ବିଶିଷ୍ଟ ତବଲା ବାଦକ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର : ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକ I ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କ ବିୟୋଗ ରେ ଓଡ଼ିଶାର କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ଡାକ୍ତରଖାନାରୁ ତାଙ୍କ ମର ଶରୀରକୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନକୁ ଅଣାଯାଇଛି I ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,କଳାକାର ଓ ଛାତ୍ର ଛାତ୍ରୀ ମାନେ ତାଙ୍କର […]
ଭୁବନେଶ୍ୱର : ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକ I ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କ ବିୟୋଗ ରେ ଓଡ଼ିଶାର କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ଡାକ୍ତରଖାନାରୁ ତାଙ୍କ ମର ଶରୀରକୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନକୁ ଅଣାଯାଇଛି I ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,କଳାକାର ଓ ଛାତ୍ର ଛାତ୍ରୀ ମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଜନ୍ମମାଟି ପୁରୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।
ପଣ୍ଡିତ ଉମେଶ ଚନ୍ଦ୍ରଙ୍କ ଜନ୍ମ ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରତିଷ୍ଠିତ କଳାକାର ପରିବାରରେ ହୋଇଥିଲା। ତାଙ୍କର ପିତା ବାଦ୍ୟବିନୋଦ କ୍ଷେତ୍ରମୋହନ କର ଥିଲେ ଜଣେ ଖ୍ୟାତିସଂପନ୍ନ ମର୍ଦ୍ଦଳ ଓ ତବଲା ବାଦକ। ମା’ ପଦ୍ମାବତୀ କର ଥିଲେ ସିତାର ବାଦିକା। ସଂପର୍କୀୟ ବଡ଼ଭାଇ ପ୍ରଫୁଲ୍ଲ କର ଥିଲେ ଓଡ଼ିଶାର ଲୋକପ୍ରିୟ ଗାୟକ, ଗୀତିକାର ଓ ସଂଗୀତ ନିଦ୍ଦେର୍ଶକ। ପ୍ରଥମେ ସେ ନିଜର ପିତାଙ୍କଠାରୁ ଓ ପରେ କୋଲକାତା ଯାଇ ବିଶ୍ବପ୍ରସିଦ୍ଧ ତବଲାବାଦକ ପଣ୍ଡିତ ଜ୍ଞାନପ୍ରକାଶ ଘୋଷଙ୍କଠାରୁ ଶିକ୍ଷାଲାଭ କରିଥିଲେ। ଏହାପରେ ସେ ଦେଶବିଦେଶରେ ବହୁ ଶାସ୍ତ୍ରୀୟ ସଂଗୀତ ମଞ୍ଚରେ ତବଲା ବାଦନ କରି ଲୋକପ୍ରିୟତା ଅର୍ଜନ କରିଥିଲେ। ଏହାପରେ ସେ ଭୁବନେଶ୍ବରସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପଣ୍ଡିତ କର ଓଡ଼ିଶାର ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ। ବର୍ତ୍ତମାନ ତାଙ୍କର ବହୁଛାତ୍ର ତବଲା ବାଦନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ପଣ୍ଡିତ ଉମେଶ ଚନ୍ଦ୍ର ଭାରତୀୟ ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛନ୍ତି I
ଉମେଶ ଚନ୍ଦ୍ର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ। ସେ ଓଡ଼ିଶା ସଂଗୀତ ନାଟକ ଏକାଡେମି, କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ।
ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ମହାନ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି I ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।




