ନବକୃଷ୍ଣ ଚୌଧୁରୀ

ଆଜି ଜନ୍ମଦିନ

ନବକୃଷ୍ଣ ଚୌଧୁରୀ
Ipsita Picture
By: Ipsita
Published On

 

 

ଓଡ଼ିଶାରେ ଜନ୍ମିତ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ ଭାବେ ନବକୃଷ୍ଣ ଚୌଧୁରୀଙ୍କର ରହିଛି ସ୍ବତନ୍ତ୍ର ସ୍ଥାନ ।  ସେ ୧୨ ମଇ ୧୯୫୦ଠାରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ନେଇଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଭାବରେ କାମ କରୁଥିଲେ । ନବକୃଷ୍ଣ ପ୍ୟାରୀମୋହନ ଏକାଡେମିରେ ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶୈଶବରେ ଖେଳ-କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ, ସ୍ୱତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ । ପରେ ପାଠ ପଢ଼ିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ କଟକସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଯାଇଥିଲା । ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ୱର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢ଼ା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇ ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା । ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ସାରଥୀ ଏବଂ ତା ପରେ କୃଷକ ନାମକ ପତ୍ରିକା ବାହାର କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧୀନତା ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ୧୯୮୪ ଜୁନ ୨୪ ତାରିଖରେ ଏହି ମହାନ ବ୍ୟକ୍ତିତ୍ୱଙ୍କରର ତିରୋଧାନ ହୋଇଥିଲା ।

Tags: