ଫକୀର ମୋହନ ସେନାପତି
ଶୁଭ ଜନ୍ମଦିନ
ଜଣେ ବିଶିଷ୍ଟ ଓଡ଼ିଆ ଲେଖକ ଭାବେ ଘରେଘରେ ପରିଚିତ ଫକୀର ମୋହନ ସେନାପତି । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ , ଯାହା ତାଙ୍କୁ ଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ । ଏହାସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ତାଙ୍କର ଅବଦାନ ଅତୁଳନୀୟ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ । ୧୩ ଜାନୁଆରୀ ୧୮୪୩ରେ ମକର ସଂକ୍ରାନ୍ତି ଦିନ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଫକୀର ମୋହନ ସେନାପତି । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ତାଙ୍କର ଅନେକ ଭାଷା ଉପରେ ରହିଥିଲା ପାଣ୍ଡିତ୍ୟ । ମାଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ଏହାପରେ ବିଭିନ୍ନ ବିଦ୍ୟାଳୟରେ ସେ ଶିକ୍ଷକତା କରିଥିଲେ । ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ - ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ତାଙ୍କ ରଚିତ 'ରେବତୀ' ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଇଥିଲା । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ଏହି ମହାନ ଲେଖକଙ୍କର ୧୪ ଜୁନ ୧୯୧୮ ମସିହାରେ ଦେହାନ୍ତ ହୋଇଥିଲା ।
Related Posts



