କଣ ରହିଛି ଟ୍ରେଣ୍ଡ
୨୦୨୬ରେ ଭାରତୀୟ ଫ୍ୟାଶନ ଜଗତ ଏକ ନୂତନ ମୋଡ଼ ନେଉଥିବା ଭଳି ଦେଖିବାକୁ ମିଳୁଛି, ଯେଉଁଠାରେ ରହିଛି ପାରମ୍ପରିକ କଳାକୃତି ସହିତ ଆଧୁନିକ ଶୈଳୀର ଏକ ସୁନ୍ଦର ସମନ୍ୱୟ । ବର୍ତ୍ତମାନର ଫ୍ୟାଶନ କେବଳ ଦେଖିବାକୁ ଭଲ ନୁହେଁ, ବରଂ ଆରାମଦାୟକ ଏବଂ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କଲାଭଳି ହେଉଛି ।
ସ୍ଲୋ ଫ୍ୟାଶନ
ଆଜିକାଲି ପରିବେଶକୁ ସୁହାଇବା ଭଳି ଫ୍ୟାଶନ ବା ସ୍ଥାୟୀ ପୋଷାକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହାକୁ ସ୍ଲୋ ଫ୍ୟାଶନର ମାନତ୍ୟା ମଧ୍ୟ ମିଳିଛି । ଲୋକମାନେ ବର୍ତ୍ତମାନ ଖଦି, ଜୈବିକ କପା ଏବଂ ବାଉଁଶ ରେଶମ ଭଳି ହାତବୁଣା କପଡ଼ାକୁ ପସନ୍ଦ କରୁଛନ୍ତି। ଏହି ପଦକ୍ଷେପ ସ୍ଥାନୀୟ ବୁଣାକାରମାନଙ୍କୁ ସାହାଯ୍ୟ କରିବା ସହ ପରିବେଶ ପ୍ରଦୂଷଣକୁ କମ୍ କରିବାରେ ସହାୟକ ହେଉଛି । ଅନେକ ବ୍ରାଣ୍ଡ୍ ବର୍ତ୍ତମାନ ପୁରୁଣା ଶାଢ଼ୀ ବା ପୋଷାକକୁ ନୂଆ ରୂପ ଦେଇ ଆଧୁନିକ ଲେହେଙ୍ଗା ବା ଜ୍ୟାକେଟ୍ ପ୍ରସ୍ତୁତ କରୁଛନ୍ତି । ଆଜିର ଯୁବପିଢ଼ି ନିଜର ପୋଷାକ ଚୟନ ମାଧ୍ୟମରେ ପ୍ରକୃତି ପ୍ରତି ଥିବା ସମ୍ମାନକୁ ପ୍ରକାଶ କରୁଛନ୍ତି ।
ଇଣ୍ଡୋ-ୱେଷ୍ଟର୍ଣ୍ଣ ଫ୍ୟୁଜନ
ଫ୍ୟୁଜନ ପୋଷାକ ବର୍ତ୍ତମାନ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି, ଯେଉଁଥିରେ ଭାରତୀୟ ଶୈଳୀ ସହ ପାଶ୍ଚାତ୍ୟ ଡିଜାଇନର ମିଶ୍ରଣ ଦେଖିବାକୁ ମିଳୁଛି । ବିଶେଷ କରି ବଡ଼ ସାର୍ଟ ଏବଂ କାଫତାନ ଶୈଳୀର ଡ୍ରେସକୁ ଲୋକେ ଆରାମ ପାଇଁ ବେଶୀ ପସନ୍ଦ କରୁଛନ୍ତି । ପାରମ୍ପରିକ ପ୍ରିଣ୍ଟ୍ ଥିବା କ୍ରପ୍-ଟପ୍ ସହ ଲେହେଙ୍ଗା ପିନ୍ଧିବା କିମ୍ବା ସିଲ୍କ କୁର୍ତ୍ତା ସହ ଜିନ୍ସ ପିନ୍ଧିବା ଏବେ ଏକ ନୂଆ ଟ୍ରେଣ୍ଡ୍ ପାଲଟିଛି । ଏହି ଶୈଳୀ ଅଫିସ୍ ଏବଂ ପାର୍ଟି ଉଭୟ ସ୍ଥାନ ପାଇଁ ଉପଯୁକ୍ତ ହୋଇଥାଏ ।

ଟ୍ରାଡିସନାଲ କ୍ଲାସିକ୍
ଶାଢ଼ୀ ଏବଂ ଅନାରକଲି ଭଳି ପାରମ୍ପରିକ ପୋଷାକଗୁଡ଼ିକ ଏବେ ନୂଆ ଡିଜାଇନରେ ଉପଲବ୍ଧ ହେଉଛି । ଯୁବପିଢ଼ିଙ୍କ ପାଇଁ "ରେଡି-ଟୁ-ୱେୟାର" ବା ପୂର୍ବରୁ ସିଲେଇ ହୋଇଥିବା ଶାଢ଼ୀ ବହୁତ ଲୋକପ୍ରିୟ ହେଉଛି, ଯାହା ପିନ୍ଧିବା ଅତି ସହଜ । ଆଜିକାଲି ଲେହେଙ୍ଗାରେ ଅଧିକ ଚମକ ବଦଳରେ ସୁନ୍ଦର ଭାଙ୍ଗ ବା ପ୍ଲିଟ୍ସର ବ୍ୟବହାର କରି ଏହାକୁ ଏକ କଳାତ୍ମକ ରୂପ ଦିଆଯାଉଛି । ଶାଢ଼ୀ ସହିତ ବେଲ୍ଟ ଏବଂ କୋର୍ସେଟ୍ ଶୈଳୀର ବ୍ଲାଉଜ୍ ଏବେକାର ଫ୍ୟାଶନକୁ ଏକ ସ୍ମାର୍ଟ ଲୁକ୍ ଦେଉଛି । ଏହି ନୂତନ ପରିବର୍ତ୍ତନଗୁଡ଼ିକ ପାରମ୍ପରିକ ପୋଷାକକୁ ଆଧୁନିକ ଜୀବନଶୈଳୀ ସହ ଖାପ ଖୁଆଇବାରେ ସାହାଯ୍ୟ କରୁଛି ।

ଡିଜିଟାଲ୍ ପ୍ରିଣ୍ଟ୍
୨୦୨୬ ମସିହାରେ ପୋଷାକର ରଙ୍ଗରେ ଏକ ନିଆରା ପରିବର୍ତ୍ତନ ଦେଖାଯାଇଛି, ଯେଉଁଥିରେ ହାଲୁକା ଏବଂ ଗାଢ଼ ରଙ୍ଗର ମିଶ୍ରଣ ରହିଛି । କେତେକ ଲୋକ ହାଲୁକା ଧଳା ବା ସେଜ୍ ଗ୍ରୀନ୍ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଗାଢ଼ ପିଙ୍କ୍ ଏବଂ ମେଟାଲିକ୍ ରଙ୍ଗକୁ ଆପଣାଉଛନ୍ତି । ମଧୁବନୀ ଏବଂ ବାନ୍ଧଣୀ ଭଳି ପାରମ୍ପରିକ କଳାକୁ ବର୍ତ୍ତମାନ ଡିଜିଟାଲ୍ ପ୍ରିଣ୍ଟ୍ ମାଧ୍ୟମରେ କପଡ଼ାରେ ସୂକ୍ଷ୍ମ ଭାବେ ଫୁଟାଇ ଦିଆଯାଉଛି । ଏହି ଗାଢ଼ ଏବଂ ସୁନ୍ଦର ପ୍ରିଣ୍ଟଗୁଡ଼ିକ ଆଜିର ଭାରତୀୟ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ପ୍ରକାଶ କରୁଛି ।
Related Posts



