ୟଖନି ମଟନ୍ ପୁଲାଓ
ସାମଗ୍ରୀ
୫୦୦ ଗ୍ରାମ ଚର୍ବିଯୁକ୍ତ ମଟନ, ୪ଟି ବଡ଼ ଅଳେଇଚ, ୫ଟି ଗୁଜୁରାତି, ୧ ଚାମଚ ଗୋଲମରିଚ, ୧/୨ ଚାମଚ ଲବଙ୍ଗ, ୧ ଖଣ୍ଡ ଡାଲଚିନି, ୨ ଚାମଚ ଜିରା, ୪ ଚାମଚ ଧନିଆ ଗୋଟା, ୧ ଚାମଚ ପାନମଧୁରୀ, ୨ଟି ତେଜପତ୍ର, ୨ ଇଞ୍ଚ ଅଦା, ୧୦ କୋଲା ରସୁଣ, ୧ଟି କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଲୁଣ । ୟଖନି ପେଷ୍ଟ ପାଇଁ : ୧/୨ ଇଞ୍ଚ ଅଦା, ୧୨ କୋଲା ରସୁଣ, ୨ ଚାମଚ ପାନମଧୁରୀ ଏବଂ ୨ଟି ଗୁଜୁରାତି ମଞ୍ଜି । ୩ ଚାମଚ ଘିଅ, ୨ଟି କଟା ପିଆଜ ଏବଂ ୧ ଚାମଚ ଅଜିନୋମୋଟୋ, ୩ଟି ଟମାଟୋ, ୨ଟି କଟା ପିଆଜ, ୧/୨ କପ୍ ଧନିଆ ପତ୍ର, ୪ଟି କଟା କଞ୍ଚାଲଙ୍କା, ଲୁଣ ଏବଂ ୧ ଚାମଚ ଗୋଲମରିଚ ଗୁଣ୍ଡ, ୨ ଚାମଚ ଘିଅ, ୫୦୦ ଗ୍ରାମ ଭିଜାଯାଇଥିବା ବାସୁମତୀ ଚାଉଳ ଏବଂ ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ଏକ ପ୍ରେସର କୁକରରେ ମଟନ୍, ପାଣି, ତେଜପତ୍ର, ଲୁଣ ଏବଂ ଏକ ପତଳା କପଡ଼ାରେ ବନ୍ଧା ହୋଇଥିବା ପୋଟଲି ମସଲା ପକାନ୍ତୁ । ମଧ୍ୟମ ଆଞ୍ଚରେ କୁକରକୁ ୫ଟି ସିଟି ବାଜିବା ପାଇଁ ଛାଡ଼ିଦିଅନ୍ତୁ । ଅଦା, ରସୁଣ, ପାନମଧୁରୀ ଏବଂ ଗୁଜୁରାତି ମଞ୍ଜିକୁ ବାଟି ଏକ ସୂକ୍ଷ୍ମ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏକ ପ୍ୟାନରେ ଘିଅ ଗରମ କରି ପିଆଜକୁ ଗୋଲ୍ଡେନ ହବା ଯାଏ ଭାଜନ୍ତୁ। ଭଜା ପିଆଜକୁ ବାହାର କରି ଅଲଗା ରଖିଦିଅନ୍ତୁ । କୁକର ଖୋଲି ମଟନ୍ ପିସ୍ଗୁଡ଼ିକୁ ବାହାର କରନ୍ତୁ ଏବଂ ସେହି ପ୍ୟାନରେ ଥିବା ବଳକା ଘିଅରେ ତାକୁ ଭାଜନ୍ତୁ । ମଟନ୍ ସିଝିବା ପରେ ରହିଯାଇଥିବା ପାଣିକୁ ଛାଣି ରଖନ୍ତୁ ଏବଂ ମସଲାଗୁଡ଼ିକୁ ବାହାର କରି ଦିଅନ୍ତୁ । ଏକ ମୋଟା ପାତ୍ରରେ ଘିଅ ଗରମ କରି ବାଟି ରଖିଥିବା ଅଦା-ରସୁଣ-ପାନମଧୁରୀ-ଗୁଜୁରାତି ପେଷ୍ଟକୁ ଦେଇ କଷନ୍ତୁ ଯେପର୍ଯ୍ୟନ୍ତ ମସଲାରୁ ତେଲ ଅଲଗା ହୋଇନାହିଁ । ବର୍ତ୍ତମାନ ଭିଜାଯାଇଥିବା ଚାଉଳ ଏବଂ ଲୁଣ ଦିଅନ୍ତୁ ଏବଂ ମଟନ୍ ଷ୍ଟକ୍ (ପାଣି) ବ୍ୟବହାର କରି ଚାଉଳ ୫୦ ପ୍ରତିଶତ ସିଝିବା ଯାଏ ରୋଷେଇ କରନ୍ତୁ । ଏବେ ଭଜା ମଟନ୍ ଏବଂ ଅଜିନୋମୋଟୋ ପକାଇ ଗୋଳାଇ ଦିଅନ୍ତୁ । ପାଣି ସମ୍ପୂର୍ଣ୍ଣ ଶୁଖିବା ଏବଂ ଚାଉଳ ସିଝିବା ପର୍ଯ୍ୟନ୍ତ ରୋଷେଇ କରନ୍ତୁ। ଶେଷରେ ଉପରେ ଭଜା ପିଆଜ ଦେଇ ସଜାଇ ଦିଅନ୍ତୁ । ସାଲାନ୍ ପ୍ରସ୍ତୁତ ପାଇଁ ଟମାଟୋକୁ ସିଝାଇ ତା’ର ଚୋପା ଛଡ଼ାଇ ଦିଅନ୍ତୁ ଏବଂ ଥଣ୍ଡା ହେବା ପରେ ସେହି ପାଣି ସହ ଏହାକୁ ବାଟି ଦିଅନ୍ତୁ । ଏହି ଟମାଟୋ ପେଷ୍ଟରେ କଟା ପିଆଜ, ଧନିଆ ପତ୍ର, କଞ୍ଚାଲଙ୍କା, ଲୁଣ ଏବଂ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ବର୍ତ୍ତମାନ ଏହି ସ୍ୱାଦିଷ୍ଟ ଟମାଟୋ ସାଲାନ୍ ସହିତ ୟଖନି ମଟନ୍ ପୁଲାଓ ପରଷନ୍ତୁ ।



