ଆମ ସଂସ୍କୃତିରେ ରକ୍ଷା ବନ୍ଧନ
ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଓ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ବିଶ୍ୱ ବିଦିତ । ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ଧର୍ମ ସଂସ୍କୃତି ତଥା ଇତିହାସର ପ୍ରାଣକେନ୍ଦ୍ର । ଓଡ଼ିଶାରେ ବାରମାସରେ ଅନୁଷ୍ଠିତ ହୁଏ ତେର ପର୍ବ । ଶ୍ରାବଣ ମାସ ହେଉଛି ବର୍ଷା ବା ବାରିଧାରାର ମାସ । ଏହି ମାସରେ ପଡେ ଚିତଉ ଅମାବାସ୍ୟା, ବୋଲେବମ ଭକ୍ତଙ୍କର ଶିବଙ୍କୁ ଜଳଲାଗି କରିବାର ଓଷା, ଝୁଲଣ ଯାତ୍ରା, ରାଖୀ ପୂର୍ଣ୍ଣିମା ବା […]
ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଓ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ବିଶ୍ୱ ବିଦିତ । ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ଧର୍ମ ସଂସ୍କୃତି ତଥା ଇତିହାସର ପ୍ରାଣକେନ୍ଦ୍ର । ଓଡ଼ିଶାରେ ବାରମାସରେ ଅନୁଷ୍ଠିତ ହୁଏ ତେର ପର୍ବ । ଶ୍ରାବଣ ମାସ ହେଉଛି ବର୍ଷା ବା ବାରିଧାରାର ମାସ । ଏହି ମାସରେ ପଡେ ଚିତଉ ଅମାବାସ୍ୟା, ବୋଲେବମ ଭକ୍ତଙ୍କର ଶିବଙ୍କୁ ଜଳଲାଗି କରିବାର ଓଷା, ଝୁଲଣ ଯାତ୍ରା, ରାଖୀ ପୂର୍ଣ୍ଣିମା ବା ବଳଭଦ୍ର ଜନ୍ମ ।

ଅଥର୍ବ ବେଦ ରେ ଶ୍ରାବଣ ମାସଟିକୁ ଅଜଗର ସହିତ ତୁଳନା କରାଯାଏ । ପୁରାଣ କହେ ସର୍ପଘାତରୁ ମୁକୁଳିବା ବା କାଳଗ୍ରାସ ନ କରିବା ଭାବନାର ବଶବର୍ତ୍ତୀ ହୋଇ ରାଜା ପରୀକ୍ଷିତ ଭାଗବତ ବାଣୀ ଶୁଣିଥିଲେ । ନନ୍ଦରାଜା କର୍କୋଟକ ସର୍ପର ପ୍ରସାଦରୁ ନାରଦଙ୍କ ପରାମର୍ଶ କ୍ରମେ ସମସ୍ତ ସମ୍ପତ୍ତି ଲାଭ କରିଥିଲେ ଏବଂ ନାଗରାଜାଙ୍କ କନ୍ୟା ନାଗାବଳୀଙ୍କୁ ବୀର ଧନଞ୍ଜୟ ବିବାହ କରିଥିଲେ ବର୍ଷା ଦିନରେ । ଭୌଗଳିକ ଆଚାର ବିଚାରରେ ଶ୍ରାବଣ ମାସକୁ ବାରିଧାରା ମାସ ବୋଲି ବିବେଚନା କରାଯାଉଥିବା ବେଳେ ଆଧ୍ୟାତ୍ମିକ ଦର୍ଶନରେ ଏହା ଦେବ ଦେବ ମହାଦେବଙ୍କ ପ୍ରିୟ ମାସ । ଶୈବ ଉପାସନା ତଥା ବୋଲେବମ ଭକ୍ତଙ୍କର ଶିବଙ୍କ ମସ୍ତକରେ ଜଳ ଲାଗି କରିବାପାଇଁ ଭକ୍ତମାନେ କାନ୍ଧରେ ବାହୁଙ୍ଗିରେ କଳସୀ ବା କଂସା ପିତ୍ତଳ ଢାଳରେ ପାଣିଭାର ନେଇ , ଗେରୁଆ ଓଦା ବସ୍ତ୍ର ପରିହିତ କରି ତୁଣ୍ଡରେ ଶିବ ଧ୍ୱନି ସହିତ ଅନେକ ପଥ ଅତିକ୍ରମ କରି ଶୈବ ପୀଠମାନଙ୍କରେ ଜଳଲାଗି କରନ୍ତି ।

ଝୁଲଣ ଯାତ୍ରା

ଏହି ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପ୍ରତିପଦ ଯାଏଁ ସାତଦିନ ପାଳିତ ହୁଏ । ଏହି ଯାତ୍ରା ଷୋଡଶ ଶତାବ୍ଦୀ ର ମଧ୍ୟଭାଗ କିମ୍ବା ସପ୍ତଦଶ ଶତାବ୍ଦୀ ର ପ୍ରଥମ ଭାଗରୁ ଆରମ୍ଭ ହୋଇଥିବା ଜଣାଯାଏ । ରାଜା ବୀରକିଶୋର ଦେବ ପ୍ରଥମ ଓ ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ସମୟରେ ଶ୍ରୀମନ୍ଦିର ସମେତ ମଠମାନଙ୍କରେ ଝୁଲଣ ଯାତ୍ରା ହେଉଥିଲା । ଝୁଲଣ କୁଞ୍ଜରେ ଓ ଝୁଲଣ ଦୋଳିରେ ଶ୍ରୀମନ୍ଦିର ବ୍ୟତୀତ ଅନେକ ସ୍ଥାନରେ ଲକ୍ଷ୍ମୀ ନୃସିଂହ, ରାଧାକୃଷ୍ଣ ବିଗ୍ରହ ରଖି ଝୁଲଣ କାର୍ଯ୍ୟ ହୁଏ । ଗୌଡୀୟ ବୈଷ୍ଣବମାନେ ଏହାକୁ ଶ୍ରୀରାଧା ( ଜିବାତ୍ମା) ଓ ଶ୍ରୀକୃଷ୍ଣ (ପରମାତ୍ମା)ଙ୍କ ଶୂନ୍ୟମଣ୍ଡପରେ ଅପୂର୍ବ ଲୀଳାର ପ୍ରକାଶ ଭାବି ଆନନ୍ଦିତ ହୋଇଥାନ୍ତି । ରାଧାକୃଷ୍ଣ ଯୁଗଳ ଲୀଳା ଜୀବ ପରମେ ନେଇ ମିଳା । ମନ୍ଦିରମାନଙ୍କରେ ସାଜସଜ୍ଜା ସାଙ୍ଗକୁ ଝୁଲଣ ଯାତ୍ରାରେ ସ୍ୱାଦିଷ୍ଟ ଭୋଗ ସାଙ୍ଗକୁ ଗୋଟିପୁଅ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ, ପାଲା ଭକ୍ତଙ୍କୁ ଆକର୍ଷିତ କରିଥାଏ ।

ଝୁଲଣ ପର୍ବ ଦିନ ବଳଭଦ୍ରଙ୍କ ଜନ୍ମ । ରାକ୍ଷୀ ଏକ କୃଷିଭିତ୍ତିକ ପର୍ବ । ଏହିଦିନ ଓଡ଼ିଶାର ଘରେ ଘରେ କୃଷକର ସାଥି କୃଷିକାମର ମହାନାୟକ ବଳିବର୍ଦ୍ଦ ପୂଜାହୁଏ । ବଳଦମାନଙ୍କୁ ପୂଜା କରି ଫୁଲମାଳ ପିନ୍ଧାଇ, ହଳଦୀ ସିନ୍ଦୂର ଲଗାଇ ପିଠା