ବେସର
ଦିବ୍ୟ ବ୍ୟଞ୍ଜନ
ସାମଗ୍ରୀ : କଖାରୁ - ୧ କପ,କଞ୍ଚା କଦଳୀ - ୧/୨ କପ, ମାଟି ଆଳୁ - ୧/୨ କପ, ପୋଟଳ - ୧/୨ କପ, ସାରୁ - ୧/୨ କପ, ଭିଜା କଳା ଚଣା - ୨ ଚାମଚ, ବିରି ବଡ଼ି - ୫ ରୁ ୬ ଟି, ମସଲା ବଟା ପାଇଁ : ସୋରିଷ - ୧ ଛୋଟ ଚାମଚ, ଜିରା - ୧ ଛୋଟ ଚାମଚ, ଗୋଲମରିଚ - ଅଧା ଛୋଟ ଚାମଚ, କୋରା ନଡ଼ିଆ - ୩ ଚାମଚ, ଛୁଙ୍କ ପାଇଁ : ଶୁଦ୍ଧ ଦେଶୀ ଘିଅ - ୨ ଚାମଚ, ହେଙ୍ଗୁ - ୧/୪ ଛୋଟ ଚାମଚ, ହଳଦୀ ଗୁଣ୍ଡ - ୧ ଛୋଟ ଚାମଚ, ଲୁଣ - ସ୍ୱାଦ ଅନୁସାରେ, ଗୁଡ଼ - ୧ ଛୋଟ ଚାମଚ, କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସୋରିଷ, ଜିରା, ଗୋଲମରିଚ ଏବଂ କୋରା ନଡ଼ିଆକୁ ଅଳ୍ପ ପାଣି ଦେଇ ଏକ ପେଷ୍ଟ ବା ବଟା ପ୍ରସ୍ତୁତ କରି ରଖନ୍ତୁ । ଏହାପରେ ଏକ ପାତ୍ର କିମ୍ବା ପାରମ୍ପରିକ ମାଟି ପାତ୍ରରେ ୧ ଚାମଚ ଘିଅ ଗରମ କରି ବିରି ବଡ଼ିଗୁଡ଼ିକୁ ଭାଜି ବାହାର କରି ରଖିଦିଅନ୍ତୁ। ବର୍ତ୍ତମାନ ସେହି ପାତ୍ରରେ ଅଧା କପ୍ ପାଣି, ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଗୁଣ୍ଡ ମିଶାନ୍ତୁ । ଏଥିରେ ପରିବାରେ ମାଟି ଆଳୁ, ସାରୁ ଏବଂ ଭିଜା କଳା ଚଣା ପକାଇ ଘୋଡ଼ଣୀ ଦେଇ ଅଧା ସିଝିବା ଯାଏଁ ରୋଷେଇ କରନ୍ତୁ । ଏହା ଅଧା ସିଝିଯିବା ପରେ ଏଥିରେ କଖାରୁ, କଞ୍ଚା କଦଳୀ ଓ ପୋଟଳ ଭଳି ଅନ୍ୟ ନରମ ପରିବାଗୁଡ଼ିକୁ ମିଶାଇ ସେଗୁଡ଼ିକ ସିଝିବା ପର୍ଯ୍ୟନ୍ତ ଧୀମା ଆଞ୍ଚରେ ରୋଷେଇ କରନ୍ତୁ । ପରିବା ସିଝିଗଲା ପରେ ଏଥିରେ ପୂର୍ବରୁ ପ୍ରସ୍ତୁତ ସୋରିଷ-ନଡ଼ିଆ ବଟା ମସଲା ଓ ଗୁଡ଼ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଫୁଟିବାକୁ ଦିଅନ୍ତୁ । ଅନ୍ୟ ଏକ ଛୋଟ ପାତ୍ରରେ ୧ ଚାମଚ ଘିଅ ଗରମ କରି ସେଥିରେ ହେଙ୍ଗୁ ପକାଇ ଫୁଟାନ୍ତୁ ଏବଂ ଏହି ଛୁଙ୍କକୁ ପ୍ରସ୍ତୁତ ତରକାରୀରେ ଢାଳି ତୁରନ୍ତ ଘୋଡ଼ାଇ ଦିଅନ୍ତୁ । ଶେଷରେ ଏଥିରେ ପୂର୍ବରୁ ଭାଜି ରଖିଥିବା ବଡ଼ିଗୁଡ଼ିକୁ ମିଶାଇ ଆଉ ଏକ ମିନିଟ୍ ଫୁଟାଇବା ପରେ ଚୁଲି ବନ୍ଦ କରିଦିଅନ୍ତୁ ଏବଂ କଟା ଧନିଆ ପତ୍ର ପକାଇ ସଜାଇ ପରଷନ୍ତୁ ।




