ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ମୃତ
ଭୁବନେଶ୍ୱର : ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ। ଆକସ୍ମିକ ବଜ୍ରପାତ ଘଟି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଆକସ୍ମିକ ବଜ୍ରପାତ ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ଆଗୁଆ ସୂଚନା ଦିଆଯାଉଥିବା ସତ୍ତ୍ୱେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଚାଷ କାମ ଚାଲୁଥିବାରୁ ବିଶେଷ ଭାବରେ ଖୋଲା ସ୍ଥାନ ଜମି ଉପରେ ବଜ୍ରପାତ ଘଟି କୃଷକମାନଙ୍କର ଜୀବନହାନୀ ହେଉଛି । ତେବେ ଜଳବାୟୁ ପରିବର୍ତ୍ତନ, […]
ଭୁବନେଶ୍ୱର : ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ। ଆକସ୍ମିକ ବଜ୍ରପାତ ଘଟି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଆକସ୍ମିକ ବଜ୍ରପାତ ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ଆଗୁଆ ସୂଚନା ଦିଆଯାଉଥିବା ସତ୍ତ୍ୱେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଚାଷ କାମ ଚାଲୁଥିବାରୁ ବିଶେଷ ଭାବରେ ଖୋଲା ସ୍ଥାନ ଜମି ଉପରେ ବଜ୍ରପାତ ଘଟି କୃଷକମାନଙ୍କର ଜୀବନହାନୀ ହେଉଛି । ତେବେ ଜଳବାୟୁ ପରିବର୍ତ୍ତନ, ବ୍ୟାପକ ଗଛ କଟା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍ କହୁଛନ୍ତି। ଗତ ୨ ଦିନ ମଧ୍ୟରେ ମୟୂରଭଞ୍ଜ,ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଅଘଟଣ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ଅନେକ ଚାଷୀ ।
ଗତକାଲି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ବିଲରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ। ସେମାନେ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିଥିଲା ।
ସେହିପରି ଆଜି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ ବଜ୍ରପାତ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି। ମୃତ ଯୁବକ ହେଉଛନ୍ତି ୧୮ ବର୍ଷୀୟ ହରିଶ ମଳିକ। ସକାଳେ ସାଙ୍ଗହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ, ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତର ଖାନାରେ ପହଂଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ଗ୍ରାମର ଯୁବଚାଷୀ ସୁଜିତ କୁମାର ନାୟକଙ୍କର ଆଜି ବଜ୍ରାଘାତରେ ଶୋଚନୀୟ ମୃତ୍ୟୁ ହୋଇଛି। ଆଜି ଦିନ ପ୍ରାୟ ୨. ୩୦ମିନିଟ ସମୟରେ ସୁଜିତ ବିଲରେ ଥିବାବେଳେ ବଜ୍ରାଘାତ ଯୋଗୁ ସେ ଚାଷ ଜମିରେ ଟଳି ପଡ଼ିଥିଲେ। ଏହାଦେଖି ଅନ୍ୟ ଚାଷୀ ଭାଇ ମାନେ ତାଙ୍କୁ ସଂଗେ ସଂଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଅନ୍ୟପଟେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ସାହୁପଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମର ସେଠୀ (୨୯)। ସେହିଭଳି ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଚକ୍ରଧର ଦାସ (୫୮)। ଉଭୟରେ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିଥିଲା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁରେ ବଜ୍ରାଘାତରେ ହେମନ୍ତ ବାରିକଙ୍କ ମୃତ୍ୟୁ ଘଟିଥିବା ବେଳେ କାଣ୍ଡଗରଡ଼ି ପଞ୍ଚାୟତର ହିମାଂଶୁ ବାରିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଯୁବ ଚାଷୀଙ୍କ ବିୟୋଗରେ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଅନ୍ୟପଟେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ବାସୁଦେବପୁର ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାସୁଦେବପୁର ଗାଁର ବିଜୟ ମଲ୍ଲିକ ଓ ଗରା ଗାଁର ବାବାଜୀ ପ୍ରଧାନ। ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।