ଖୁଆଇବାର ପରମ୍ପରା ରହିଛି । ସେମାନଙ୍କ ସିଂଘ ରେ କେହି ରାକ୍ଷୀ ବାନ୍ଧିଥାନ୍ତି । ଏହିଦିନ କେନ୍ଦ୍ରାପଡା ଶ୍ରୀବଳଦେବ ଜିଉଙ୍କର ଜନ୍ମୋତ୍ସବ ପାଳିତ ହୁଏ ଶ୍ରୀ ବଳଭଦ୍ରଦେବଙ୍କୁ ଏହିଦିନ ଏକଲକ୍ଷ ତୁଳସୀ ପ୍ରଦାନ କରାଯାଏ । ସେଥିପାଇଁ କେନ୍ଦ୍ରାପଡାର ତୁଳସୀ କ୍ଷେତ୍ର ନାମରେ ପ୍ରସିଦ୍ଧି ରହିଛି । ଶ୍ରାବଣ ପୂର୍ଣ୍ଣିମାକୁ ଝୁଲଣ ଯାତ୍ରା କୁହାଯାଏ । ଶ୍ରାବଣ ଶୁକ୍ଳଦଶମୀ ତିଥିରୁ ରାଧାକୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲଣ ଆରମ୍ଭ ହୁଏ । ଗହ୍ମା ପୂର୍ଣ୍ଣମୀ ଦିନ ଏହି ଯାତ୍ରା ଶେଷହୁଏ । ଏହା ହେଉଛି ରାଧାକୃଷ୍ଣ ଙ୍କର ବର୍ଷାକାଳୀନ ରାସୋତ୍ସବ । ବୃନ୍ଦାବନରେ ଗୋପୀମାନେ କୁଞ୍ଜବନରେ ଶ୍ରୀକୃଷ୍ଣ ।ଙ୍କୁ ଲତା ଦୋଳିରେ ବସାଇ ଝୁଲାଉଥିଲେ । ଏହା ରାଧାକୃଷ୍ଣଙ୍କ ଦିବ୍ୟଲୀଳାର ପ୍ରତୀକ । ପ୍ରାୟତଃ ଷୋଡଶ ଶତାବ୍ଦୀଠାରୁ ଭାରତର ବୈଷ୍ଣବ ସମ୍ପ୍ରଦାୟ ଓ ମଠ ମନ୍ଦିରରେ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଆସୁଛି । ପୁରୀ ମନ୍ଦିରରେ ଏହି ପର୍ବ ଆଡମ୍ବର ସହକାରେ ପାଳିତ ହୁଏ ।
ରକ୍ଷା ବନ୍ଧନ

ରାକ୍ଷୀ ପୂର୍ଣ୍ଣିମା ଏକ ସର୍ବ ଭାରତୀୟ ଗଣପର୍ବ । ଏହିଦିନ ଭଉଣୀ ତାର ଭାଇ ହସ୍ତରେ ରାଖୀ ବାନ୍ଧି ମିଠା ଖୁଆଏ । ଭାଇ ମଧ୍ୟ ଭଉଣୀକୁ ଖୁସିରେ କିଛି ଉପହାର ଦିଏ । ଭାଇ ଭଉଣୀର ସୁରକ୍ଷା ପାଇଁ ଶପଥ ନିଏ । ଭାଇ ଭଉଣୀର ସମ୍ପର୍କ ଅତୁଟ ରୁହେ । ବିଶେଷ କରି ଉତ୍କଳୀୟ ପରମ୍ପରାରେ ଭଉଣୀ ସୁଭଦ୍ରା, ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଆସୀନା । ପୁରୋହିତମାନେ ଜଯମାନଙ୍କ ହାତରେ ରାକ୍ଷୀ ବନ୍ଧନ କରି ଆଶୀର୍ବାଦ କରିଥାନ୍ତି । ଏହିଦିନ ଉପବୀତ ମଧ୍ୟ ବଦଳାଯାଏ । ପୁରୁଣା ବାହାର କରି ନୂଆ ପିନ୍ଧାଯାଏ । ଭାରତୀୟ ସଂସ୍କୃତିରେ ଦୁଇଟି ମହତ୍ୱପୂର୍ଣ୍ଣ ସର୍ବମାନ୍ୟ ପ୍ରତୀକ ହେଉଛି ଶିଖା ଓ ସୂତ୍ର । ମୁଣ୍ଡନ ସମୟରେ ସ୍ଥାପିତ କରାଯାଇଥିବା ଶିଖା ହେଲା ଭାରତୀୟ ସଂସ୍କୃତି ପ୍ରତି ଆସ୍ଥା ପ୍ରକଟ ଶ୍ରାବଣୀ ପର୍ବରେ ପୁରାତନ ପଇତା ବଦଳାଯାଏ । ଶିଖା ସିଞ୍ଚନ ଓ ଯଜ୍ଞପବିତ ନବୀକରଣ ଏକ ପ୍ରକାର ବାର୍ଷିକ ସଂସ୍କାର ଅଟେ । ଶିଖା ମସ୍ତିଷ୍କର କେନ୍ଦ୍ରବିନ୍ଦୁ । ଏହାକୁ ସ୍ପର୍ଶ କଲେ ଶକ୍ତିର ସଂଚାର ହୁଏ । ଶିଖା ଧାରଣ ଦ୍ୱାରା
ଆଧ୍ୟାତ୍ମିକତା ଦିଗରେ ମନ ଯାଏ ।
ବଳି ହାତରେ ରାକ୍ଷୀ

ବାମନ ଅବତାରରେ ଭଗବାନ ବିଷ୍ଣୁ ତିନିପାଦ ଭୂମି ମାଗି ରାଜା ବଳୀଙ୍କର ସର୍ବସ୍ୱ ସମ୍ପଦ ଲୁଟିନେଇଥିଲେ । ପ୍ରଥମ ପାଦରେ ସ୍ୱର୍ଗ, ଦ୍ୱିତୀୟ ପାଦରେ ମର୍ତ୍ତ୍ୟ ଓ ତୃତୀୟ ପାଦ ବଳିଙ୍କ ମଥାରେ ରଖି ପାତାଳକୁ ଚାପି ଦେଇଥିଲେ । ବଳିରାଜାଙ୍କ ସହିତ ସଂକଳ୍ପ ବଦ୍ଧ ହୋଇ ଭଗବାନ ବାମନ ତାଙ୍କ ସିଂହ ଦ୍ୱାରରେ ଦ୍ୱାରପାଳ ଭାବେ ରହିଲେ । ଲକ୍ଷ୍ମୀ ଏହା ଜାଣିବାପରେ ନାରଦଙ୍କ ଉପଦେଶ କ୍ରମେ ରାକ୍ଷୀ ପୂର୍ଣ୍ଣିମା ଦିନ ବଳିଙ୍କ ହାତରେ ରାକ୍ଷୀ ବନ୍ଧନ କରିଥିଲେ ଉପହାର ସ୍ୱରୂପ ବଳିରାଜ ବିଷ୍ଣୁ ବାମନଙ୍କୁ ବୈକୁୁଣ୍ଠ ଫେରାଇ ଦେଇଥିଲେ ।
ତ୍ରେତୟାରେ ଭଗବାନ ରାମ ରାବଣ ସହିତ ଯୁଦ୍ଧ କରିଥଲେ । ଯୁଦ୍ଧରେ ରାବଣ ନାନାଦି ମାୟା ରଚନା କଲା । ମହର୍ଷି ଅଗସ୍ତିଙ୍କର ପରାମର୍ଶ କ୍ରମେ ପ୍ରଭୁ ଶ୍ରୀରାମ ମାୟାକୁ ଛେଦନ ନିମନ୍ତେ ଶ୍ରୀ ସୂର୍ଯ୍ୟଦେବଙ୍କ ଉପାସନା କଲେ । ଶ୍ରାବଣ ପୂର୍ଣ୍ଣିମାରେ ଭଉଣୀ ରାକ୍ଷୀ ବନ୍ଧନ କଲେ ମାୟା ଦୂରୀଭୂତ ହୁଏ ବୋଲି କହିଲେ । ତଦନୁଯାୟୀ ଭଉଣୀ ଶାନ୍ତା ଶ୍ରାବଣ ପୂର୍ଣ୍ଣିମା ତିଥିରେ ଶ୍ରୀରାମଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ମାୟା ଦୂରୀଭୂତ ହେଲା ପ୍ରଭୁ ଜୟ ଲାଭ କଲେ ।
ଦ୍ୱାପର ଯୁଗରେ କୃଷ୍ଣଙ୍କ ହାତରେ ରାକ୍ଷୀ

