ନିରବିଲେ ପ୍ରଣବ
ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଶ୍ରେଷ୍ଠ ଗାୟକ, ଯିଏକି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିରହିଥିଲେ । ଅଗଷ୍ଟ ୨୧, ୨୦୨୬ରେ ୮୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ କଣ୍ଠ ଆଜି ନିରବି ଯାଇଛି ସତ ହେଲେ ସେ ଶ୍ରୋତାଙ୍କ ହୃଦୟରେ ସବୁବେଳେ ତାଙ୍କ ସଙ୍ଗୀତ ମାଧ୍ୟମରେ ଜୀବନ୍ତ ରହିବେ । ୧୯୩୮ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ତାଙ୍କ ପିତା ଦ୍ୱାରା ଅତ୍ୟନ୍ତ ଅନୁପ୍ରାଣିତ ହୋଇଥିଲେ, ଯିଏକି ସ୍ୱର୍ଗତ ଲାଲ ମୋହନ ପଟ୍ଟନାୟକ (ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି) ଥିଲେ । ସେ ଓଡ଼ିଶୀ, ଲୋକଗୀତ, ଭକ୍ତିଗୀତ ଓ ଭଜନ, ସେମି କ୍ଲାସିକାଲ୍, ପାରମ୍ପରିକ, ହିନ୍ଦୀ ଗୀତ ଏବଂ ଗଜଲ ଭଳି ସଙ୍ଗୀତର ବିଭିନ୍ନ ବିଭାଗରେ ନିଜର କଣ୍ଠଦାନ କରିଛନ୍ତି। ଗୁରୁ କୁନାଲ ଆଦିନାରାୟଣଙ୍କ ତାଲିମ ଅଧୀନରେ ସେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ୧୯୫୮ ମସିହାରେ "ମା" ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ପ୍ରଚ୍ଛଦପଟ ଗାୟକ (ପ୍ଲେବ୍ୟାକ୍ ସିଙ୍ଗର) ଭାବରେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ହେମଲତା, ବାଣୀ ଜୟରାମ, ଏସ. ଜାନକୀ, ପି. ସୁଶୀଳା, ନିର୍ମଳା ମିଶ୍ର, ଭୂପିନ୍ଦର ସିଂହ, ଉଷା ମଙ୍ଗେସକର ଏବଂ ହୈମନ୍ତୀ ଶୁକ୍ଲାଙ୍କ ଭଳି ପ୍ରସିଦ୍ଧ ଗାୟକ-ଗାୟିକାଙ୍କ ସହ ଗାଇବାର ସୁଯୋଗ ମିଳିଥିଲା । ସେ ଏକମାତ୍ର ଓଡ଼ିଆ ପ୍ରଚ୍ଛଦପଟ ଗାୟକ, ଯିଏକି ଓଡ଼ିଶା ସରକାରଙ୍କ ଦ୍ୱାରା ଏକାଧିକ ଥର "ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର"ରେ ସମ୍ମାନିତ ହୋଇଛନ୍ତି । ସଙ୍ଗୀତ ଦୁନିଆର ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାରରେ ମଧ୍ୟ ସେ ସମ୍ମାନୀତ ହୋଇଛନ୍ତି । ତାଙ୍କ ଗୀତଗୁଡ଼ିକର କଣ୍ଠଶୈଳୀ ଅତ୍ୟନ୍ତ ବ୍ୟାପକ ଏବଂ ତାଙ୍କର ଗାଇବାର ନିଆରା ଶୈଳୀ ଅତୁଳନୀୟ । ତାଙ୍କ ଗୀତ ଶ୍ରୋତାମାନଙ୍କୁ ସୃଷ୍ଟିର ସର୍ବୋଚ୍ଚ ସତ୍ତାକୁ ଉପଲବ୍ଧି କରାଏ । ସେ ଓଡ଼ିଶା ଏବଂ ଓଡ଼ିଶା ବାହାରର ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅଧୀନରେ ୨୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ନିଜର ସ୍ୱର ଦେଇଛନ୍ତି । ଓଡିଆ ସଙ୍ଗୀତ ଦୁନିଆର ଅନେକ କଳାକାରଙ୍କର ସେ ଥିଲେ ମାର୍ଗଦର୍ଶକ ଓ ପ୍ରେରଣା । ଅନେକ ତାଙ୍କୁ ଦେଖି ତାଙ୍କଠାରୁ ଶିଖି ଏହି ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ । ତାଙ୍କ ପଥ ଅନୁସରଣ କରି ଅନେକଙ୍କୁ ସେମାନଙ୍କ କ୍ୟାରିୟରରେ ସଫଳତା ମିଳିଛି । