କିଏ କେଉଁଠାରୁ ହେଲେ କ୍ୟାବିନେଟ ମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଲୋକସେବା ଭବନର କନଭେନସନ ହଲରେ ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ ମିଳିଛି କ୍ୟାବିନେଟ୍ ମନ୍ତ୍ରୀ ପଦ I ତିନି ନୂଆ ମନ୍ତ୍ରୀ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ। ବିକ୍ରମ କେଶରୀ ଆରୁଖ : ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଲୋକସେବା ଭବନର କନଭେନସନ ହଲରେ ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ ମିଳିଛି କ୍ୟାବିନେଟ୍ ମନ୍ତ୍ରୀ ପଦ I ତିନି ନୂଆ ମନ୍ତ୍ରୀ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ।
ବିକ୍ରମ କେଶରୀ ଆରୁଖ : ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଓ ପରେ ଗତ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଏବଂ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ କଲ୍ ପାଇବା ପରେ ବିକ୍ରମ କେଶରୀ ଆରୁଖ ପ୍ରତିକ୍ରିୟା ରଖି କହିଛନ୍ତି, ନବୀନଙ୍କ ନିକଟରେ ସେ କୃତଜ୍ଞ। ତେବେ ଯେଉଁ ବିଭାଗ ମିଳିବ ଆନ୍ତରିକତାର ସହ ଦାୟିତ୍ୱ ତୁଲାଇବି ବୋଲି ସେ କହିଛନ୍ତି।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି।
ସୁଦାମ ମାରାଣ୍ଡି : ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରିଲେ ଆଦିବାସୀ ନେତା ସୁଦାମ ମାର୍ଣ୍ଡି । ସେ ବର୍ତ୍ତମାନ ବାଙ୍ଗିରିପୋଷିର ବିଧାୟକ ଅଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ପ୍ରମୁଖ ଆଦିବାସୀ ଚେହେରା ।ସୁଦାମ ମାରାଣ୍ଡି ୧୯୯୦ରେ ପ୍ରଥମଥର ପାଇଁ ବାଙ୍ଗିରିପୋଷିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୟୂରଭଞ୍ଜ ଲୋକସଭାରୁ ୨୦୦୪ରୁ ୨୦୦୯ ଯାଏ ସାଂସଦ ଥିଲେ ସୁଦାମ ମାର୍ଣ୍ଡି । ସେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ I ୨୦୧୯ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଦାୟିତ୍ୱରେ ରହିଥିଲେ । ତେବେ ତାଙ୍କୁ ୨୦୨୨ ଜୁନ୍ ୩ତାରିଖରେ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ପୁଣିଥରେ ପ୍ରାୟ ଏକ ବର୍ଷ ବ୍ୟବଧାନରେ ଆଜି ତାଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳକୁ ଫେରାଇ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଜନୀତିକ ସମୀକରଣ ଦୃଷ୍ଟିରୁ ସୁଦାମଙ୍କୁ ନବୀନ ପୁଣିଥରେ ମନ୍ତ୍ରୀ ପଦ ଦେଇଛନ୍ତି ।
ସାରଦା ନାୟକ : ଉରକେଲାର ୩ଥର ବିଧାୟକ ସାରଦା ପ୍ରସାଦ ନାୟକ ପୁଣିଥରେ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି I ୨୦୦୪ରେ ପ୍ରଥମ ଥର ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ପଶ୍ଚିମ ଓଡ଼ିଶାର ପ୍ରମୁଖ ଚେହେରା ସାରଦା ନାୟକ । ୨୦୦୯ରୁ ୨୦୧୧ ମଧ୍ୟରେ ଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ଶ୍ରୀ ନାୟକ ୨୦୦୯-୧୨ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଉପନିର୍ବାଚନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଥିଲେ ସାରଦା ନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି।




