୩୦ ବେଳକୁ ପୁଣି ଏକ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର : ପୂଜା ମଉଜକୁ ଭଣ୍ଡୁର କରିବା ପାଇଁ ରାଜ୍ୟକୁ ଧାଡି ବାନ୍ଧିଛନ୍ତି ଲଘୁଚାପ । ଗୋଟିଏ ର ପ୍ରକୋପ ନଯାଉଣୁ ଆଉ ଗୋଟିଏ ଲଘୁଚାପ ସଜବାଜ ହେଲାଣି । ସତେ ଯେମିତି ପ୍ରତିବର୍ଷ ଦୁର୍ଗା ପୂଜା ବେଳକୁ ଏମାନେ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସେହିପରି ଏବେ ୨୬ ତାରିଖରେ ହୋଇଥିବା ଲଘୁଚାପ ବର୍ଷା ସାମାନ୍ୟ କମିଥିବା ବେଳେ ପୁଣି ଆସନ୍ତା ୩୦ ତାରିଖ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ […]
ଭୁବନେଶ୍ୱର : ପୂଜା ମଉଜକୁ ଭଣ୍ଡୁର କରିବା ପାଇଁ ରାଜ୍ୟକୁ ଧାଡି ବାନ୍ଧିଛନ୍ତି ଲଘୁଚାପ । ଗୋଟିଏ ର ପ୍ରକୋପ ନଯାଉଣୁ ଆଉ ଗୋଟିଏ ଲଘୁଚାପ ସଜବାଜ ହେଲାଣି । ସତେ ଯେମିତି ପ୍ରତିବର୍ଷ ଦୁର୍ଗା ପୂଜା ବେଳକୁ ଏମାନେ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସେହିପରି ଏବେ ୨୬ ତାରିଖରେ ହୋଇଥିବା ଲଘୁଚାପ ବର୍ଷା ସାମାନ୍ୟ କମିଥିବା ବେଳେ ପୁଣି ଆସନ୍ତା ୩୦ ତାରିଖ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୧ ତାରିଖ ବେଳକୁ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସୂଚନା ମିଳିଛି ।
ଯଦି ପାଣିପାଗ ସ୍ଥିତି ଅନୁକୂଳ ରୁହେ ତେବେ ୨ ତାରିଖ ବେଳକୁ ଏହା ଅବପାତ ରୂପ ନେଇ ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଏହି ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।