କୌରବଙ୍କ ଆକ୍ରୋଶରୁ ପୁଅମାନଙ୍କୁ ରକ୍ଷା କରିବା ଅଭିପ୍ରାୟରେ କୁନ୍ତୀ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପାଣ୍ଡବମାନଙ୍କ ସୁରକ୍ଷା ପାଇଁ କୁନ୍ତୀ ନିଜ ପୁଅମାନଙ୍କ ହାତରେ ରକ୍ଷାବନ୍ଧନ କରିଥିଲେ । ଗୋପୀମାନେ ବାଳକ କୃଷ୍ଣ ଉପରକୁ କିଛି ବିପତ୍ତି ନଆସୁ ଏହି ଆଶାରେ ତାଙ୍କୁ ରାକ୍ଷୀ ପିନ୍ଧାଇ ମଙ୍ଗଳ ମନାସୁଥିଲେ ।
ବଳଭଦ୍ରଙ୍କ ହାତରେ ରାକ୍ଷୀ
ବଳଭଦ୍ର ଶ୍ରବଣା ନକ୍ଷତରେଅ ଯୁକ୍ତ ଶ୍ରାବଣ ମାସର ରାକ୍ଷୀ ପୂର୍ଣ୍ଣମୀରେ ମକର ଲଗ୍ନରେ ଜନ୍ମ ହୋଇଥିଲେ । ସେ କୃଷିର ଆଦ୍ୟ ପ୍ରବର୍ତ୍ତକ କୃଷିଦେବତା । ରାକ୍ଷୀ ପୂର୍ଣ୍ଣିମା ଦିନ ବିଭିନ୍ନ ସ୍ଥାନରେ ବଳଭଦ୍ରଙ୍କ ଜନ୍ମୋତ୍ସବ ବଡ ଆଡମ୍ବର ସହକାରେ ପାଳିତ ହୋଇଥାଏ । ଏହିଦିନ ଶ୍ରୀଜୀଉମାନଙ୍କୁ ଶ୍ରୀ ମନ୍ଦିରରେ ବୋଇରାଣୀ ପତନୀ ନୂଆଲୁଗା ଲାଗିହୁଏ । ଶ୍ରୀଜୀଉମାନେ ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀଭୁଜରେ ପାଟରା ବିଶୋୟୀ ଯୋଗାଇଥିବା ୪ ଟି ପାଟରାକ୍ଷୀ ଦୁଇଭୁଜରେ ପିନ୍ଧନ୍ତି ।
ଗୋମାତା ବେକରେ ରାକ୍ଷୀ

ଗୋମାତା ଶବ୍ଦ ଗହ୍ମା ଶବ୍ଦରୁ ଉଦ୍ଭବ । ରକ୍ଷା ପୂର୍ଣ୍ଣିମା ଏକ କୃଷିପର୍ବ । ଓଡ଼ିଶାର ଜନଜୀବନ କୃଷିକର୍ମ ସହିତ ଜଡିତ । ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟରେ ଏହି ପର୍ବକୁ ଆନନ୍ଦ ସହକାରେ ପାଳନ କରାଯାଏ ଗୋ ସମ୍ପଦ ପୁରପଲ୍ଲୀର ସବୁଠାରୁ ବଡ଼ ସମ୍ପଦ । ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ପାଇଁ ଗୋମାତାର ଦାନ ଅତୁଳନୀୟ । ଗହ୍ମା ପର୍ବ ଦିନ ବଳଦେବଙ୍କ ସହିତ ଗୋଜାତି ପୂଜା କରାଯାଏ । କୃଷକମାନେ ଏହିଦିନ ଗାଈ ଗୋରୁଙ୍କୁ ହଲଲଙ୍ଗଳ ସହିତ ଧୋଇ ଧାଇ ଚନ୍ଦନ ସିନ୍ଦୂର ହଳଦୀ କୁଂକୁମ ଫୁଲ ଧୂପ ଦୀପ ଦେଇ ପୂଜା କରିଥାନ୍ତି । ରାକ୍ଷୀ ସହିତ ଉପବୀତ ପଇତା ପିନ୍ଧାଯାଏ । ପିଠା ଓ ମିଠା ଖାଇବାକୁ ଦିଆଯାଏ । ଗହ୍ମା ପୂର୍ଣ୍ଣିମାରେ ବଳିବର୍ଦ୍ଧଙ୍କ ପୂଜା କଲେ କୃଷିକ୍ଷେତ୍ରରେ ଉନ୍ନତି ହୋଇଥାଏ ।
ଇତିହାସରେ ରାକ୍ଷୀ

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମାସିଡୋନିଆର ରାଜା ଗ୍ରୀକ ବୀର ଆଲେକଜାଣ୍ଡାର ଥରକୁ ଥର ଭାରତ ଆକ୍ରମଣ କରି ରାଜା ପୁରୁଙ୍କ ଠାରୁ ପରାସ୍ତ ହେଉଥାନ୍ତି । ସ୍ୱାମୀଙ୍କ ପରାଜୟରେ ଲଜ୍ଜିତ ହୋଇ ଆଲେକଜାଣ୍ଡାରଙ୍କ ପତ୍ନୀ ସ୍ୱାମୀଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଲେ । ସମ୍ପର୍କ ଯୋଡିବାପାଇଁ ସେ ରାଜା ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପଠାଇଲେ ଓ ତାଙ୍କୁ ଭଉଣୀ ରୂପେ ଗ୍ରହଣ କରିବାକୁ ଅନୁରୋଧ ଜଣାଇଲେ । ପୁରୁ ତାଙ୍କର ଏ ଇଚ୍ଛାକୁ ପୂରଣ କଲେ ଏବଂ ଆଲେକଜାଣ୍ଡାରଙ୍କ କୌଣସି କ୍ଷତି କରିବେନି ବୋଲି ପ୍ରତିଶ୍ରୁତି ଦେଲେ ।
ମୁସଲମାନ ଶାସକଙ୍କ ହାତରେ ରାକ୍ଷୀ
ଅତ୍ୟାଚାରୀ ମୁସଲମାନ ଶାସକଙ୍କଠାର ସତୀତ୍ୱ ଓ ପତିବ୍ରତାର ସୁରକ୍ଷା ପାଇଁ ରାଜପୁତ ରମଣୀମାନେ ସେମାନଙ୍କ ପଡୋଶୀ ରାଜାଙ୍କ ନିକଟକୁ ରାକ୍ଷୀ ପଠାଇ ଭାଇଚାରା ସମ୍ପର୍କ ଯୋଡୁଥିଲେ ।
ହୁମାୟୁନ୍ଙ୍କ ହାତରେ କର୍ଣ୍ଣାବତୀଙ୍କ ରାକ୍ଷୀ

ମୋଗଲ ବାଦଶାହ ହୁମାୟୁନ ଙ୍କ ଚିତୋର ଆକ୍ରମଣ ପାଇଁ ଆଗେଇ ଆସୁଥିବା ବେଳେ ରାଣାସଙ୍ଘଙ୍କ ବିଧବା ପତ୍ନୀ କର୍ଣ୍ଣାବତୀ ହୁମାୟୁନ୍ଙ୍କ ନିକଟକୁ ରାକ୍ଷୀଟିଏ ପଠାଇଦେଲେ । ଫଳରେ ହୁମାୟୁନ୍ ରାକ୍ଷୀକୁ ସ୍ୱୀକାର କରି ଚିତୋର ଆକ୍ରମଣ ପରିତ୍ୟାଗ କରିଥିଲେ ।
ସିକନ୍ଦରଙ୍କ ପତ୍ନୀ ଓ ପୁରୁ

ସିକନ୍ଦରଙ୍କ ପତ୍ନୀ ନିଜର ପତିଙ୍କ ହିନ୍ଦୁ ଶତ୍ରୁ ପୁରୁଙ୍କ ହାତରେ ରାକ୍ଷୀଟିଏ ବାନ୍ଧି ତାଙ୍କୁ ଭାଇର ମର୍ଯ୍ୟାଦା ଦେଇଥିଲେ । ଯୁଦ୍ଧ ସମୟରେ ସିକନ୍ଦରଙ୍କୁ ହତ୍ୟା ନ କରିବାପାଇଁ ତାଙ୍କଠାରୁ ଶପଥ କରାଇଥିଲେ । ଏହି ବଚନ ରକ୍ଷାକରି ଯୁଦ୍ଧ ପରାସ୍ତ ସିକନ୍ଦରଙ୍କୁ ସେ ହତ୍ୟା ନକରି ମୁକ୍ତ କରିଦେଇଥିଲେ ।
ଇନ୍ଦ୍ରଙ୍କ ହାତରେ ଇନ୍ଦ୍ରାଣୀଙ୍କ ରାକ୍ଷୀ

