ଆଜି ଜନ୍ମମାଟିରେ ପଦାର୍ପଣ କରିବେ ମହାମହିମ ରାଷ୍ଟ୍ରପତି

ମୟୁରଭଞ୍ଜ : ଆଜି ନିଜ ଜନ୍ମମାଟି ଉପରବେଡାକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମହାମହିମଙ୍କ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜିଲ୍ଲାବାସୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି । ଏହା ପୂର୍ବରୁ ସକାଳେ […]

Samaya Live Picture
Published On

ମୟୁରଭଞ୍ଜ : ଆଜି ନିଜ ଜନ୍ମମାଟି ଉପରବେଡାକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମହାମହିମଙ୍କ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜିଲ୍ଲାବାସୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି । ଏହା ପୂର୍ବରୁ ସକାଳେ ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି। ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟାର୍ପଣ କରିଛନ୍ତି।

ସୂଚନା ମୁତାବକ ମହାମହିମ ରାଷ୍ଟ୍ରପତି ୬ ତାରିଖ ସକାଳ ୯ଟା ୨୫ମିନିଟ ସମୟରେ ବାୟୁସେନାର କଲେଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସେନାବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅନ୍ତର୍ଗତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ୧୦ ଟା ୦୫ ମିନିଟରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଉପରବେଡା ସରକାରୀ ଉପ୍ରା ବିଦ୍ୟାଳୟରେ ୧୦ ଟା ୨୫ ନିମିଟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ପରେ ଦିନ ୧୧ ଟା ୧୫ରେ ସଡ଼କ ପଥରେ ଯାଇ ଉପରବେଡା ସ୍ଥିତ ନିଜ ବାସଭବନରେ ପହଞ୍ଚିବେ । ସେଠାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଦିନ ୧୨ ଟାରେ ସଡ଼କପଥରେ ରାଇରଙ୍ଗପୁର ଅଭିମୁଖେ ଯାଇ ନିଜସ୍ୱ ବାସଭବନରେ ୧୨ ଟା ୩୦ ମିନିଟରେ ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ଭୋଜନ ସହ କିଛି ସମୟ କାଟିବା ପରେ ଅପରାହ୍ନ ୩ ଟାରେ ବାହାରି ୩ ଟା ୧୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଏସଏଲଏସ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକର୍ପଣ କରିବେ । ଏହାପରେ ଅପରାହ୍ନ ୪ ଟାରେ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଭାବ ବିନିମୟ କରିବେ । ସେଠାରୁ ଅପରାହ୍ନ ୪ ଟା ୪୦ ମିନିଟରେ ବାହାରି ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ପହଞ୍ଚି ସେଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ନୂତନ ଭାବେ ସ୍ଥାପିତ ଶ୍ରୀ ଗଣେଶଜୀଙ୍କ ଠାରେ ଆରତୀ ଓ ପୂଜାର୍ଚ୍ଚନା କରିବେ । ଅପରାହ୍ନ ୫ ଟା ୨୫ ରେ ସଡ଼କ ପଥରେ ନିଜ ବାସଭବନକୁ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ମହାମହିମଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Tags: