ମାଡି ଆସୁଛି ପ୍ରଚଣ୍ଡ ତାତି,ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୧୬ ତାରିଖ ଯାଏଁ ଆହୁରି ବଢିବ ତାତି I ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି I ଗତ ୩ ଦିନ ମଧ୍ୟରେ ରାଜ୍ୟର ୧୪ ଟି ସହରରେ ୪୦ ଡିଗ୍ରୀ ଉପରେ ରହୁଛି ପାରଦ I ହିଟୱେଭ ପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ […]
ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୧୬ ତାରିଖ ଯାଏଁ ଆହୁରି ବଢିବ ତାତି I ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି I ଗତ ୩ ଦିନ ମଧ୍ୟରେ ରାଜ୍ୟର ୧୪ ଟି ସହରରେ ୪୦ ଡିଗ୍ରୀ ଉପରେ ରହୁଛି ପାରଦ I ହିଟୱେଭ ପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଗାଇଡଲାଇନ୍ ଜାରି କରିଛି । ସମସ୍ତ ମେଡିକାଲରେ ସନ ଷ୍ଟ୍ରୋକ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲା ଯିବା ସହିତ ଆମ୍ବୁଲାନ୍ସ କୁ ମଧ୍ୟ ସଜାଗ ରଖାଯାଇଛି I ସେହିଭଳି ଖରାରେ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସମୀକ୍ଷା ପରେ ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇ କହିଥିଲେ କି ,‘ଖରା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ବିଭାଗ ଏଥିପାଇଁ ତତ୍ପର ଅଛି। ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ଯଥାସାଧ୍ୟ ପଦକ୍ଷେପ ନିଆଯାଉଛି ।
ସେହିଭଳି ଆଜି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏଥିଲାଗି ଆଗରୁ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏ କାମ ନ କରିବାକୁ ନିର୍ଦେଶ ରହିଛି। ଜିଲ୍ଲା ଶ୍ରମ ଅଧିକାରୀ ଏହାର ତଦାରଖ କରିବେ। ଶ୍ରମିକମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବେ। ସ୍କୁଲ ଓ ଅଙ୍ଗନବାଡ଼ି ଏପ୍ରିଲ ୧୬ ତାରିଖ ଯାଏ ବନ୍ଦ ରହିଛି। ଖରା ବଢିଲେ, ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ସରିବା ପରେ ଖରାକୁ ଦେଖି ନିଷ୍ପତ୍ତି ନିଆଯିବ। ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି, ବସରେ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ଦରକାର ପଡ଼ିଲେ, ଦିନ ୧୧ଟାରୁ ୩ଟା ଭିତରେ ରୁଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି। ବସରେ ବରଫ, ଓଆରଏସ୍, ପାଣି ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ବସ୍ ରୁଟରେ ଜଳଛତ୍ର ଖୋଲିବାକୁ କୁହାଯାଇଛି। ଗାଁରେ ନଳକୂପ ମରାମତି ପାଇଁ ନିର୍ଦେଶ ଦିଆଯାଇଛି। ଅଂଶୁଘାତ ରୋଗୀଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ରୋଗୀ ଆସିଲେ, ତୁରନ୍ତ ଚିକିତ୍ସା ପାଇବେ।
ସୂଚନାନୁସାରେ,ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ୱର । ସେଠାରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ପୁରୀରରେ ୩୨.୨, ଭୁବନେଶ୍ୱରରେ ୩୧.୬, ଝାରସୁଗୁଡ଼ାରେ ୩୧, ଚାନ୍ଦବାଲିରେ ୩୦.୮ ଓ କେନ୍ଦୁଝରରେ ପାରଦ ରହିଛି ୩୦.୪ ଡିଗ୍ରୀ ସେଲସିୟସ୍। ସେହିପରି ପାରାଦୀପରେ ୨୯.୮, ସମ୍ବଲପୁରରେ ୨୯.୨ ଓ ଗୋପାଳପୁରରେ ୨୮.୬ ଡିଗ୍ରୀ ସେଲସିୟସ୍ ରହିଛି ତାପମାତ୍ରା ।
ଏହା ସହିତ ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଏହି ୪ ଜିଲ୍ଲା ପାଇଁ ହିଟ୍ ୱେଭ୍ ଜନିତ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।