ଦେବତା ଓ ଦାନବଙ୍କ ଭିତରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରେ ଦେବତାମାନେ ଦୁର୍ବଳ ହେବାରେ ଲାଗିଥିଲେ । ଇନ୍ଦ୍ର ନିରାଶ ହୋଇ ପଡ଼ିଥିଲେ । ଏହାଦେଖି ଇନ୍ଦ୍ରଙ୍କ ପତ୍ନୀ ଶଚି ବିଧାନ ପୂର୍ବକ ଏକ ରକ୍ଷାସୂତ୍ର ପ୍ରସ୍ତୁତ କରିଥିଲେ । ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମାରେ ବ୍ରାହ୍ମଣଙ୍କ ଦ୍ୱାରା ଦେବରାଜ ଇନ୍ଦ୍ରଙ୍କ ହାତରେ ତାହାକୁ ବନ୍ଧାଇଥିଲେ । ଦେବତାମାନେ ଯୁଦ୍ଧରେ ବିଜୟ ଲାଭ କରିବାରୁ ବ୍ରାହ୍ମଣଙ୍କ ମାଧ୍ୟମରେ ରକ୍ଷାବନ୍ଧନ ପର୍ବ ପାଳିତ ହେଉଥିବା କୁହାଯାଏ ।
କୃଷ୍ଣଙ୍କ ହାତରେ ଦ୍ରୌପଦୀଙ୍କ ରାକ୍ଷୀ
ଶିଶୁପାଳର ମସ୍ତକକୁ ଚକ୍ରରେ କାଟିବା ପରେ ଚକ୍ରଟି ପୁଣି ଯେତେବେଳେ ଶ୍ରୀକୃଷ୍ଣଙ୍କ ହାତକୁ ଫେରି ଆସିଥିଲା ସେଥିରେ ତାଙ୍କର ଅଙ୍ଗୁଳି କଟିଯାଇ ରକ୍ତ ବହିବାକୁ ଲାଗିଲା । ଏହାଦେଖି ଦ୍ରୌପଦୀ ନିଜର ଶାଢ଼ୀ କାନିକୁ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ । ଏହି ଘଟଣାରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସୁରକ୍ଷା ଦେବାପାଇଁ ବଚନବଦ୍ଧ ହୋଇଥିଲେ । ଦ୍ରୌପଦୀ ବସ୍ତ୍ରହରଣ ସମୟରେ ଶ୍ରୀକୃଷ୍ଣ ବସ୍ତ୍ର ଯୋଗାଇ ଦ୍ରୌପଦୀଙ୍କ ଲଜ୍ଜା ନିବାରଣ କରିଥିଲେ ।
ପୂର୍ବରୁ ପୁରୁଷମାନେ ଯୁଦ୍ଧ କ୍ଷେତ୍ରକୁ ଯିବା ଆଗରୁ ନାରୀମାନେ ଈଶ୍ୱରଙ୍କୁ ପୂଜା କରି ସେମାନଙ୍କ ହାତରେ ରକ୍ଷାବନ୍ଧନ କରୁଥିଲେ । ଉତ୍ତର ଭାରତରେ ଏହାକୁ କାଜରି ପୂର୍ଣ୍ଣିମା କୁହାଯାଏ ।
ସ୍ୱାଧୀନତା ସଂଗ୍ରାମୀ ହାତରେ ରାକ୍ଷୀ
୧୯୦୫ ମସିହାରେ ରବୀନ୍ଦ୍ରନାଥ ଠାକୁର ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ପ୍ରେମ ଓ ଏକତାର ବନ୍ଧନକୁ ଦୃଢ଼ୀଭୂତ କରିବା ଉଦ୍ଦେଶ୍ୟରେ ରକ୍ଷାବନନକୁ୍ ବ୍ୟାପକ କରିଥିଲେ ବଙ୍ଗବାସୀମାନେ ବଙ୍ଗଭଙ୍ଗକୁ ବିରୋଧ କରିଥିଲେ ଇଂରେଜ ବିରୁଦ୍ଧରେ ଲଢ଼ିଥିଲେ । ରବୀନ୍ଦ୍ରନାଥ ଭାଇଚାରା ଓ ଏକତାର ପ୍ରତୀକ ଭାବେ ରକ୍ଷାବନ୍ଧନକୁ ପାଳନ କରୁଥିଲେ ।

