ପ୍ରେମର ସ୍ପନ୍ଦନ
ଯେତେସବୁ ବିଦଗ୍ଧ ଭାବନା ଭିତରୁ ବାସ୍ନା ଆସେ ଅର୍ଦ୍ଧଦଗ୍ଧ ହୃଦୟର ସେ ବାସ୍ନାରେ ନଥାଏ ମହକ ମାୟା ସବୁ ପୋଡ଼ି ପାଉଁଶ ହୋଇ କରନ୍ତି ଆକୁଳ ରୋଦନ ଆଉ ଠିକ୍ ସେତିକିବେଳେ ଅର୍ଦ୍ଧ ଅର୍ଦ୍ଧ-ଅକ୍ଷତ ସତ୍ତାର ସ୍ୱପ୍ନରୁ ଶୁଭେ ପ୍ରେମର ସ୍ପନ୍ଦନ। ଯେତେସବୁ ଅନୁରାଗ, ଅଙ୍ଗୀକାର ଓ ଅହଂକାରର ଅସ୍ପଷ୍ଟ ଚକ୍ରବ୍ୟୁହ ଭିତରେ ଘୂରିବୁଲେ ସକଳ ଆକାଂକ୍ଷା; ଭାରାକ୍ରାନ୍ତ ହୁଏ ଅମାପ ଅର୍ନ୍ତଦ୍ୱନ୍ଦରେ ଜୀବନ ଆଉ ଠିକ୍ ସେତିକିବେଳେ ସ୍ମୃତିର କେଉଁ ଏକ ସୂକ୍ଷ୍ମକୋଣରୁ ଶୁଭେ ପ୍ରେମର […]
ଯେତେସବୁ ବିଦଗ୍ଧ ଭାବନା ଭିତରୁ
ବାସ୍ନା ଆସେ
ଅର୍ଦ୍ଧଦଗ୍ଧ ହୃଦୟର
ସେ ବାସ୍ନାରେ ନଥାଏ ମହକ
ମାୟା ସବୁ ପୋଡ଼ି ପାଉଁଶ ହୋଇ
କରନ୍ତି ଆକୁଳ ରୋଦନ
ଆଉ ଠିକ୍ ସେତିକିବେଳେ ଅର୍ଦ୍ଧ
ଅର୍ଦ୍ଧ-ଅକ୍ଷତ ସତ୍ତାର ସ୍ୱପ୍ନରୁ ଶୁଭେ
ପ୍ରେମର ସ୍ପନ୍ଦନ।
ଯେତେସବୁ ଅନୁରାଗ, ଅଙ୍ଗୀକାର
ଓ ଅହଂକାରର ଅସ୍ପଷ୍ଟ ଚକ୍ରବ୍ୟୁହ
ଭିତରେ ଘୂରିବୁଲେ
ସକଳ ଆକାଂକ୍ଷା;
ଭାରାକ୍ରାନ୍ତ ହୁଏ
ଅମାପ ଅର୍ନ୍ତଦ୍ୱନ୍ଦରେ ଜୀବନ
ଆଉ ଠିକ୍ ସେତିକିବେଳେ ସ୍ମୃତିର
କେଉଁ ଏକ ସୂକ୍ଷ୍ମକୋଣରୁ ଶୁଭେ
ପ୍ରେମର ସ୍ପନ୍ଦନ।
କଳ୍ପନାର କମନୀୟତା ଓ ବାସ୍ତବତାର ବର୍ବରତାରେ
ଛନ୍ଦି ହୋଇଯାଏ ଚେତନା
ନିଷ୍ପତ୍ତିର ଉତ୍ପତ୍ତି ଅମାବାସ୍ୟାରେ ଜହ୍ନର ସ୍ଥିତି ଭଳି
ପାଲଟେ ଅସମ୍ଭବ
ଭାବନା ଅବୟବକୁ ନିଷ୍ପ୍ରଭ କରେ
ଯେତେସବୁ ଭଗ୍ନଭାବାବେଗର କୀର୍ତ୍ତନ
ଆଉ ଠିକ୍ ସେତିକିବେଳେ ଅନ୍ଧକାରର ଏକ କ୍ଷୁଦ୍ର ଆଲୋକ ଭିତରୁ
ଶୁଭେ ପ୍ରେମର ସ୍ପନ୍ଦନ।




