ଚିକିତ୍ସା ବିଜ୍ଞାନରେ ଚମତ୍କାର ! ଏମ୍ସରେ କାର୍ଯ୍ୟକ୍ଷମ ହେଲା ବନ୍ଦ ହୃଦୟ
ଭୁବନେଶ୍ୱର : ଚିକିତ୍ସା ବିଜ୍ଞାନରେ ଚମତ୍କାର । ଭୁବନେଶ୍ୱର ଏମ୍ସରେ ରୋଗୀ ପାଇଲେ ନୂଆ ଜୀବନ । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ଯବାନଙ୍କୁ ଦେଲା ନୂଆ ଜୀବନ । ଦୁଇ ଘଣ୍ଟା ପରେ ପୁନଃ କାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଯବାନଙ୍କ ହୃଦୟ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଏମ୍ସ ଭୁବନେଶ୍ୱର ଡାକ୍ତର । ପୂର୍ବ ଭାରତରେ ଏଭଳି ଘଟଣା ପ୍ରଥମ । ଚିକିତ୍ସା ବିଜ୍ଞାନର ଚମତ୍କାରିତା, ପୁନର୍ଜନ୍ମ ପାଇଲେ ଶୁଭକାନ୍ତ । ନୟାଗଡ଼ ରଣପୁର […]
ଭୁବନେଶ୍ୱର : ଚିକିତ୍ସା ବିଜ୍ଞାନରେ ଚମତ୍କାର । ଭୁବନେଶ୍ୱର ଏମ୍ସରେ ରୋଗୀ ପାଇଲେ ନୂଆ ଜୀବନ । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ଯବାନଙ୍କୁ ଦେଲା ନୂଆ ଜୀବନ । ଦୁଇ ଘଣ୍ଟା ପରେ ପୁନଃ କାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଯବାନଙ୍କ ହୃଦୟ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଏମ୍ସ ଭୁବନେଶ୍ୱର ଡାକ୍ତର । ପୂର୍ବ ଭାରତରେ ଏଭଳି ଘଟଣା ପ୍ରଥମ । ଚିକିତ୍ସା ବିଜ୍ଞାନର ଚମତ୍କାରିତା, ପୁନର୍ଜନ୍ମ ପାଇଲେ ଶୁଭକାନ୍ତ ।
ନୟାଗଡ଼ ରଣପୁର ଅଞ୍ଚଳର ୨୪ ବର୍ଷୀୟ ଯୁବକ ଶୁଭକାନ୍ତ ସାହୁ । ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ୍ ଦୁର୍ବଳ ଅନୁଭବ କରିଥିଲେ ଶୁଭକାନ୍ତ । ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ । ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ବେଳେ ଅକ୍ଟୋବର ପହିଲାରେ ଏମ୍ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା । ଏମ୍ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ଜୀବନ ବଞ୍ଚାଇବା ପାଇଁ ୪୦ ମିନିଟର ପ୍ରାଥମିକ ସିପିଆର୍ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରି ନଥିଲା । ସାଧାରଣତଃ ୨୦ ରୁ ୨୫ ମିନିଟ ଯଦି କାହାର କାର୍ଡିଆକ ଆରେଷ୍ଟ ହୁଏ ତେବେ ତାଙ୍କୁ ମୃତ ଘୋଷଣା କରିଥାନ୍ତି ଡାକ୍ତର। କିନ୍ତୁ ତାଙ୍କୁ ଏକମୋ ମେସିନ ଦ୍ବାରା ଇ-ସିପିଆର୍ ପ୍ରଦାନ କରାଗଲା ।
ପ୍ରାୟ ୨ ଘଣ୍ଟା ପରେ ଶୁଭକାନ୍ତଙ୍କ ହାର୍ଟ ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା । ୩୬ ଘଣ୍ଟା ପରେ ହୃଦୟ ସାଧାରଣ ଭାବେ ବିଟ କରିବା ଆରମ୍ଭ କଲା । ଏକମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟର ମାରାଥନ୍ ସିପିଆର୍ ପରେ ଯୁବକଙ୍କୁ ଏକମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ । ତେବେ ଇସିପିଆର ଦେବାର ୪୦ ମିନିଟ୍ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଯେଉଁ ୨ଘଣ୍ଟା ତାଙ୍କର ହାର୍ଟ କାର୍ଯ୍ୟ କରିବା ବନ୍ଦ କରିଥିଲା ସେତିକି ସମୟ ମଧ୍ୟରେ ଶରୀରର ବିଭିନ୍ନ ଅଙ୍ଗ ଯଥା ଲଙ୍ଗସ, କିଡ୍ନୀ, ଲିଭର ଆଦିରେ ସଂକ୍ରମଣ ବ୍ୟାପିଥିଲା । ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକମୋରୁ ବାହାର କରାଯାଇଥିଲା । ଏହାକୁ ଠିକ୍ କରିବା ପାଇଁ ପ୍ରାୟ ୩୦ ଦିନ ଲାଗିଲା ବୋଲି ଏମ୍ସ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଚିକିତ୍ସା ପ୍ରକ୍ରିୟାରେ ଏମ୍ସ୍ର ୨୦ ଜଣ ଡାକ୍ତର ନିୟୋଜିତ ଥିଲେ।




