ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭୁବନେଶ୍ୱର : ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍‌ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ I ଏହି ଅବସରରେ ଶ୍ରୀ ଅମାତ କହିଛନ୍ତି ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛି । ଏପରିକି […]

Samaya Live Picture
Published On

ଭୁବନେଶ୍ୱର : ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍‌ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ I ଏହି ଅବସରରେ ଶ୍ରୀ ଅମାତ କହିଛନ୍ତି ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛି । ଏପରିକି ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କମ୍‌ ସମୟ ଓ ସମ୍ବଳରେ ବିଶାଳ ତଥ୍ୟପୁଞ୍ଜିକୁ ଏକତ୍ରିତ କରାଯାଇ ଅଧିକ କାର୍ଯ୍ୟ କୃତିତ୍ୱ ହାସଲ କରାଯାଇ ପାରୁଛି । କୃତ୍ରିମ ବୁଦ୍ଧିମତାକୁ ସଠିକ୍‌ ଢଙ୍ଗରେ ବ୍ୟବହାର କରିବାରେ ଗଣମାଧ୍ୟମ ଯତ୍ନବାନ ହେବ ଉଚିତ I

ମନ୍ତ୍ରୀ ଶ୍ରୀ ଅମାତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସର୍ବଦା ଗୁରୁତ୍ୱ ଦେଉଥିବା ନେଇ ମତବ୍ୟକ୍ତ କରିଛନ୍ତି । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରିବା ନିମନ୍ତେ ଆଜିର ଦିନ ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଲାଇଭ୍‌ର ପ୍ରତିଷ୍ଠାତା ସଂପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନୀଳାମ୍ବର ରଥ କହିଲେ ଯେ ଆଜିର ପ୍ରଗତିଶୀଳ ସମୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି । ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଉପରେ ଆଲୋକପାତ କରି ଶ୍ରୀ ରଥ କହିଥିଲେ ଯେ କୃତି୍ରମ ବୁଦ୍ଧିମତା ଉପରେ ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ନହୋଇ ନିଜସ୍ୱ ଚିନ୍ତାଚେତନାକୁ ସମାନ୍ତରାଳ ଭାବେ ବ୍ୟବହାର କରିବାର ଆବଶ୍ୟକତା ରହିଛି ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ର ସଂପାଦିକା କ ସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ପ୍ରତିନିଧିମାନେ ମହିଳା ଓ ଶିଶୁ ସଂପର୍କିତ ଖବର ପରିବେଷଣ ବେଳେ ବିଶେଷ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପୌରୋହିତ୍ୟ କରି କହିଥିଲେ ଯେ ଗଣତନ୍ତ୍ରକୁ ଛାଡ଼ି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଠି ପାରିବ ନାହିଁ । ଗଣତନ୍ତ୍ରର ଆତ୍ମା ହେଉଛି ମାନବିକତା । ଏହାକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରୁତ୍ୱଦେବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍‌ ଇଣ୍ଡିଆ’ଙ୍କୁ ସମ୍ମାନିତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବାବେଳେ ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Tags: