ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ
ଭୁବନେଶ୍ୱର : ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (SSMSV) । ୩ ବର୍ଷ ପାଇଁ ନିଯୁକ୍ତି ପାଇବେ କର୍ମଚାରୀ ଇ ତେବେ ଆବଶ୍ୟକ ପଡିଲେ ଆଉ ଏକ ବର୍ଷ ବୃଦ୍ଧି କରାଯିବ କାର୍ଯ୍ୟ କାଳ I କିନ୍ତୁ ବର୍ତ୍ତମାନ ସୁଦ୍ଧା ସମୁଦାୟ କାର୍ଯ୍ୟକାଳ ଅବଧି ସ୍ପଷ୍ଟ ହୋଇନାହିଁ Iଏନେଇ ସରକାର ନିଷ୍ପତ୍ତି ନେଉଛନ୍ତି । ଏହି ସ୍ୱତନ୍ତ୍ର ବାଟାଲିୟନ ପାଇଁ ବର୍ତ୍ତମାନ ପୋଲିସ ବିଭାଗରୁ ହିଁ କର୍ମଚାରୀଙ୍କୁ ନିଆଯିବ । […]
ଭୁବନେଶ୍ୱର : ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (SSMSV) । ୩ ବର୍ଷ ପାଇଁ ନିଯୁକ୍ତି ପାଇବେ କର୍ମଚାରୀ ଇ ତେବେ ଆବଶ୍ୟକ ପଡିଲେ ଆଉ ଏକ ବର୍ଷ ବୃଦ୍ଧି କରାଯିବ କାର୍ଯ୍ୟ କାଳ I କିନ୍ତୁ ବର୍ତ୍ତମାନ ସୁଦ୍ଧା ସମୁଦାୟ କାର୍ଯ୍ୟକାଳ ଅବଧି ସ୍ପଷ୍ଟ ହୋଇନାହିଁ Iଏନେଇ ସରକାର ନିଷ୍ପତ୍ତି ନେଉଛନ୍ତି । ଏହି ସ୍ୱତନ୍ତ୍ର ବାଟାଲିୟନ ପାଇଁ ବର୍ତ୍ତମାନ ପୋଲିସ ବିଭାଗରୁ ହିଁ କର୍ମଚାରୀଙ୍କୁ ନିଆଯିବ । ଗୋଟିଏ ବାଟାଲିୟନରେ ଯେତିକି କର୍ମଚାରୀ ରହିବା କଥା ସେତିକି ରହିବେ । ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ କହିଛନ୍ତି କି, ବର୍ତ୍ତମାନ ପାଇଁ କର୍ମଚାରୀ ସାଧାରଣ ପୋଲିସ ବିଭାଗରୁ ନିଆଯିବ । ଜେଟିପି ମଧ୍ୟ ଗଠନ ହେବ । ଏସବୁର ଦାୟିତ୍ୱ ପୁରୀ ଏସପିଙ୍କ ତତ୍ୱାବଧାନରେ ଚାଲିବ । ଏସଏସଏମଏସଭି ଓ ଜେଟିପି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୁରକ୍ଷାଭାର ନେବେ । ସେମାନେ ମନ୍ଦିର ଭିତର ଓ ବାହାର ବ୍ୟବସ୍ଥାର ତଦାରଖ କରିବେ । ସାଧାରଣ ଦିନରେ ଭକ୍ତଙ୍କ ଶୃଙ୍ଖଳିତ ତଥା ସୁବିଧାପୂର୍ଣ୍ଣ ଦର୍ଶନ ଦିଗରେ କାମ କରିବେ । ଏହା ବ୍ୟତୀତ ଏହି ବାଟାଲିୟନ ରଥ ଯାତ୍ରାକୁ ସୁରୁଖୁରୁରେ ସଂଗଠିତ କରିବା ଦିଗରେ କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ,ଆସନ୍ତା ୧୭ ତାରିଖରୁ ହେବ ରତ୍ନଭଣ୍ଡାର ମରାମତି କାମ । ଡିସେମ୍ବର ୧୬ ତାରିଖରେ ସଂକ୍ରାନ୍ତି ପଡ଼ୁଥିବାରୁ ଛତିଶାନିଯୋଗ ପରାମର୍ଶକ୍ରମେ ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ।
ମରାମତି ସମୟରେ କୌଣସି ନୀତି ହେବନାହିଁ। ଯେହେତୁ ପହିଲି ଭୋଗ ନୀତି ଚାଲିବ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ୧ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ସହ ଭୋଗ ଉଠି ସାରିଥିବ। ଏଣୁ ଏହା ପରେ ପରେ ମରାମତି ପାଇଁ ଏଏସ୍ଆଇ ଦଳ ରତ୍ନଭଣ୍ଡାରରେ ପ୍ରବେଶ କରିବେ। ପ୍ରତିଦିନ ପ୍ରାୟ ୫ ଘଣ୍ଟା ମରାମତି କାମ ଚାଲିବ। କିନ୍ତୁ ଶନିବାର ଓ ରବିବାର, ଇଂରାଜୀ ନବବର୍ଷ, ୩୧ ଡିସେମ୍ବର ଭଳି ଦିନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି, ସେଦିନ ମରାମତି କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।