ଭାଇ ହାତରେ ରାକ୍ଷୀ
ଭଉଣୀଟିଏ ଭାଇ ହାତରେ ଅତି ସ୍ନେହ ଶ୍ରଦ୍ଧାରେ ରାକ୍ଷୀ ବାନ୍ଧି ଦେଇଥାଏ । ସ୍ନେହପ୍ରେମର ମହାମିଳନରେ ଉଭୟେ ମଧୁର ଅନୁଭବରେ ଆଲ୍ହାଦିତ ହୁଅନ୍ତି । ରାକ୍ଷୀରେ ଭଉଣୀର ସ୍ନେହ କଲ୍ୟାଣ ଭାବ ଥାଏ । ସିନ୍ଦୁର ଚନ୍ଦନ ଲଗାଇ ଦୀପରେ ବନ୍ଦାପନା କରି ଈଶ୍ୱରଙ୍କ ନିକଟରେ ଦୀର୍ଘ ଆୟୁ କାମନା କରେ । ବିପଦ ଆପଦରେ ଭଉଣୀକୁ ସୁରକ୍ଷା ଯୋଗାଇ ଛାଇ ପରି ରହି ତାର ସ୍ନେହ ମମତାର ମୂଲ୍ୟ ରଖିବା ରକ୍ଷାବନ୍ଧନର ଅଭିପ୍ରାୟ । ଭଉଣୀ ଭାଇକୁ ମିଠା ଖୁଆଏ ଭାଇ ଖୁସିରେ ଉପହାର ଦିଏ ।
ରାକ୍ଷୀରେ ଗହ୍ମାଡିଆଁ
ଓଡ଼ିଶାର ସାମରିକ ପରମ୍ପରାରେ ଗହ୍ମା ପୂର୍ଣ୍ଣିମା ଅତ୍ୟନ୍ତ ତାତ୍ପର୍ଯ୍ୟ ପୂର୍ଣ୍ଣ । ପାଇକମାନେ ନୂତନ ରଣକୌଶଳର ଅଭ୍ୟାସ ପାଇଁ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭଙ୍କର ମନେ କରୁଥିଲେ । ଏବେ ମଧ୍ୟ ପାଇକମାନଙ୍କ ସମାରଭ୍ୟାସ ଗହ୍ମାଡିଆଁ ରୂପେ ପରିଚିତ ।

ଶାନ୍ତି,ପ୍ରୀତି ସ୍ନେହ ବନ୍ଧନର ପ୍ରତୀକ ରାକ୍ଷୀ । ଏହା ନାରୀ ଜାତି ପ୍ରତି ସମ୍ମାନ ଓ ଦାୟିତ୍ୱବୋଧ ର ଜାଗରଣ ସଞ୍ଚାର କରିଥାଏ । ସମ୍ପର୍କ, ସହୃଦୟତା ଓ ସଂହତିର ଭାବ ଉଦ୍ରେକ କରି ସାମାଜିକ ଜୀବନକୁ ସମୃଦ୍ଧ କରି ଗଢିତୋଳେ । ପରିବାର ସୀମା ଡେଇଁ ଦେଶର ସୀମାକୁ ଯାଇ ସୈନିକ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଦେଶବାସୀଙ୍କ ଭ୍ରାତୃପ୍ରେମ ଭାବନା ବୃଦ୍ଧି କରନ୍ତି । ବୃକ୍ଷକୁ ରାକ୍ଷୀ ବାନ୍ଧି ପରିବେଶ ସ;ୁଳନ ର ସଚେତନ ବାର୍ତ୍ତା ଦିଅନ୍ତି । ପାରସ୍ପରିକ ବନ୍ଧୁପ୍ରୀତି ଏକତା ଧାର୍ମିକ ଚେତନା ଆମ କର୍ମକ୍ଲାନ୍ତ ଜୀବନକୁ ଖୁସି ଆଣି ଦେଇଥାଏ ଏବଂ ରାଷ୍ଟ୍ର ଜୀବନରେ ସମନ୍ୱୟ ରକ୍ଷା କରେ ।




