ଆନନ୍ଦ ବଜାର ସଂସ୍କାର: ସେବାୟତଙ୍କ ପାଇଁ ଲାଗୁହେବ ଡ୍ରେସ କୋଡ଼

ପୁରୀ : ଶ୍ରୀମନ୍ଦିରରେ ଆନନ୍ଦ ବଜାର ସେବାୟତଙ୍କ ପାଇଁ ଲାଗୁହେବ ଡ୍ରେସ କୋଡ଼ । ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ ସହାୟକଙ୍କୁ ସ୍ୱତନ୍ତ୍ର ପୋଷାକ ପିନ୍ଧାଇବାକୁ ପଦକ୍ଷେପ ନେଇଛି । ମହାପ୍ରସାଦ ବିକ୍ରି କରୁଥିବା ମହା ସୂପକାର ଏଥର ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ କିମ୍ବା ସହାୟତା କରିପାରିବେ । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆରମାନଙ୍କୁ ନିଯୁକ୍ତ କରୁଥିବା ସହାୟକଙ୍କ ନାମ, ଠିକଣା […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିରରେ ଆନନ୍ଦ ବଜାର ସେବାୟତଙ୍କ ପାଇଁ ଲାଗୁହେବ ଡ୍ରେସ କୋଡ଼ । ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ ସହାୟକଙ୍କୁ ସ୍ୱତନ୍ତ୍ର ପୋଷାକ ପିନ୍ଧାଇବାକୁ ପଦକ୍ଷେପ ନେଇଛି । ମହାପ୍ରସାଦ ବିକ୍ରି କରୁଥିବା ମହା ସୂପକାର ଏଥର ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ କିମ୍ବା ସହାୟତା କରିପାରିବେ । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆରମାନଙ୍କୁ ନିଯୁକ୍ତ କରୁଥିବା ସହାୟକଙ୍କ ନାମ, ଠିକଣା ସହ ବିସ୍ତୃତ ପରିଚୟ ମଗାଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ତଥ୍ୟ ଦେବା ପରେ ୨୫ ତାରିଖ ସୁଦ୍ଧା ଏହାକୁ ଯାଞ୍ଚ କରି ସହାୟକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଗଞ୍ଜି ଓ ପରିଚୟପତ୍ର ଯୋଗାଇ ଦେବ ।

ସହାୟକମାନେ ଆନନ୍ଦ ବଜାରରେ ଅବଢ଼ା ବିକ୍ରିରେ ସହାୟତା କରିବା ବେଳେ ଏହି ଗଞ୍ଜି ଓ ପରିଚୟପତ୍ର ବ୍ୟବହାର କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦ ବଜାରରେ ଏହି ଶୃଙ୍ଖଳା ଆଣିବାକୁ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଏହି ପୋଷାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ନ ମହାପ୍ରସାଦ ଦୋକାନ ପାଇଁ କମଳା ରଙ୍ଗ ଓ ଛପନ ଭୋଗ ବା ଶୁଖିଲା ମହାପ୍ରସାଦ ଦୋକାନ ପାଇଁ ସବୁଜ ରଙ୍ଗର ଡ୍ରେସ୍‌ କୋର୍ଡ(ଗଞ୍ଜି) ହୋଇଛି । ଶୁଖିଲା ଦୋକାନ ପାଇଁ ୨ ଜଣ ସହଯୋଗୀଙ୍କୁ ନିଯୁକ୍ତ କରାଯିବାକୁ ଅନୁମତି ଦିଆଯାଉ ବୋଲି ସୁଆର ମହାସୁଆର ନିଯୋଗ ପ୍ରଶାସନକୁ ଜଣାଇଛି ।

ସେପଟେ ଆନନ୍ଦବଜାର ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଛନ୍ତି । ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।

ଅନ୍ୟପଟେ ପାରମ୍ପରିକ ପୋଷାକକୁ ଭୁଲି ଶ୍ରୀମନ୍ଦିର ପ୍ରଶାସନ ଏବେ ଅତ୍ୟାଧୁନିକ ଗଞ୍ଜିକୁ ଡ୍ରେସ୍‌ କୋର୍ଡ କରିବା ବୁଦ୍ଧିଜୀବୀଙ୍କୁ ହତବାକ୍‌ କରିଛି । ଅନ୍ୟପଟେ ଖେଇକୁ ପାଳିଆ ସେବକମାନଙ୍କ ଦ୍ୱାରା ବିକ୍ରି ନକରି ସୁଆରମାନେ ନିଜେ ବିକ୍ରି କରନ୍ତୁ ପ୍ରଶାସନିକ ବୈଠକରେ କୁହାଯିବା ଆଉ ଏକ ଅସନ୍ତୋଷର ବିଷୟ ହୋଇଛି । ସେହିପରି ପସରତିଆଙ୍କୁ ବାଦ୍‌ ନଦେଇ ସେମାନଙ୍କ ପାଇଁ ଡ୍ରେସ୍‌ କୋର୍ଡ କରିବାକୁ ମଧ୍ୟ ଦାବି ଉଠିଛି । ଯାହାକୁ ନେଇ ସୁଆର ସେବକଙ୍କ ଭିତରେ ଭିତ୍ତିରି ଅସନ୍ତୋଷ ଦେଖାଦେଇଛି ।

Tags: