ସୁସ୍ଥ ହେଉଛନ୍ତି ମହାପ୍ରଭୁ,ଆଜି ଚକାବିଜେ ନୀତି

ପୁରୀ : ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ନୀତି । ଫୁଲୁରି ତେଲ ଲାଗି ପରେ ହେଉଛି ଓଷୁଅ ଲାଗି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅଣସର ଘରେ ମହାପ୍ରଭୁଙ୍କର ଚକାବିଜେ ନୀତି ଅନୁଷ୍ଠିତ ହେବ । ବଡ଼ ଠାକୁର ବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ମହାପ୍ରଭୁ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ। ପବିତ୍ର ସ୍ନାନପୂର୍ଣ୍ଣିମା […]

ସୁସ୍ଥ ହେଉଛନ୍ତି ମହାପ୍ରଭୁ,ଆଜି ଚକାବିଜେ ନୀତି
Samaya Live Picture
Published On

ପୁରୀ : ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ନୀତି । ଫୁଲୁରି ତେଲ ଲାଗି ପରେ ହେଉଛି ଓଷୁଅ ଲାଗି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅଣସର ଘରେ ମହାପ୍ରଭୁଙ୍କର ଚକାବିଜେ ନୀତି ଅନୁଷ୍ଠିତ ହେବ । ବଡ଼ ଠାକୁର ବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ମହାପ୍ରଭୁ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ।

ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନେ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ରହି ରାଜବୈଦ୍ୟଙ୍କ ଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି ଓ ପତି ମହାପାତ୍ର ଗୁପ୍ତ ସେବା କରୁଛନ୍ତି । ପରମ୍ପରା ଅନୁଯାୟୀ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହୋଇଥିଲା । ଷଷ୍ଠୀରୁ ନବମୀ ଯାଏ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା । ଦଶମୀ ତିଥିରେ ଅସୁସ୍ଥ ଥିବା ଶ୍ରୀବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରିଥିବାରୁ ଚକାବିକେ ନୀତି ଅନୁଷ୍ଠିତ ହେବ।

ଦଶମୀ ତିଥିରେ ଶୁକ୍ରବାର ବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ପଠାଯିବ। ଉକ୍ତ ଦଶମୂଳ ମୋଦକକୁ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ। ଜ୍ଵରରେ ପୀଡ଼ିତ ଦାରୁ ବିଗ୍ରହମାନେ ଏହି ଦଶମୂଳ ଲାଗି ହେଲେ ସମ୍ପୂର୍ଣ ସୁସ୍ଥ ହୁଅନ୍ତି ବୋଲି ବିଶ୍ଵାସ ରହିଛି । ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଏହି ମୋଦକ ଦଶ ପ୍ରକାରର ଚେର ମୂଳିରୁ ତିଆରି ହୋଇଥାଏ । ଏହାକୁ ଦଶମୂଳାରିଷ୍ଟ ମଧ୍ୟ କୁହାଯାଏ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ରାଜବୈଦ୍ୟ ମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇ ପ୍ରଭୁଙ୍କୁ ଲାଗି ହେବ ।

ସେପଟେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନି ରଥରେ ୧୩ ପରସ୍ତ ପୋଟଳ ସେଟିଂ ସରି ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ରୂପକାର ସେବକ ମାନେ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି ।

Tags: