ନନ୍ଦ କିଶୋର ବଳ
ଶୁଭ ଜନ୍ମଦିନ
ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ ବିଶିଷ୍ଟ କବିଭାବେ ପରିଚିତ ଥିଲେ ନନ୍ଦ କିଶୋର ବଳ । ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ । ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ କୁସୁପୁର ଗ୍ରାମରେ ୨୨ ଡିସେମ୍ବର ୧୮୭୫ରେ ସେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ତେବେ ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସେ୍ୱଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । ନନ୍ଦ କିଶୋର, କଲେଜର ପଢ଼ିଲା ବେଳୁ ହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ ପଲ୍ଲୀ ଚିତ୍ର ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ୱରା ରଚିତ ନାନା ବାୟା ଗୀତ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପ୍ରଚଳିତ । ଏହି ବିଶିଷ୍ଟ କବିଙ୍କର ୧୯୨୮ ମସିହା ଜୁଲାଇ ୧ ତାରିଖରେ ଦେହାନ୍ତ ଘଟିଥିଲା ।




