ପୁରୀକୁ ଫେରିଲେଣି ୧୨ହଜାର ପ୍ରବାସୀ: ଜିଳ୍ଲାପାଳ
ରିପୋର୍ଟ : ନୃସିଂହ ଚରଣ ମହାନ୍ତି ପୁରୀ: ମେ ୨୯:ମହାମରୀ କରୋନା ସଂକ୍ରମଣ ଯୋଗୁଁ ଜୀବିକା ହରାଇଥିବା ଲୋକମାନଙ୍କୁ ଜୀବିକାର୍ଜନ ପନ୍ଥା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି । ବିଭିନ୍ନ ରାଜ୍ୟରୁ ଫେରିଥିବା ଲୋକଙ୍କର ସ୍କିଲ ମ୍ୟାପିଂ କରାଯାଉଛି । ସେମାନଙ୍କ ଯୋଗ୍ୟତା ବିଷୟରେ ସାଧାରଣରେ ପ୍ରକାଶ କରାଯିବ । ବିଭିନ୍ନ ବେସରକାରୀ ସଂସ୍ଥା ସେମାନଙ୍କୁ ନିଯୁକ୍ତି ଦେଇପାରିବେ । ପ୍ରବାସୀମାନଙ୍କ ପାଇଁ କର୍ମ ଯୋଗାଣ ସମ୍ପର୍କରେ ଉଲ୍ଲେଖ କରି […]
ରିପୋର୍ଟ : ନୃସିଂହ ଚରଣ ମହାନ୍ତି
ପୁରୀ: ମେ ୨୯:ମହାମରୀ କରୋନା ସଂକ୍ରମଣ ଯୋଗୁଁ ଜୀବିକା ହରାଇଥିବା ଲୋକମାନଙ୍କୁ ଜୀବିକାର୍ଜନ ପନ୍ଥା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି । ବିଭିନ୍ନ ରାଜ୍ୟରୁ ଫେରିଥିବା ଲୋକଙ୍କର ସ୍କିଲ ମ୍ୟାପିଂ କରାଯାଉଛି । ସେମାନଙ୍କ ଯୋଗ୍ୟତା ବିଷୟରେ ସାଧାରଣରେ ପ୍ରକାଶ କରାଯିବ । ବିଭିନ୍ନ ବେସରକାରୀ ସଂସ୍ଥା ସେମାନଙ୍କୁ ନିଯୁକ୍ତି ଦେଇପାରିବେ । ପ୍ରବାସୀମାନଙ୍କ ପାଇଁ କର୍ମ ଯୋଗାଣ ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାପାଳ କହିଥିଲେ ଯେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗାଁ ଗହଳିରେ ଅଧିକ ଲୋକ କିପରି କାମ ପାଇବେ ତାହାର ବ୍ୟବସ୍ଥା କରାଯିବ । ସ୍ୱତନ୍ତ୍ର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ସିଂକହିଥିଲେ ଯେ ଅଦ୍ୟାବଧି ପୁରୀ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୨ହଜାର ପ୍ରବାସୀ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୬୮୦୦ଲୋକ ନିଜ ନିଜ ଘରକୁ ଗଲେଣି । ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ କୋଭିଡ ଟେଷ୍ଟ କରାଯାଉଛି । ପୁରୀ ଜିଲ୍ଲାକୁ ଫେରି ଆସିଥିବା ପ୍ରବାସୀମାନଙ୍କ ମଧ୍ୟରୁ ୪ହଜାର ୯୫୪ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୮୭ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୧୪ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି । ୫୪ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୫୧୦୦ଜଣଙ୍କୁ ଅସ୍ଥାୟୀ ମେଡିକାଲ ସେଣ୍ଟରରେ ରଖାଯାଇଛି । କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିମାନେ ସୁସ୍ଥ ଥିବା ଉଲ୍ଲେଖ କରି ଜିଳ୍ଲାପଳ କହିଥିଲେଯେ ଜିଲ୍ଲାରେ ୭୨୦ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ପ୍ରାୟ ୪୦୦ କେନ୍ଦ୍ରରେ ପ୍ରବାସୀମାନଙ୍କୁ ରଖାଯାଇଛି । ୯ଟି ସ୍ଥାନରେ କୋଭିଡ ସେଣ୍ଟର କରାଯାଇଛି । କୋଭିଡ-୧୯ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ଟି ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯାଉଛି । ୧୦ଦିନ ଭିତରେ ୧୦ଟି ଭେଣ୍ଟିଲେଟର ସୁବିଧା ଥିବା ୨୦ଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା କରାଯିବ । ସମସ୍ତଙ୍କ ସେବା ପାଇଁ ଏକ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମିଳିବ । ମହାବାତ୍ୟଫନିରେ ୧୦ହଜାର ଗଛ ନଷ୍ଟ ହୋଇଯାଇଥିବାରୁ ନଡିଆ ଚାଷ ପ୍ରତି ପ୍ରାଧାନ୍ୟ ଦିଆଯିବ । ବ୍ୟକ୍ତିଗତ ଜମିରେ ୨ରୁ ୩ଲକ୍ଷ ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯିବ । ଫଳରେ ଲୋକମାନଙ୍କୁ ଦୀର୍ଘକାଳୀନ ଜୀବିକା ମିଳିପାରିବ । ସହରାଞ୍ଚଳରେ ଜୀବିକା ଯୋଗାଣ ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବ । କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଅନୁଯାୟୀ କରୋନା ବିରୋଧୀ ଲଢ଼େଇରେ ସଂଶ୍ଳିଷ୍ଟ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବାକୁ ୩୦ତାରିଖ ଅପରାହ୍ନ ସାଢେ ୫ଟାରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।