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ଗୀତ ଓଡିଆ ସଙ୍ଗୀତ ତଥା ଓଡିଆ ଶିଳ୍ପୀ ଓ ଦର୍ଶକଙ୍କ ପାଇଁ ସବୁବେଳେ ଅଭୁଲା ହୋଇ ରହିବ ।
ମାନସମ୍ମାନ
୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ
୨୦୧୬ - ଜୟଦେବ ପୁରସ୍କାର
୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ
୨୦୧୧ - ପ୍ରଫୁଲ୍ଲ କର ସମ୍ମାନ
୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼
୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
୧୯୯୩ -ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଆଶା)
୧୯୮୯ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରତିଶୋଧ ଅପରାଧ ନୁହେଁ)
୧୯୮୮ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (କନ୍ୟାଦାନ)
୧୯୮୩ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଝିଅଟି ସୀତା ପରି)
୧୯୮୨ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଅସ୍ତରାଗ)
୧୯୭୬ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ସିନ୍ଦୂର ବିନ୍ଦୁ)
କାଳଜୟୀ ସଙ୍ଗୀତ
- ଆସ ପ୍ରିୟତମା, ସାଥିରେ ଆମ ଗୀତିରେ ଶଙ୍ଖ ମହୂରୀ
- ଏହି କି ବିଚାର ସାକ୍ଷୀ ଗୋପୀନାଥ
- ଏ ଗ୍ରାମର ଚଷାଭାଇ, ଇନ୍ଦ୍ରଧନୁର ସପ୍ତରଙ୍ଗୁ ସମର୍ପଣ
- ମଧୁଝରା ଫୁଲବନେ, ଜୀବନ ଯମୁନା ନଈ ପିପାସା
- ରାତି ପାହିଥିଲେ କୁଳ ଚନ୍ଦ୍ରମା
- ପୂରିଲା ଆଶା ମୋର, ହାତୀ ଝୁଲୁଥାଏ ପରିବାର
- ମାଝିରେ ଉଆସ ରାତି, ଉର୍ମି ଅଧୀରା ରୂପସୀ ଚିଲିକା ଚିଲିକା ତୀରେ
- ମନ ରସିଆରେ ରକ୍ତ ଗୋଲାପ
- ଯାହା ମୁଁ ଖୋଜିଛି, ଏ ଜୀବନେ ସବୁ ଘଟଇ ପୁନର୍ମିଳନ
- ହେ ଦୁଃଖହାରୀ ସୁନା ସଂସାର
- ଏ ନୁହେଁ କାହାଣୀ, ମୋ ଗଣ୍ଠିଧନ ଏ ନୁହେଁ କାହାଣୀ
- ମାଝିରେ ଶେଷ ଶ୍ରାବଣ ଶେଷ ଶ୍ରାବଣ
- ଯଉବନରୁ ଅପରାଧ, କେଉଁ ନାମ ଧରି ସିନ୍ଦୂର ବିନ୍ଦୁ
- ହୃଦୟ ଭରି ମୋର, ଧାର ଧାର ହୋଇ କୃଷ୍ଣ ସୁଦାମା
- ସୀମାହୀନ ଦରିଆ ବତିଘର
- ହାୟ ସେ ହରିଣୀ ଆଖି ଯାଯାବର
- ରେ ଆତ୍ମନ୍, ଆ'ରେ ମିତ, ଶ୍ଯାମକୁ ଜୁହାର ମମତା
- ନ କର ନ କର ମନ ସଂସାର
- ଏ ନୀଳଆଖି, ମା କାଳୀଯାଇ ଲୋ, ପୂର୍ଣିମା ଜହ୍ନ ସତେ ବନ୍ଧନ
- ତୁମ ବିନା ଏଇ ରାତି, ବିତିଯାଏ ରେ ସ୍ତ୍ରୀ




