ଆଜି ପବିତ୍ର ମହା ଶିବରାତ୍ରି,ଉତ୍ସବ ମୁଖର ଶିବାଳୟ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି। ମାଘ ମାସ କୃଷ୍ଣ ଚତୁର୍ଦଶୀ ତିଥିରେ ଏହା ପାଳନ କରାଯାଏ I ଏଥିଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ, ଆଖଣ୍ଡଳମଣି, କପିଳାସ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ […]

Samaya Live Picture
Published On

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି। ମାଘ ମାସ କୃଷ୍ଣ ଚତୁର୍ଦଶୀ ତିଥିରେ ଏହା ପାଳନ କରାଯାଏ I ଏଥିଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ। ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ, ଆଖଣ୍ଡଳମଣି, କପିଳାସ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି।ଏଥିପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତିି ହୋଇଛି।

ସେହିପରି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ସୈବ ପୀଠ ହରିଶଙ୍କରରେ ଆଜି ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଛି। ଜାଗର ଯାତ୍ରା ପାଇଁ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ସକାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ପ୍ରଥମେ ଭକ୍ତ ମାନେ ପାପନାଶିନୀ ଝରଣାରେ ଗାଧୋଇ ସାରିବା ପରେ ମନ୍ଦିର ଯାଇ ପୂଜା ଆରମ୍ଭ କରିବେ I ଏହି ଜାଗର ଯାତ୍ରାରେ ମହାପ୍ରଭୁଙ୍କ ମହାଦୀପ ରାତି ୧୧ଟାରେ ଉଠା ଯିବ ବୋଲି ମନ୍ଦିର ପୂଜକ ପ୍ରକାଶ କରିଛନ୍ତି।

ଅନ୍ୟପଟେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳ ଜିଲାର କପିଳାସରେ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମହା ଶିବରାତ୍ରି ଖୁବ ଉତ୍ସାହରେ ପାଳନ କରାଯାଉଛି I ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି I ଆଜି ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା, ରାତି ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଅନୁଷ୍ଠିତ ହେବ। ରାତି ୩ଟା ୫୫ ମିନିଟରେ ମହାଦୀପ ଉଠାଣ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେପଟେ ଆଜି ଦିନରେ ରାଜ୍ୟରେ ସମସ୍ତ ଶୈବ ପୀଠ ଚଳଚଞ୍ଚଳ ଥିବାବେଳେ ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ୍ । ଏହି ମନ୍ଦିରରେ ଜାରି ହୋଇଛି ୧୪୪ ଧାରା । ଗାଁରେ ଗୋଷ୍ଠୀ ବିବାଦ ପାଇଁ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ସାମ୍ନାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଜି ମହାଶିବରାତ୍ରିରେ ହେବାକୁ ଥିବା ଅଷ୍ଟପ୍ରହରୀ ନାମଯଜ୍ଞକୁ ବି ବନ୍ଦ କରିଛି ପ୍ରଶାସନ ।

 

 

Tags: