୨୫ବର୍ଷ ପରେ ଓଡ଼ିଶାରେ ଶପଥ ନେବେ ୨ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ବିଜେପି ରାଜ I ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ I ତାଙ୍କ ସହିତ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ୨ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ I ବିଜେପି ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପରେ ରାଜ୍ୟରେ ୨୫ ବର୍ଷ ପରେ ପୁଣି ଉପମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ଆରମ୍ଭ ହୋଇଛି। […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ବିଜେପି ରାଜ I ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ I ତାଙ୍କ ସହିତ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ୨ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ I ବିଜେପି ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପରେ ରାଜ୍ୟରେ ୨୫ ବର୍ଷ ପରେ ପୁଣି ଉପମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ସରକାର ମଧ୍ୟରେ କେହି ଉପ ମୁଖ୍ୟମନ୍ତ୍ରୀ ରହି ନଥିଲେ I

୧୯୭୧ ରେ ଅନୁଷ୍ଠିତ ନିର୍ବାଚନ ପରେ ଗଠିତ ପଞ୍ଚମ ବିଧାନସଭାରେ ପ୍ରଥମ ଉପମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି ହୋଇଥିଲା I ସେହି ସମୟରେ ନନ୍ଦିନୀ ଶତପଥୀ ଉତ୍କଳ କଂଗ୍ରେସର ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସେତେବେଳେ ବାସୁଦେବପୁର ବିଧାୟକ ନୀଳମଣି ରାଉତରାୟ ଜୁନ୍ ୧୪, ୧୯୭୨ରୁ ମାର୍ଚ୍ଚ ୧, ୧୯୭୩ ପର୍ଯ୍ୟନ୍ତ ୨୬୦ଦିନ ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏହାପରେ ୧୯୯୫ ଏକାଦଶ ବିଧାନସଭା ନିର୍ବାଚନରେ ପୁଣି ଠାରେ ଉପମୁଖ୍ୟମନ୍ତ୍ରୀ ପଦ ଫେରିଥିଲା I ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ଭାରତୀୟ ଜାତୀୟ କଂଗ୍ରେସ ସରକାର ଆସିବା ପରେ ଲଇକେରା ବିଧାୟକ ହେମାନନ୍ଦ ବିଶ୍ବାଳ ଦ୍ବିତୀୟ ଓ ତିର୍ତ୍ତୋଲ ବିଧାୟକ ବସନ୍ତ ବିଶ୍ବାଳ ତୃତୀୟ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ହେମାନନ୍ଦ ମାର୍ଚ୍ଚ ୧୫, ୧୯୯୫ରୁ ମେ’୯, ୧୯୯୮ ପର୍ଯ୍ୟନ୍ତ ୩ବର୍ଷ ୫୫ଦିନ ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ବସନ୍ତ ମାର୍ଚ୍ଚ ୧୫, ୧୯୯୫ରୁ ଫେବ୍ରୁଆରି ୧୭, ୧୯୯୯ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ବାଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ତାଙ୍କ ସରକାରରେ କେହି ଉପମୁଖ୍ୟମନ୍ତ୍ରୀ ହୋଇନଥିଲେ। ଏବେ କଂଗ୍ରେସ ସରକାର ଭଳି ବିଜେପି ସରକାରରେ ଦୁଇ ଜଣ ଏକସଙ୍ଗେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଆସନ୍ତୁ ଜାଣିବା ୨ ଉପ ମୁଖ୍ୟମନ୍ତ୍ରୀଙ୍କର ରାଜନୈତିକ କ୍ୟାରିଅର

କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗୀର ରାଜପରିବାର ୧୯୫୬ ଜୁନ୍ ୧୪ତାରିଖରେ କନକ ବର୍ଦ୍ଧନ ସିଂ ଦେଓଙ୍କର ଜନ୍ମ I ସେ ପାଟଣାଗଡ଼ ବିଧାନସଭା ଆସନରୁ ୬ଥର ବିଜୟୀ ହୋଇଛନ୍ତି। ରାଜ୍ୟରେ ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଚାଲିଥିବା ମେଣ୍ଟ ସରକାର ସମୟରେ କନକ ବର୍ଦ୍ଧନ ସିଂଦେଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ କ୍ୟାବିନେଟ୍‌ ପାହ୍ୟାରେ କାର୍ଯ୍ୟ ତୁଲାଇଥିଲେ । ସେ ମଝିରେ କେବଳ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ପାସ୍ କରିଥିବା କେଭି ଷଷ୍ଠଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ରାଜ୍ୟରେ ମେଂଟ ସରକାରରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ପାୱାରଫୁଲ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ।

ପ୍ରଭାତୀ ପରିଡା

ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୫୭ବର୍ଷୀୟା ପ୍ରଭାତୀ ବିଜେପିର ଜଣେ ଆଗଧାଡ଼ିର ମହିଳା I ସେ ପ୍ରଥମଥର ପାଇଁ ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଭାତୀଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ଅନ୍ତର୍ଗତ ନିଆଳିରେ ହୋଇଥିବାବେଳେ ତାଙ୍କ ଶାଶୂଘର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗାଁରେ । ପ୍ରଭାତୀ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସେହିବର୍ଷ ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ୍ ଭାବେ ନିଜକୁ ପଞ୍ଜିକୃତ କିରଥିଲେ। ୨୦୦୫ ମସିହାରେ ସେ ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଜି କରିଛନ୍ତି । ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ନାୟକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।

୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ ପ୍ରଭାତୀ ପରିଡ଼ା । ୨୦୦୯ରେ ପ୍ରଥମ ଥର ପାଇଁ ନିମାପଡ଼ା ନିର୍ବାଚନ ମଣ୍ଡଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୨୦୧୯ରେ ବି ସମାନ ପରିସ୍ଥିତିର ସାମ୍ନା କରିଥିଲେ କିନ୍ତୁ ଦଳରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତେଣୁ ୨୦୨୪ରେ ଦଳ ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ । ସେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଚଳିତ ନିର୍ବାଚନରେ ପ୍ରଭାତୀ ୯୫ ହଜାର ୪୩୦ ଭୋଟ ପାଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଦିଲିପ କୁମାର ନାୟକଙ୍କୁ ୪, ୫୮୮ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

Tags: