ପଞ୍ଚୁକର ପାଞ୍ଚ ବେଶ
କାର୍ତ୍ତିକ ମାସ ବର୍ଷକର ସବୁଠାରୁ ପବିତ୍ର ଓ ଧର୍ମ ମାସ ଭାବେ ପରିଗଣିତ ହୋଇଥାଏ । ଏହି ମାସସାରା ଶ୍ରୀମନ୍ଦିରରେ ଅନେକ ବିଶେଷ ନୀତିମାନ ଅନୁଷ୍ଠିତ ହୋଇଥାଏ । ଶ୍ରୀଜିଉମାନେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ ମାସ ସାରା ଅର୍ଥାତ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ ରାଇ ଦାମୋଦର ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ୱଦନ୍ତୀ ରହିଛି । ଦ୍ୱାପର ଯୁଗରେ ଗୋପୀ ମାନେ […]
କାର୍ତ୍ତିକ ମାସ ବର୍ଷକର ସବୁଠାରୁ ପବିତ୍ର ଓ ଧର୍ମ ମାସ ଭାବେ ପରିଗଣିତ ହୋଇଥାଏ । ଏହି ମାସସାରା ଶ୍ରୀମନ୍ଦିରରେ ଅନେକ ବିଶେଷ ନୀତିମାନ ଅନୁଷ୍ଠିତ ହୋଇଥାଏ । ଶ୍ରୀଜିଉମାନେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ ମାସ ସାରା ଅର୍ଥାତ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ ରାଇ ଦାମୋଦର ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ୱଦନ୍ତୀ ରହିଛି । ଦ୍ୱାପର ଯୁଗରେ ଗୋପୀ ମାନେ କାର୍ତ୍ତିକ ବ୍ରତ ରଖି ଯମୁନା କୂଳରେ ରାଇ ଦାମୋଦରଙ୍କୁ ଆରାଧନା କରୁଥିଲେ । ସେଥିପାଇଁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାଇ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ତେବେ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ବା ଭୀଷ୍ମପଞ୍ଚକ କୁହାଯାଇଥାଏ । ଏହି ପାଞ୍ଚ ଦିନ ଶ୍ରୀବିଗ୍ରହମାନଙ୍କର ପାଞ୍ଚୋଟି ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ ବୋଲି ଶ୍ରୀ ଜଗନ୍ନାଥଙ୍କ ଜାନି ଯାତ୍ରା ପୁସ୍ତକରେ ଉଲ୍ଲେଖ ରହିଛି । ପଞ୍ଚୁକର ପ୍ରଥମ ଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ । ଅନ୍ୟାନ୍ୟ ସମସ୍ତ ଅଳଙ୍କାର ଥାଇ ସୁବର୍ଣ୍ଣ କର, ପୟର , ହଳ, ଲଙ୍ଗଳ, ଶଙ୍ଖ, ଚକ୍ର ଲାଗି ହୋଇଥାଏ । ତ୍ରିମୁଣ୍ଡି ଚୂଳ ପରିବର୍ତ୍ତେ କୁଣ୍ଡଳ ଉପର ସମାନ ଭାବରେ “ସୁବର୍ଣ୍ଣ ଚନ୍ଦ୍ରିକା’ ଚୂଳ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ସମାନ ଭାବରେ ଖଞ୍ଜା ଯାଇଥାଏ । ପଞ୍ଚୁକର ଦ୍ୱିତୀୟ ଦିନ ଅର୍ଥାତ ଶୁକ୍ଳ ଦ୍ୱାଦଶୀ ଦିନ ଶ୍ରୀଜୀଉଙ୍କ ବାମନ ବା ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ । ତୃତୀୟ ଦିନ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କର ତ୍ରିବିକ୍ରମ ବା ଆଡକିଆ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଶିର-ଶୃଙ୍ଗାରର ଆକର୍ଷଣ ବେଶୀ ଥିବାର ଦେଖାଯାଏ । ଏଇ ବେଶ ଅତିବଡ଼ି ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ବେଶ ବୋଲି ବିବେଚନା କରାଯାଏ । ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କର ନୃସିଂହ ବା ଡାଳକିଆ ବେଶ ଅନୁଷ୍ଠିତ ହୋଇଥାଏ । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀଭୂଜରେ ହଳ ଓ ଲଙ୍ଗଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜରେ ଶଙ୍ଖ ଓ ଚକ୍ର ଶୋଭା ପାଏ । ପଞ୍ଚୁକର ଶେଷଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀଜୀଉଙ୍କର ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ କାର୍ତ୍ତିକ ବ୍ରତର ସମାପନ ହେଉଥିବାରୁ ଶ୍ରୀଜୀଉମାନଙ୍କୁ ରାଜନୀତି ବନ୍ଦାପନା କରାଯାଇଥାଏ । ଶ୍ରୀଜୀଉମାନଙ୍କୁ ନାନାଦି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇଥାଏ । ସେହିଭଳି ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ପଡ଼େ ମଳ ତିଥିରେ ଶ୍ରୀଜୀଉମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏହା ଏକ ବୀର ବେଶହୋଇଥିବାରୁ ଏହି ବେଶରେ ଶ୍ରୀଜୀଉମାନେ ତ୍ରୀକଛ ପରିଧାନ କରିବା ସହିତ ଶିରରେ ହାଣ୍ଡିଆ, ବଡ଼ଫୁଲ, ବାଘ ନଖ, ସ୍କନ୍ଦ ଦେଶରେ କାଣ୍ଡ ଧନୁ, ଶରଫୁଟ, ହସ୍ତରେ ଓଳମାଳ, କଟିରେ ଢାଲ, ବାଙ୍କ ଛୁରୀ, ଭାଲା ପ୍ରଭୃତି ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି । ଏହି ବେଶ ଶ୍ରୀଜୀଉମାନଙ୍କ ବିରଳ ବେଶ ଅଟେ । ଚଳିତ ବର୍ଷ ପଞ୍ଚୁକ ଚାରି ଦିନ ପଡୁଥିବାରୁ ଶ୍ରୀଜୀଉମାନଙ୍କ ବାମନ ବେଶ ବା ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହେବ ନାହିଁ । ଆଉ ସବୁ ବେଶ ଯଥାବିଧି ଅନୁଷ୍ଠିତ ହେବ ।
ସନ୍ତୋଷ କୁମାର ଦାଶ
ମୋ – ୯୪୩୯୩୬୧୮୮୮




