କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଆଜି ଜନ୍ମଦିନ (୧୮୮୮-୧୯୫୩)

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
Ipsita Picture
By: Ipsita


ପ୍ର- ଆଧୁନିକ ଓଡ଼ିଆ ସାହିତ୍ୟ ବିଷୟରେ ଆପଣଙ୍କର ମତ କ'ଣ ?
ଉ- କେଉଁ କେଉଁ ବିଷୟରେ ଆଗେଇଛୁଁ ଓ କେଉଁଥିରେ ପଛେଇଛୁଁ- ଆଧୁନିକ ଓଡ଼ିଆ ସାହିତ୍ୟ ଯେ ପ୍ରଗତିଶୀଳ ଏହା ମୋର ଦୃଢ଼ ମତ । କିନ୍ତୁ ଦୁଃଖ ଲାଗେ ଏତିକି ଯେ, ଗୋଟାଏ ନିଚ୍ଛକ ବାଟ ଖୋଲିଦେବା ଭଳି ଶକ୍ତିଶାଳୀ ସାହିତି୍ୟକ ଏହା ଭିତରେ ବାହାରି ନାହାନ୍ତି । ଯେଉଁ ଦୁଇ ତିନି ଜଣଙ୍କଠାରେ ମୌଳିକତା ବା ପ୍ରତିଭାର ସୁରାକ ମିଳିଥିଲା-ପାଣିପାଗ ଦୋଷରୁ ବା ଅନ୍ୟ କୌଣସି କାରଣରୁ ତାଙ୍କର ଗଜାମରୁଡ଼ି ହୋଇଗଲା । ଓଡ଼ିଶାର ଆବହାଭୟା ବର୍ତ୍ତମାନ ସାହିତ୍ୟ ବିକାଶର ଅନୁକୂଳ ନୁହେଁ ବୋଲି ଦେଖାଯାଉଛି । ତିରିଶ ଚାଳିଶ ବର୍ଷ ପୂର୍ବରେ ପ୍ରକାଶିତ ସାହିତ୍ୟ ପତ୍ରପତି୍ରକା ସହିତ ଆଜିକାଲିର ପତ୍ରପତ୍ରିକାର ତୁଳନା କଲେ ଏକଥା ବେଶ୍‌ ଜଣାପଡ଼େ । ଆବର୍ଜନାର ମାତ୍ରା ଏତେ ବଢ଼ାଯାଇଛି ଯେ ତାକୁ ପରିଷ୍କାର କରିବା ପାଇଁ ଜଣେ ଓercଫଝeଟ ଲୋଡ଼ା । କିନ୍ତୁ ଆବର୍ଜନାର ମଧ୍ୟ ପ୍ରୟୋଜନ ଅଛି ସାହିତ୍ୟ ଗନ୍ତାଘରେ । ଏହାରି ଭିତରୁ ବେଳେ ବେଳେ ଖଣ୍ଡେ ଦୁଇ ଖଣ୍ଡ ମୋତିମାଣିକ୍ୟ ବାହାରିପଡ଼େ । ଆଉରି, ନକଲି ମାଲ ଥିଲେ ତୁଳନା ଦ୍ୱାରା ଅସିଲ, ଖାଣ୍ଟି ମାଲ୍‌ ଚିହ୍ନାପଡ଼େ ଓ ତା'ର ମୂଲ୍ୟ ବଢ଼େ । ଆବର୍ଜନା ସାହିତ୍ୟ ରାଜ୍ୟରେ କିଞ୍ଚିତ୍‌ ବିଭ୍ରାଟ ସୃଷ୍ଟି କରିଦେଇପାରେ ସତ୍ୟ, ମାତ୍ର ଲୋକଙ୍କ ଚିତ୍ତ ଆକର୍ଷଣ କରିପାରେ ନାହିଁ । ଉପରର ଚକଚିକଣ କେତେ ଦିନ ? କୌଣସି ସାହିତ୍ୟରେ ଖରାପ ଜିନିଷ ବେଶିଦିନ ଟେକି ରହେ ନାହିଁ । ଫକିରମୋହନଙ୍କ କଥାରେ- ସାହିତ୍ୟରେ ଯେତକ ଭେଲ ବା ବେଙ୍ଗି ପିତଳ ଥିବ ତାକୁ କାଳାଗ୍ନି ପୋଡ଼ି ଭସ୍ମ କରିଦେବ - ଯାହା ରହିଯିବ, ସେ ଖାଣ୍ଟି, ସଇ ସୁନା । ବେଳେବେଳେ ଡର ମାଡ଼େ, ଆମ ସାହିତ୍ୟର ସବୁତକ ଏହିପରି କାଳାଗ୍ନି ଭସ୍ମ କରି ନ ଦେଉ !
ମୋ ମତରେ ଆମେ ଗଦ୍ୟ ଲେଖା (ଉପନ୍ୟାସ)ରେ ଆଗେଇଛୁଁ ଓ କବିତାରେ ପଛେଇଛୁଁ । ବଡ଼ କବିତା ବା କାବ୍ୟ ପ୍ରାୟ ନାହିଁ କହିଲେ ଚଳେ । ବୋଧହୁଏ ତାହା ଲୋକରୁଚିର ପ୍ରତିକୂଳ ହୋଇପଡ଼ିଛି । କ୍ଷୁଦ୍ର ବା ଖଣ୍ଡ କବିତା ଦିଗରେ ଅନେକ ନୂତନ ରୀତି ଓ ପଦ୍ଧତିର ପ୍ରସାର ହେଲାଣି, ମାତ୍ର ସେସବୁରେ ଶବ୍ଦାଡ଼ମ୍ବର ଛଡ଼ା ପ୍ରକୃତ କବିତ୍ୱର ଅଭାବ ଅଧିକ । କବିତାରେ ରସାଭାବ ଘଟୁଛି । ଅଧିକାଂଶ କବିତା ସାମୟିକ ସାହିତ୍ୟ ସୃଷ୍ଟି ପରି ଜଣାପଡୁଛି ।
(୧୯୫୨ ମସିହା ଅଗଷ୍ଟ ମାସରେ ପ୍ରାୟ ୭୩ ବର୍ଷ ତଳେ ବିଶିଷ୍ଟ ହାସ୍ୟରସିକ ଓ ଲେଖକ ସ୍ୱର୍ଗୀୟ ଫତୁରାନନ୍ଦ ଖଣ୍ଡିଏ କାଗଜରେ ଲେଖି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଯେଉଁ କେତୋଟି ପ୍ରଶ୍ନ ପଚାରି ଥିଲେ, ମୃତ୍ୟୁର ଛଅ ମାସ ପୂର୍ବରୁ ଅସୁସ୍ଥ କାନ୍ତକବି ତରବରରେ ତାହାର ଉତ୍ତର ସଂକ୍ଷେପରେ ଦେଇଥିଲେ । ସେଥି ମଧ୍ୟରୁ ଗୋଟିଏ ପ୍ରଶ୍ନୋତ୍ତର ଏଠାରେ ଉଦ୍ଧୃତ : ସୌଜନ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ସ୍ମରଣିକା, ସମ୍ପାଦନା -ରବିନାରାୟଣ ସେନାପତି )

Read More ଭୀମରାଓ ରାମଜୀ ଆମ୍ବେଦକର

Tags:

Related Posts