ପାର୍ବତୀ ଗିରି

ଆଜି ଜନ୍ମଦିନ

ପାର୍ବତୀ ଗିରି
Ipsita Picture
By: Ipsita

ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଏବଂ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ ଥିଲେ ପାର୍ବତୀ ଗିରି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାରୀ ସ୍ୱାଧୀନତା ସଂଗ୍ରାମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେ ଅବିଭାଜିତ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟବର୍ତ୍ତୀ ସମଲାଇପଦର ଗ୍ରାମରେ ୧୯ ଜାନୁଆରୀ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ପାର୍ବତୀ ମାତ୍ର ଦଶ ବର୍ଷ ବୟସର ହୋଇଥିବା ସମୟରେ ତାଙ୍କ ଅଞ୍ଚଳରେ ହଉଥିବା ସ୍ୱାଧୀନତା ସଂଗ୍ରାମର ସଭାମାନଙ୍କୁ ଯାଉଥିଲେ । ସେ ସେହି ସମୟରୁ ହିଁ ମହାତ୍ମା ଗାନ୍ଧୀଙ୍କ ଡକରାରେ ପ୍ରଭାବିତ ହେଇ ସଭା ହେବା ଆଗରୁ ଘର ଘର ବୁଲି ଲୋକଙ୍କୁ ବହୁ ସଂଖ୍ୟାରେ ଆସିବାକୁ ଅନୁରୋଧ କରୁଥିଲେ । ତାଙ୍କର ଏହି ନିଷ୍ଠା ଦେଖି ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ପ୍ରାଣକୃଷ୍ଣ ପଢ଼ିଆରୀ ତାଙ୍କ ପିତାମାତାଙ୍କୁ ପାର୍ବତୀଙ୍କୁ ପୂର୍ଣକାଳୀନ ଭାବରେ କଂଗ୍ରେସ ସଂଗଠନରେ ଭାଗ ନେଇ ସାଙ୍ଗଠନିକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ପାର୍ବତୀଙ୍କ ପିତାମାତା ପ୍ରଥମେ ଅମଙ୍ଗ ହଉଥିଲେ ମଧ୍ୟ ପରେ ଜାତିର ସ୍ୱାର୍ଥ ପାଇଁ ରାଜି ହେଇଥିଲେ । ତାଙ୍କର ଇଂରେଜ ସରକାର ବିରୋଧାତ୍ମକ କାର୍ଯ୍ୟକଳାପ ପାଇଁ ସେ ଦୁଇ ବର୍ଷ କାରାବାସ ଦଣ୍ଡ ଭୋଗିଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ପ୍ରଭାବିତ ହୋଇ ସେ ମାତ୍ର ୧୬ ବର୍ଷ ବୟସରେ ବିପ୍ଳବର ନେତୃତ୍ୱ ନେଉଥିଲେ । ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ସେ ବିଭିନ୍ନ ପ୍ରକାରର ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ସେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଯଜ୍ଞ ଯୋଗଦାନ ଦେଇ ଅନେକ କାର୍ଯ୍ୟ କରିଥିଲେ । ସେ ପାଇକମାଳ ଗ୍ରାମରେ ଏକ ଅନାଥଆଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ନିଜର ଶେଷ ଜୀବନ ଅନାଥମାନଙ୍କର ମଙ୍ଗଳପାଇଁ ସମର୍ପି ଦେଇଥିଲେ । ପାର୍ବତୀ ଗିରିଙ୍କୁ ତାଙ୍କର ସମାଜସେବା କାର୍ଯ୍ୟ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡକ୍ତରେଟ ଉପାଧି  ପ୍ରଦାନ କରାଯାଇଥିଲା । ଏହି ମହାନ ନାରୀନେତ୍ରୀଙ୍କର ୧୯୯୫ ମସିହା ୧୭ ଅଗଷ୍ଟରେ ଦେହାନ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ

Tags:

Related Posts