ମୂଲ୍ୟବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର : ରାଜ୍ୟରେ ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛି ଦଳ । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ଡବଲ ଇଞ୍ଜିନ୍ ସରକାରର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା […]
ଭୁବନେଶ୍ୱର : ରାଜ୍ୟରେ ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛି ଦଳ । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ଡବଲ ଇଞ୍ଜିନ୍ ସରକାରର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି।
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଏ ଛ’ ମାସରେ ଓଡିଶା ଲକ୍ଷ୍ମୀଛଡା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା। ଦରଦାମ୍ ବୃଦ୍ଧି ଘଟିଛି।
ତେବେ ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପକାଇଛି ମହଙ୍ଗା ମାଡ଼। ନିର୍ବାଚନ ସମୟରେ ବିଜେପି ଯେଉଁ ଉଜ୍ଜ୍ବଳା ଯୋଜନା କଲେ, ସେଥିରେ ସିଲିଣ୍ଡର ରିଫିଲିଂ ଖର୍ଚ୍ଚ ଅଧିକ ଥିବାରୁ, ମହିଳା ପୁଣି ଥରେ ଚୁଲି ମୁଣ୍ଡକୁ ଠେଲି ହୋଇଗଲେ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର କମିଲେ ବି ତେଲ ଦର କମୁନାହିଁ । ୨୦୧୪ରୁ କ୍ରମାଗତ ଭାବେ ଦର ଏପରି ବଢି ଚାଲିଛି ଯେ ଲୋକେ ଗାଡ଼ି ଚଲାଇବାକୁ ଭୟ କଲେଣି । ସେହିପରି ବଜାର ଦର ନିୟନ୍ତ୍ରଣ କରି ନପାରି ସୁଭଦ୍ରା ଯୋଜନାରେ ଦିଆଯାଉଥିବା ଟଙ୍କାକୁ ଏକ ଭେଳିକି କରିଛି ଶାସକ ଦଳ । ଦରଦାମ ବଢିଚାଲିଛି କିନ୍ତୁ କିଛି ଆକ୍ସନ ନାହିଁ । ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସଂପର୍କ ଅଛି ବୋଲି ଜଣାପଡୁନି । ସାଧାରଣ ଲୋକଙ୍କ ପାଇଁ ବଂଚିବା କଷ୍ଟ ହୋଇଗଲାଣି ବୋଲି କହିଛି ବିଜେଡି ।
ଅନ୍ୟପଟେ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ରାଜ୍ୟ ବିଜପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଯେ ବିଜେଡି ସରକାର ସମୟରେ ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର ଥିଲା। ସ୍ଥିତି ଏବେ ଧିରେ ଧିରେ ସୁଧୁରୁଛି। ନିଜର ଅସ୍ଥିତ୍ୱ ବଜାୟ ରଖିବା ପାଇଁ ବିଜେଡି ଆନ୍ଦୋଳନ କରୁଛି ବୋଲି ସେ କହିଛନ୍ତି। ସେପଟେ ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଗୋଟେ ନାଟକ ବୋଲି କହି ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।




