ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
ଶୁଭ ଜନ୍ମଦିନ
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଜଣେ ସୁଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ । ସେ ରାଜ୍ୟର ମଙ୍ଗଳ ତଥା ପ୍ରଜାଙ୍କ ହିତ ପାଇଁ ସର୍ବଦା ଚେଷ୍ଟିତ ଥିଲେ । ଶ୍ରୀରାମଚନ୍ଦ୍ର ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ । ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୧୭ ଡିସେମ୍ବର ୧୮୭୦ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର ଭଞ୍ଜ । ମହାରାଜାଙ୍କ ବାଲ୍ୟଶିକ୍ଷା ବାରିପଦାରେ ସମାପ୍ତ ହୋଇଥିଲା । ମାତ୍ର ୯ ବର୍ଷ ବୟସରେ ସେ ପିତୃହରା ହୋଇଥିଲେ । ପିତାଙ୍କ ମୃତ୍ୟୁ ପରେ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ଛୋଟ ଲାଲ୍ସାହେବଙ୍କ ସହାୟତାରେ ସେ ବିଦ୍ୟା ଅଧ୍ୟୟନ କରିଥିଲେ । ଶ୍ରୀରାମଚନ୍ଦ୍ର ଏହାପରେ ମୟୂରଭଞ୍ଜରୁ ଯାଇ କଟକରେ ଥିବା ମୟୂରଭଞ୍ଜ ଭବନରେ ଗୁରୁ ବ୍ରେଟାମ୍ କିଡ଼େଲ୍ ସାହାବଙ୍କ ପାଖରେ ଦୀର୍ଘ ୧୨ବର୍ଷ କାଳ ରହି ବିଦ୍ୟା ଅଧ୍ୟୟନ କରିଥିଲେ । ପ୍ରଜା ପାଳନ ରାଜାର ଧର୍ମ ଏ କଥା ଶ୍ରୀରାମଚନ୍ଦ୍ରଙ୍କୁ ଖୁବ୍ ଭଲଭାବେ ଜଣାଥିଲା । ରାଜଦଣ୍ଡ ଧରିବା ପରେ ଶ୍ରୀରାମଚନ୍ଦ୍ର ରାଜନୀତି ଓ ଦର୍ଶନଶାସ୍ତ୍ରକୁ ଭଲକରି ପଢ଼ିବାରେ ଲାଗିଲେ । ଏହି ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାର୍ଯ୍ୟଶୈଳୀ ସମଗ୍ର ରାଜ୍ୟରେ ଗୁଞ୍ଜରିତ ହେଉଥିଲା । ତାଙ୍କ ଗୁଣରେ ମୁଗ୍ଧ ହୋଇ ଶ୍ରୀରାମଚନ୍ଦ୍ର ତାଙ୍କୁ ରାଜ୍ୟ ସରକାରଙ୍କ ଓକିଲ ପଦରେ ନିଯୁକ୍ତି କରିଥିଲେ । ପଣ୍ଡିତ ଗୋପବନ୍ଧୁ ସେତେବେଳେ ସକଳ କାର୍ଯ୍ୟରେ ତାଙ୍କର ପରମ ସଖା ରୂପେ ପରାମର୍ଶଦାତା ଥିଲେ । ଶ୍ରୀରାମଚନ୍ଦ୍ର ଓ ଗୋପବନ୍ଧୁଙ୍କ ମଧ୍ୟରେ ଏପରି ଘନିଷ୍ଠ ବନ୍ଧୁତା ଥିଲାଯେ, କୌଣସି କାର୍ଯ୍ୟ କଲାବେଳେ ଶ୍ରୀରାମଚନ୍ଦ୍ର, ଗୋପବନ୍ଧୁଙ୍କ ପରାମର୍ଶ ନେଉଥିଲେ । ତାଙ୍କ ନାମ ଅନୁସାରେ କଟକରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ସ୍ଥାପନା କରାଯାଇଅଛି । ଓଡ଼ିଶାର ଉନ୍ନତି ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି ଯାହା ତାଙ୍କୁ ଆଜି ବି ଲୋକଙ୍କ ସ୍ମୃତିରେ ଜୀବନ୍ତ ରଖିଛି । ତେବେ ଏହି ବିଶିଷ୍ଟ ବ୍ୟକ୍ତିଙ୍କର ୧୯୧୨ ମସିହା ଫେବୃଆରୀ ମାସ ୨୨ତାରିଖରେ ଦେହାନ୍ତ ହୋଇଥିଲା ।




