କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ସରକାର – ନବୀନ
ଭୁବନେଶ୍ୱର : ଏଫଏମ କଲେଜ ନିଆଁ ତାତି କମି ନଥିବାବେଳେ ପୁଣି ଜଣେ ନାବାଳିକା ଛାତ୍ରୀକୁ ପୋଡି ଦେଲେ ଦୁର୍ବୁତ୍ତ । ତେବେ ଦୁର୍ବୁତ୍ତଙ୍କ କବଳରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାତ୍ରୀ ଜଣଙ୍କ ମୁକୁଳି ଆସି ଜୀବନ ବଞ୍ଚାଇଥିବା ବେଳେ ତାଙ୍କ ଶରୀରରେ ପ୍ରାୟ ୭୦% ଜଳିଯାଇଛି । ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଏମ୍ସରେ ବର୍ଣ୍ଣ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି । ଆଜି ସକାଳେ ଏହି ସ୍ପର୍ଶକାତର ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର […]
ଭୁବନେଶ୍ୱର : ଏଫଏମ କଲେଜ ନିଆଁ ତାତି କମି ନଥିବାବେଳେ ପୁଣି ଜଣେ ନାବାଳିକା ଛାତ୍ରୀକୁ ପୋଡି ଦେଲେ ଦୁର୍ବୁତ୍ତ । ତେବେ ଦୁର୍ବୁତ୍ତଙ୍କ କବଳରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାତ୍ରୀ ଜଣଙ୍କ ମୁକୁଳି ଆସି ଜୀବନ ବଞ୍ଚାଇଥିବା ବେଳେ ତାଙ୍କ ଶରୀରରେ ପ୍ରାୟ ୭୦% ଜଳିଯାଇଛି । ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଏମ୍ସରେ ବର୍ଣ୍ଣ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି । ଆଜି ସକାଳେ ଏହି ସ୍ପର୍ଶକାତର ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗ୍ରାମରେ । ମାତ୍ର ସପ୍ତାହକ ଭିତରେ ଏହିଭଳି ୨ ଟି ଭୟଙ୍କର ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରି ଝାଡିଛନ୍ତି ଅସନ୍ତୋଷ । ପ୍ରତ୍ୟେକ ଦିନ ମହିଳା ନିର୍ଯାତନା ଖବର ସାମ୍ନାକୁ ଆସୁଛି । ଏହା କେବଳ ହିଂସା ନୁହେଁ ହୁଗୁଳା ଶାସନ ବ୍ୟବସ୍ଥା ବୋଲି ଦର୍ଶାଇଛନ୍ତି ନବୀନ । ଶାସନ ଚଳାଇବାରେ ସରକାର ପୁରା ବିଫଳ । ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁନାହାନ୍ତି। ସରକାରୀ ନିଷ୍କ୍ରିୟତା ପାଇଁ ଓଡ଼ିଶା ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଯାଇଛି । ଏଭଳି ଘଟଣା କେମିତି ନଘଟିବ ବୋଲି ସରକାର ପ୍ରତିଶ୍ରୁତି ଦେବେ କି, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ।
ଘଟନାନୁସାରେ,ଆଜି ସକାଳ ପ୍ରାୟ ୮ ଟା ବେଳେ ବାୟାବର ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ପାଖ ଗୋପାଳପୁର ଗାଁରେ ଥିବା ତାଙ୍କ ସାଙ୍ଗ ଘରକୁ ବହି ଦେବାକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ୩-୪ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଝିଅକୁ ଉଠାଇ ନେଇ ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ଉପରେ ଦେହରେ କେରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଝିଅଟି ଜୀବନ ବିକଳରେ ଦୌଡ଼ି ଦୌଡ଼ି ଯାଇ ଜଣଙ୍କ ଘର ସାମ୍ନାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ । କିଛି ଦୁର୍ବୃତ୍ତ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି ନାବାଳିକା ଜଣକ ଉକ୍ତ ଘର ଲୋକଙ୍କୁ କହିଥିଲେ। ଏହା ପରେ ଉକ୍ତ ଘରର ଲୋକେ ପାଣି ଢାଳି ନିଆଁକୁ କୌଣସି ଉପାୟରେ ଲିଭାଇ ତାଙ୍କୁ କପଡା ପିନ୍ଧାଇ ଥିଲେ । ଏହାପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପିପିଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ବଳଙ୍ଗା ଥାନା ପୋଲିସ ତନାଘନା ଆରମ୍ଭ କରିଛି। ଦୁର୍ବୃତ୍ତ ମାନେ କିଏ ଓ କାହିଁକି ନାବାଳିକାକୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।




