ଜବାହରଲାଲ ନେହେରୁ
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
ଭାରତର ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଜନନାୟକ ତଥା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଆଜି ମଧ୍ୟ ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲାହାବାଦ)ଠାରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ଶାସନ ବିରୋଧରେ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାସହ ଦେଶ ପାଇଁ ଏକାଧିକ ବାର କାରାବରଣ ମଧ୍ୟ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ପରେ ଦେଶର ଶାସନ ଭାର ସମ୍ଭାଳିଥିବା ନେହେରୁ ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଢ଼ିତୋଳିବାରେ ମୁଖ୍ୟ ସୂତ୍ରଧର ସାଜିଥିଲେ । ଭାରତର ପଞ୍ଚବାର୍ଷିକ ଯୋଜନା, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସୁଦୃଢ଼ୀକରଣ ଏବଂ ଶିଳ୍ପ, କୃଷି, ବିଜ୍ଞାନ ତଥା ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ଆଇଆଇଟି, ଆଇଆଇଏମ ଭଳି ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନର ପ୍ରତିଷ୍ଠା ତାଙ୍କର ଦେଶ ପ୍ରତି ଥିବା ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀର ପ୍ରମାଣ ଦେଇଥାଏ । ପଣ୍ଡିତ ନେହେରୁ ଶିଶୁମାନଙ୍କ ପ୍ରତି ଥିବା ଅଗାଧ ଭଲପାଇବା ପାଇଁ ସମସ୍ତଙ୍କ ପାଖରେ 'ଚାଚା ନେହେରୁ' ଭାବେ ପରିଚିତ ଥିଲେ, ଯେଉଁଥିପାଇଁ ତାଙ୍କ ଜନ୍ମଦିନକୁ ଆଜି ବି ଦେଶବ୍ୟାପୀ 'ଶିଶୁ ଦିବସ' ଭାବେ ପାଳନ କରାଯାଏ । ସାରା ଜୀବନ ଦେଶ ଓ ଜାତିର ସେବାରେ ନିଜକୁ ଉତ୍ସର୍ଗ କରି ଶେଷରେ ୧୯୬୪ ମସିହା ମେ ୨୭ ତାରିଖରେ ଏହି ମହାନ ଜନନାୟକଙ୍କର ମହାପ୍ରୟାଣ ହୋଇଥିଲା। କିନ୍ତୁ ଆଧୁନିକ ଭାରତର ନିର୍ମାଣ ତଥା ରାଷ୍ଟ୍ର ପ୍ରଗତିର ଭିତ୍ତିଭୂମି ସ୍ଥାପନରେ ତାଙ୍କର ଅତୁଳନୀୟ କୀର୍ତ୍ତି ଅମର ହୋଇ ରହିଛି ଏବଂ ରହିଥିବ ।



