ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଓଡିଶା ଗସ୍ତରେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତୁଙ୍ଗ ନେତାଙ୍କ ରାଜ୍ୟକୁ ମାରାଥନ ଗସ୍ତ I ରାଜ୍ୟ ବିଜେପିକୁ ଉତ୍ସାହିତ କରିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଓଡ଼ିଶାରେ ପହଂଚିବା ପରେ ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ସୂଚନା ଅନୁସାରେ, ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ […]

Samaya Live Picture
Published On

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତୁଙ୍ଗ ନେତାଙ୍କ ରାଜ୍ୟକୁ ମାରାଥନ ଗସ୍ତ I ରାଜ୍ୟ ବିଜେପିକୁ ଉତ୍ସାହିତ କରିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଓଡ଼ିଶାରେ ପହଂଚିବା ପରେ ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।

ସୂଚନା ଅନୁସାରେ, ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସି ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧନ କରିଥିଲେ।

ସେହିପରି ଆସନ୍ତାକାଲି ଓଡିଶା ଗସ୍ତରେ ଆସି କଟକରେ ମେଗା ରୋଡ଼ ଶୋ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ I ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ। ତାଙ୍କୁ ବିପୁଳ ସଂଖ୍ୟାରେ ସ୍ୱାଗତ ସହିତ ଯୋଗଦାନ କରିବା ପାଇଁ କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ କଟକ ସହର ବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ତା’୫ ଦିନ ପୂର୍ବରୁ ଅମିତ ଶାହ କଟକରେ ବିଶାଳ ରାଲି କରୁଛନ୍ତି I

ସୂଚନାନୁସାରେ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଆଗରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହଙ୍କର ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଏବେ ସେ ଆସନ୍ତାକାଲି (୧୫ ତାରିଖ) ଓଡ଼ିଶା ଗସ୍ତରେ ଆସି ସୋରଡ଼ା ଓ ବୌଦ୍ଧରେ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ସରଗରମ ହେଉଛି ପ୍ରଚାର ମୈଦାନ I ପ୍ରଚାର ମାଧ୍ୟମରେ ବିଜେଡି -ବିଜେପି ମଧ୍ୟରେ ଚାଲିଛି ଜୋରଦାର ଟକ୍କର I କର୍ମୀଙ୍କ ମନୋବଳ ବଢାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ରହୁଛି I ଏହାରି ମଧ୍ୟରେ ବିଜେପି ପାଇଁ ପ୍ରଚାର କରିବାକୁ ରାଜସ୍ଥାନ ବିଜେପି ସଭାପତି ସିପି ଯୋଶୀ,କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କଟକ ଆସି ସାରିଛନ୍ତି I

ଅନ୍ୟପଟେ ଆଜି ବିଜେଡି ପକ୍ଷରୁ ଭି.କେ. ପାଣ୍ଡିଆନଙ୍କର କଟକ ଆସୁଥିବାବେଳେ ,୧୯ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଟକରେ ଏକ ବିଶାଳ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି I

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କର ମଧ୍ୟ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର କାର୍ଯ୍ୟକ୍ରମ ଥିବା ବେଳେ ୧୬ ତାରିଖରେ କନ୍ଧମାଳରେ ସଭାରେ ଯୋଗଦେବେ ଖାର୍ଗେ। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଭୁବନେଶ୍ବରରେ ଖାର୍ଗେ ପ୍ରେସମିଟ୍‌ ମଧ୍ୟ କରିବେ। ସେହିପରି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜୟରାମ ରମେଶ ଭୁବନେଶ୍ବରରେ ପ୍ରେସମିଟ୍‌ କରିବେ।

Tags: