ବିନୋଦ କାନୁନଗୋ

କଟକ ଜିଲ୍ଲାର କିଶାନ ନଗର ଥାନାର ମଲୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ବିନୋଦ କାନୁନଗୋ । ସେ ଏକାଧାରାରେ ବହୁ ପ୍ରତିଭାର ଅଧିକାରୀ । ଶିଶୁ ଓ କିଶୋରମାନଙ୍କ ପାଇଁ ବିନୋଦ କାନୁନଗୋଙ୍କ ଲିଖିତ ଶତାଧିକ ପୁସ୍ତକ ରହିଛି । ଯାହା ଆଜିବି ଶିଶୁଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିନୋଦ କାନୁନଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର ତୃଣମୂଳ ସ୍ତରରେ ଓଡ଼ିଆ […]

ବିନୋଦ କାନୁନଗୋ
Samaya Live Picture
Published On

କଟକ ଜିଲ୍ଲାର କିଶାନ ନଗର ଥାନାର ମଲୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ବିନୋଦ କାନୁନଗୋ । ସେ ଏକାଧାରାରେ ବହୁ ପ୍ରତିଭାର ଅଧିକାରୀ । ଶିଶୁ ଓ କିଶୋରମାନଙ୍କ ପାଇଁ ବିନୋଦ କାନୁନଗୋଙ୍କ ଲିଖିତ ଶତାଧିକ ପୁସ୍ତକ ରହିଛି । ଯାହା ଆଜିବି ଶିଶୁଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିନୋଦ କାନୁନଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର ତୃଣମୂଳ ସ୍ତରରେ ଓଡ଼ିଆ ଭାଷାର ବୃଦ୍ଧି ଓ ବିକାଶର ବାର୍ତ୍ତାକୁ ନେଇ ପହଞ୍ଚାଇବାରେ ଆଜି ବି ଚେଷ୍ଟିତ । ପିତା କେଶବ ଚନ୍ଦ୍ର କାନୁନଗୋ ଓ ମାତା ପୀର ଦେବୀଙ୍କ ସନ୍ତାନ ବିନୋଦ ପ୍ରଥମେ ଗାଆଁ ଅବଧାନଙ୍କ ନିକଟରେ ପାଠ ପଢ଼ିବା ପରେ ମାମୁଁଙ୍କ ଗାଆଁ ପାଟକୁରା (କେନ୍ଦ୍ରାପଡ଼ା)କୁ ଚାଲିଯାଇଥିଲେ । ଏହାପରେ ୧୯୨୨ରେ ସେ କଟକ ଆସି ରେଭେନ୍ସା ଇଷ୍ଟ ହଷ୍ଟେଲରେ ରହିଥିଲେ । ୧୯୨୭ରେ ସେ ରାଣୀହାଟ ମାଇନର ସ୍କୁଲରୁ ବୃତ୍ତି ପାଇ ପ୍ରସିଦ୍ଧ ରେଭେନ୍ସା କଲେଜିଏଟ ସ୍କୁଲରେ ପାଇ ପଢ଼ା ଆରମ୍ଭ କଲେ । ତାଙ୍କର ଓଡିଆ ସାହିତ୍ୟ ପାଇଁ ଅନେକ ଅବଦାନ ରହିଛି । ମାତ୍ର ଟଙ୍କାଟିଏ ଖର୍ଚ୍ଚରେ ସେ ଓଡ଼ିଆ ଜ୍ଞାନକୋଷ – ଜ୍ଞାନମଣ୍ଡଳର ପ୍ରତିଷ୍ଠା କରିଥିଲେ । ଏହାକୁ ପ୍ରତିଷ୍ଠା କରିବା ପାଇଁ ସେ କନିକା ପାଠାଗାରରେ ଘଣ୍ଟା ଘଣ୍ଟା ରହି ବିଭିନ୍ନ ପୁସ୍ତକ ଅଧ୍ୟୟନ ଓ ପତ୍ର ପତ୍ରିକାରୁ ଅସଂଖ୍ୟ କଟିଂ ରଖିବା ପରେ ୪୦ରୁ ୫୦ ହଜାର ଯାଏ ଫାଇଲ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁବେଳକୁ ଏହାର ୪୦ ଖଣ୍ଡ ଉନ୍ମୋଚିତ ହୋଇଥିଲା । କେବଳ ଜଣେ ଲେଖକ ନୁହେଁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ତାଙ୍କର ଅନେକ କୃତି ରହିଛି । ୧୯୩୦ ଏପ୍ରିଲ ୧୦ ତାରିଖରେ ଗାନ୍ଧୀଜୀଙ୍କ ଡାକରା ନବମରୁ ଦଶମ ଶ୍ରେଣୀକୁ ଯିବା ଆଗରୁ ପାଠ ଛାଡ଼ିଦେଇ ସେ ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ । ସେ ଏହି ସମୟରେ ଅନେକଥର କାରାଗାର ଯିବାର ସୂଚନା ରହିଛି । ଏହାପରେ ସେ ଅନେକ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଛନ୍ତି । ତାଙ୍କ ଅନନ୍ୟ ପ୍ରତିଭା ପାଇଁ ତାଙ୍କୁ ୧୯୮୬ରେ ପଦ୍ମଶ୍ରୀ, “ଋଣ ପରିଶୋଧ’ (ଆତ୍ମଜୀବନୀ) ପାଇଁ ୧୯୮୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦ରେ “ଛାତିକି ପଥର କରି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୬ ଜୁନ ୧୯୧୨ରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ ଲେଖକ ତଥା ସ୍ୱାଧୀନତା ସଂଗ୍ରାମୀଙ୍କର ୨୨ ଜୁନ ୧୯୯୦ରେ ଦେହାନ୍ତ ଘଟିଥିଲା ।

Tags: