ଧନଦାତ୍ରୀ
ଓଡ଼ିଶାରେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାରର ପର୍ବ ପାଳନ ହୋଇଥାଏ, ଯାହା ଆମର କଳା,ସଂସ୍କୃତି ଓ ଐତିହ୍ୟକୁ ବହନ କରିଥାଏ । ସେହିଭଳି ଏକ ପର୍ବ ହେଲା କୁମାର ପୂର୍ଣ୍ଣିମା, ଯାହା କୁମାରୀମାନଙ୍କର ପର୍ବ । କୁମାର ପୂର୍ଣ୍ଣିମାର ବିଧି ଓ ମହତ୍ତ୍ବକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା...
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗତମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବୋଲି ମଧ୍ୟ ସମ୍ଭୋଧନ କରାଯାଇଥାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ରଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଆଦି କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ।

ବିଧି
ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହାସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ । ଏହି ଦିନ ଘରର କୁମାରୀମାନେ ଭୋର୍ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବହାର କରାଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନଙ୍କୁ ଶଙ୍ଖ ଓ ହୁଳହୁଳି ସହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି । ଗାଁ ଗହଳିର ଝିଅମାନେ ଗୀତ ଗାଇ ପୁଚି ଖେଳିଥାନ୍ତି । ପୁଅମାନେ ପଶା ଓ ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି । କେତେକ ଅଞ୍ଚଳରେ ଏହି ଦିନ ଘରର ଜ୍ୱାଇଁମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ। ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି । ଏହି ଓଷାର ଉଦ୍ଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ ।




