ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଦେବାଳୟ ଠାରୁ ଜଳାଶୟ । ମନ୍ଦିର ଦର୍ଶନ ସାରି ଜଳାଶୟରେ ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବଡ଼ି ଭୋରରୁ ଧୂପ ଦୀପ ବାସ୍ନା ସାଙ୍ଗକୁ ଘଣ୍ଟ ବାଦ୍ୟ ଧ୍ୱନିରେ ପୁରାପଲ୍ଲୀଠାରୁ ସହର ଯାଏଁ ପ୍ରକମ୍ପିତ ହେଉଛି। ପିଲା ଠାରୁ ବଡ଼ ଯାଏଁ ସମସ୍ତେ ଡଙ୍ଗା ବା ସଲପ ଭସାଇବାକୁ ନିକଟସ୍ଥ ଜଳାଶୟ ଗୁଡିକରେ ଭିଡ଼ ଜମାଇଛନ୍ତି । ଆ-କା-ମା-ବୈ ପାନ ଗୁଆଥୋଇ […]
ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଦେବାଳୟ ଠାରୁ ଜଳାଶୟ । ମନ୍ଦିର ଦର୍ଶନ ସାରି ଜଳାଶୟରେ ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବଡ଼ି ଭୋରରୁ ଧୂପ ଦୀପ ବାସ୍ନା ସାଙ୍ଗକୁ ଘଣ୍ଟ ବାଦ୍ୟ ଧ୍ୱନିରେ ପୁରାପଲ୍ଲୀଠାରୁ ସହର ଯାଏଁ ପ୍ରକମ୍ପିତ ହେଉଛି। ପିଲା ଠାରୁ ବଡ଼ ଯାଏଁ ସମସ୍ତେ ଡଙ୍ଗା ବା ସଲପ ଭସାଇବାକୁ ନିକଟସ୍ଥ ଜଳାଶୟ ଗୁଡିକରେ ଭିଡ଼ ଜମାଇଛନ୍ତି । ଆ-କା-ମା-ବୈ ପାନ ଗୁଆଥୋଇ ପାନ ଗୁଆ ତୋର…. ମାସକ ଧରମ ମୋର ଧ୍ୱନିରେ ଗୁଂଜରିତ ହୋଇ ଉଠୁଛି ପାଣି ତୁଠ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆଜି ବନ୍ଦର ଦିବସ ପାଳନ ହେଉଛି । ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପତାକା ଦେଖାଇ ସାଧବ ପୁଅଙ୍କୁ ମେଲାଣି ଦେଇଛନ୍ତି । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।
ଗତକାଲି ପାରାଦୀପରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟ ସରକାର ପାରାଦୀପ ବନ୍ଦର ପାଇଁ ଲକ୍ଷେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଗତବର୍ଷ ମଧ୍ୟ ପାରାଦୀପରେ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି କୁହାଯାଇଥିଲା। ଏତଦ୍ବ୍ୟତୀତ ପାରାଦୀପରେ ଏକ ଏୟାରପୋର୍ଟ କରିବା ପାଇଁ ସରକାର ଏବେ ଯାଞ୍ଚ କରୁଛନ୍ତି। ଖୁବଶୀଘ୍ର ଏହି ଏୟାରପୋର୍ଟ ପାଇଁ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ରେ ଘୋଷଣା କରିଥିଲେ ଯେ, ପାରାଦୀପ ହେବ ପୂର୍ବ ଭାରତର ବିକାଶ ପଥ। ଏବେ ତାହା ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଶିଳ୍ପ କରିଡର ପାଇଁ ଆବଶ୍ୟକ ଭିତ୍ତିଭୂମି ରାସ୍ତା, ରେଳପଥ, ବନ୍ଦର, ଏୟାରପୋର୍ଟ ଆଦି କାମ ଚାଲିଛି। ଓଡ଼ିଶାର ପ୍ରଥମ ୮ ଲେନ ରାସ୍ତା ପାରାଦୀପଠାରୁ ବଡ଼ବିଲ ପର୍ଯ୍ୟନ୍ତ କାମ ଚାଲିଛି। ଏଥିସହ ୪ଟି ନୂଆ ପ୍ରକଳ୍ପ ପାଇଁ ସଦ୍ୟ ବୁଝାମଣାପତ୍ର (ଏମ୍ଓୟୁ)ସରିଛି। ସେଗୁଡିକ ହେଲା ଗଞ୍ଜାମ ଜିଲାର ବାହୁଦା ବନ୍ଦର, କେନ୍ଦ୍ରାପଡା ଜିଲା ମହାନଦୀ ମୁହାଣ ପାଖରେ ଜାହାଜ ନିର୍ମାଣ କାରଖାନା, ପୁରୀରେ କ୍ରୁଜ ଟର୍ମିନାଲ ଓ ସବୁଜ ହାଇଡ୍ରୋଜେନ ପ୍ରକଳ୍ପ। ଭୁବନେଶ୍ୱରରେ ଚିପ୍ (କମ୍ପ୍ୟୁଟରରେ ବ୍ୟବହୃତ ସାମଗ୍ରୀ)ନିର୍ମାଣ ପାଇଁ ମଧ୍ୟ ଏମ୍ଓୟୁ ହୋଇ ସାରିଛି। ଏହା କାର୍ଯ୍ୟକାରୀ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଚିପଠାରୁ ଶିପ୍ ନିର୍ମାଣ କାର୍ଯ୍ୟ ଏହି ଓଡ଼ିଶାରୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ୧୬ ମାସ ମଧ୍ୟରେ ୨୧ ପ୍ରତିଶ୍ରୁତିରୁ ୧୧ଟି କାର୍ଯ୍ୟକାରୀ କରିସାରିଲେଣି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଓଡ଼ିଶା ଲକ୍ଷ୍ୟ କରାଯାଇଛି।




