ଆଜି ଜନ୍ମଦିନ, ବଡ ଦେଉଳକୁ ଚାହାଁରେ

ପୁରୀକୁ ଆସି ଦେଖେଁ, ମସ୍ତ ବଡ ସହର । ଆମ ଗାଁ ପାଖ ଭୁବନେଶ୍ୱର(ଅବଶ୍ୟ ପୁରୁଣା ଭୁବନେଶ୍ୱର) ଠାରୁ ଆଉ ଏମିତି ବଡ ସହର ପୁଣି ନିତି କେବେହେଲେ ଏତେ ବିଚିତ୍ର ବେଶଭୂଷାରେ ଲୋକ ଯା’ଆସ କରୁଥିବା ମୁଁ ଦେଖି ନଥିଲି । ତାସାଙ୍ଗକୁ ପୁଣି ମହା ସମୁଦ୍ର କେତେ ପାଣି, କି ବାରଟ ଲହରୀମାଳ, କୁଆଡେ ତାର ଶେଷ । ଗାଁ ଚିକିଟା ମାଟିରୁ ଆସି ଦୟା ଭାର୍ଗବୀ କଅଁଳ ବାଲିରେ ଶଗଡ ଚକ ପୋତି […]

ଆଜି ଜନ୍ମଦିନ,   ବଡ ଦେଉଳକୁ ଚାହାଁରେ
Samaya Live Picture
Published On

ପୁରୀକୁ ଆସି ଦେଖେଁ, ମସ୍ତ ବଡ ସହର । ଆମ ଗାଁ ପାଖ ଭୁବନେଶ୍ୱର(ଅବଶ୍ୟ ପୁରୁଣା ଭୁବନେଶ୍ୱର) ଠାରୁ ଆଉ ଏମିତି ବଡ ସହର ପୁଣି ନିତି କେବେହେଲେ ଏତେ ବିଚିତ୍ର ବେଶଭୂଷାରେ ଲୋକ ଯା’ଆସ କରୁଥିବା ମୁଁ ଦେଖି ନଥିଲି । ତାସାଙ୍ଗକୁ ପୁଣି ମହା ସମୁଦ୍ର କେତେ ପାଣି, କି ବାରଟ ଲହରୀମାଳ, କୁଆଡେ ତାର ଶେଷ । ଗାଁ ଚିକିଟା ମାଟିରୁ ଆସି ଦୟା ଭାର୍ଗବୀ କଅଁଳ ବାଲିରେ ଶଗଡ ଚକ ପୋତି ହୋଇପଡି ବଳଦଙ୍କ ଚାଲି ମନ୍ଥର ହେଲାବେଳେ ଶଗଡରୁ ଡେଇଁପଡି ବାଲି ଉପରେ ଚାଲିବା ମଜାଠାରୁ ଏ ଯେ ଆହୁରି କେତେ ବେଶି । ସେଠାରେ ତ ଗୋଟାଏ ପଟେ ବାଳକାଟି ପୁଣି ଆରପଟେ ଲିଙ୍ଗିପୁର ନଈବନ୍ଧ ଉପରେ ଆମ୍ବପଣସର ଗଛଗହଳି ମଝିରେ ବାନ୍ଧିହେଲା ଭଳି କୁଆଖାଈରୁ ଦୟା ପୁଣି ଭାର୍ଗବୀ ନଈ ଦୁଇ ପଟକୁ ଅଲଗା ହୋଇ ଯାଇଛନ୍ତି । ଏଠାରେ ଯେ ସମୁଦ୍ରଟା କେଉଁଠି ଛିଡିଛି ଆଖି ପାଏନି, ତାରି ବାଲି ଉପରେ ଡେଇଁଲାବେଳେ ସତେ ଯେମିତି ସମୁଦ୍ର ଲହରୀ ସାଥିରେ ଡେଇଁଲା ଭଳି ମନଟା କାହିଁ କୁଆଡେ ଯେ ପଳାଏ, ତାର ଅନ୍ତ କାହିଁ । ପୁରୀର ସେଇ ସମୁଦ୍ର ଲହଡି ମନ ଭିତରେ ମୋର କେତେ ଯେ ଲହଡି ନଚାଏ, ପୁଣି ତାର ସେଇ ଅପୂର୍ବ ନୀଳ ଦିଗବଳୟ କେତେ ରହସ୍ୟରେ ଯେ ହସାଏ ! ଆଜି ନାଚକୁଦ କରିବା ବୟସର ଗଲେବି ମନଟା ତ କାହିଁ ଯାଇନି । ଆଜି ବି ସେମିତି ମନ ଧାଏଁ ବାଲି ଉପରେ ଡେଇଁବାକୁ – ସମୁଦ୍ର ଭିତରେ ଲହଡି ଭାଙ୍ଗି ନାଚିବାକୁ – ଗୋଟିକ ପରେ ଆଉ ଗୋଟିଏ ଲହଡିକୁ ସେମିତି ଆଲିଙ୍ଗନ ଚୁମ୍ବନ ଦେବାକୁ । କେତେ ବର୍ଷ ପରେ ଏଇ ସମୁଦ୍ର – ସ୍ମୃତିରେ ଲେଖିଛି କବିତା ପୁଣି ମୋର ଛୋଟ ଗଳ୍ପ ସାଗରିକା ।
ସାଗରିକା ଗଳ୍ପଟି ମୋର କେତେ ବିଶିଷ୍ଟ ପାଠକଙ୍କ ମନକୁ ଛୁଇଁଥିଲା ସେତେବେଳେ କଳ୍ପନା – ବିଳାସର ପ୍ରତୀକ ରୂପେ । ସେଇପରି ସମୁଦ୍ର ବିଷୟରେ କବିତା ମଧ୍ୟ । ଗଳ୍ପଟି ଅବଶ୍ୟ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରକାଶିତ ହୁଏ ମୋର କଲେଜପଢା କାଳରେ । ତାହାରି ପ୍ରାୟ ସମସାମୟିକ ସୁଦୀର୍ଘ କବିତା ହେଲା ମୋର ପୁରୀ ମନ୍ଦିର । ସାଗରିକା ଗଳ୍ପଟି ଯେପରି ଶ୍ରୀ ହରିଶ୍ଚନ୍ଦ୍ର ରାୟ ପ୍ରମୁଖ ବହୁ ପାଠକଙ୍କ ମୁଖରୁ ପ୍ରଶଂସା ଆକର୍ଷଣ କରେ, ସେଇପରି ମଧ୍ୟ ପୁରୀ ମନ୍ଦିର କବିତା ଶ୍ରୀରାଜକୃଷ୍ଣ ବୋଷଙ୍କଠାରୁ ଆରମ୍ଭ କରି ସ୍ୱଗର୍ତ ଚିନ୍ତାମଣି ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ । କିନ୍ତୁ ବାପା କ୍ରୁଧ ହୋଇଥିଲେ – “”କାଷ୍ଠ ପାଷାଣ ନିର୍ମିତ ହେ ନିର୍ଜୀବ ଦେବତା – ମୂରତି” ପ୍ରଥମ ଧାଡିଟି ପଢିବାକ୍ଷଣି ।
(ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗୀୟ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଜନ୍ମଦିନ ଅବସରରେ ତାଙ୍କ ରଚିତ ଆତ୍ମଚରିତ “ଅଙ୍ଗେ ଯାହା ନିଭାଇଛି’ରୁ କିୟଦଂଶ ।)

Tags: