କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ 

ଶୁଭ ଜନ୍ମଦିନ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ 
Ipsita Picture
By: Ipsita
Published On


ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଭାବେ କବିଚନ୍ଦ୍ର କାଳୀଚକଣ ପଟ୍ଟନାୟକଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଆରମ୍ଭ କରିଥିଲେ । ଏହାସହ ସେ ଆଧୁନିକ ମଞ୍ଚ ନାଟକ ମଧ୍ୟ ଲେଖୁଥିଲେ । ୧୯୨୯ ମସିହାରେ ସାକ୍ଷୀଗୋପାଳ ନାଟକ ସଂଘ ଓ ୧୯୩୯ରେ ଓଡ଼ିଶା ଥିଏଟର୍ସ ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର "ଭରତମୁନି' ବୋଲି ମଧ୍ୟ କୁହାଯାଏ । ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା । ଏହି ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ ୧୮୯୭ ଡିସେମ୍ବର ୨୩ ତାରିଖରେ ବାଙ୍କୀ ସହର ଉପକ= ଖମାରଙ୍ଗ ଗ୍ରାମରେ ହୋଇଥିଲା । ତାଙ୍କର ପ୍ରାଥମିକ ଶିକ୍ଷା ସେ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ଶେଷକରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟରୁ ସେ ନିଜର ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଖୋର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ତାଙ୍କର ଆଗ୍ରହ ଜନ୍ମିଥିଲା । ବାଙ୍କୀର ମହାପର୍ବତ ଦେଖି ମହାପର୍ବତ ନାମକ ଖଣ୍ଡକାବ୍ୟ ଓ "କଳଙ୍କ ଭଞ୍ଜନମାଳା' ନାଟକ ରଚନା କରିଥିଲେ । ରେଭେନ୍ସା କଲେଜରେ ପଢୁଥିବା ସମୟରେ "କଳାହାଣ୍ଡିଆ ମେଘ' ନାମରେ ସେ ପ୍ରଥମ କବିତା ଲେଖିଥିଲେ । ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ "ଧ୍ରୁବ' ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା "ପ୍ରତିଶୋଧ' । ସେ ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ଅନେକ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ ଓ କବିତା ଆଦି ରଚନା କରିଛନ୍ତି । ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଦେହାନ୍ତ ୨୪ ଜୁଲାଇ ୧୯୭୮ରେ ହୋଇଥିଲା ।

Tags: