ରାଶି ମିଳିବ। ସହାୟତା ରାଶି ଅନୁସାରେ, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଲଘୁଚାପ ପାଇଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି I ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ୧୮ତାରିଖରେ ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଏହି ଘୋଷଣା କରାଯାଇଛି । ତେବେ ଘର ଭାଙ୍ଗିଥିଲେ କିମ୍ୱା ଚାଷବାସ କ୍ଷତିଗ୍ରସ୍ତ ହୋଇଥିଲେ ବିପନ୍ନଙ୍କୁ ସହାୟତା ରାଶି ମିଳିବ।

ସହାୟତା ରାଶି ଅନୁସାରେ, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା,ପକ୍କା ଘର
ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦,
କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା,
ଭାଙ୍ଗି ଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର, ଗୁହାଳ ପାଇଁ ୩ ହଜାର ପ୍ରଦାନ କରାଯିବ।

ପରିବାରଙ୍କର ବାସଗୃହ ୨ ଦିନ ପର୍ଯ୍ୟନ୍ତ ବନ୍ୟା ପାଣିରେ ବୁଡି ଲୁଗାପଟା ନଷ୍ଟ ପାଇଁ ମିଳିବ ୨୫୦୦ ଟଙ୍କା ଏବଂ ବାସନ କୁସନ ପାଇଁ ମିଳିବ ୨୫୦୦ ଟଙ୍କା I

ସେହିପରି କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାବାଦ ସମସ୍ତ ପ୍ରକାର ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ,ସର୍ବାଧିକ ୨ହେକ୍ଟର ଜମି ପାଇଁ ଦିଆଯିବ,ଚାଷଜମିରେ ୩ ଇଞ୍ଚରୁ ଅଧିକ ବାଲିଚର ହୋଇଥାଏ ତେବେ ହେକ୍ଟର ପିଛା ୧୮ହଜାର ଟଙ୍କା ପ୍ରଦାନ କରାଯିବ।

ମାଛ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮ହଜାର ଓ ସର୍ବନିମ୍ନ ୨୨୦୦ଟଙ୍କା, ଅନେକାଂଶ ଭୂସ୍ଖଳନ ଯୋଗୁ ନଦୀର ଗତିପଥ ପରିବର୍ତ୍ତନ ହୋଇ ଚାଷଜମି କ୍ଷୟ ହୋଇଥିଲେ ହେକ୍ଟର ପିଛା ୪୭ହଜାର ଟଙ୍କା ଓ ସର୍ବନିମ୍ନ ୫ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ ।

ମୃତ ଗୃହପାଳିତ ପଶୁଜନ୍ତୁ ଯଥା ମଇଁଷି, ଗାଈ ପିଛା ୩୭୫୦୦ଟଙ୍କା, ଛେଳି ଓ ମେଣ୍ଢା ପିଛା ୪ହଜାର, ବଳଦ ପିଛା ୩୨ହଜାର, ବାଛୁରୀ ପିଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ସେହିପରି ମତ୍ସ୍ୟଜୀବୀଙ୍କୁ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬ହଜାର, ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫ହଜାର,ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩ହଜାର,ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪ହଜାର ଓ ମତ୍ସ୍ୟ ଯାଆଁଳ ଚାଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ପାଇଁ ୫ହଜାର ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ କାରିଗର ପିଛା ୫ହଜାର ଟଙ୍କା ପ୍ରଦାନ କରାଯିବ ।

ସର୍ବସାଧାରଣ ସମ୍ପତ୍ତି ଯଥା-ରାସ୍ତାଘାଟ, ପୋଲ, ବିଦ୍ୟାଳୟ, ପ୍ରାଥମିକ/ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୧୧ କେଭି ଏଲଟି ଲାଇନ୍‌, ପାନୀୟଜଳ ଯୋଗାଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, ପଞ୍ଚାୟତ ଘର ଓ ଅଙ୍ଗନବାଡି ଗୃହ ଆଦିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କଠାରୁ ସବିଶେଷ କ୍ଷୟକ୍ଷତିର ତଥ୍ୟ ହସ୍ତଗତ ହେଲାପରେ ଆର୍ଥିକ ସହାୟତା ଉକ୍ତ ବିଭାଗମାନଙ୍କୁ ପ୍ରଦାନ କରାଯିବ।

Tags: