ସମର ଗ୍ଲାମ
ଭାରତର ଅତ୍ୟଧିକ ଖରା ଆମ ଚର୍ମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଝାଳ ଓ ଖରା କାରଣରୁ କଳାଦାଗ, ବ୍ରଣ ଏବଂ ସନ୍ବର୍ଣ୍ଣ ଭଳି ସମସ୍ୟା ଦେଖାଦିଏ। ତେଣୁ ଏହି ଦିନେ ଆମକୁ ତ୍ବଚାର ଖୁବ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା କିଛି ଟ୍ରିକ ସମ୍ପର୍କରେ ।
ସନ୍ସ୍କ୍ରିନ୍ର ବ୍ୟବହାର
ଭାରତୀୟ ପାଣିପାଗରେ ସୂର୍ଯ୍ୟକିରଣ ଖୁବ୍ ପ୍ରଖର ହୋଇଥାଏ। ତେଣୁ ବାହାରକୁ ଯିବାର ୨୦ ମିନିଟ୍ ପୂର୍ବରୁ ଅତି କମରେ ଏସପିଏଫ ୩୦ ବା ତା’ଠାରୁ ଅଧିକ ଏସପିଏଫ ଥିବା ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ‘ଟ୍ୟାନିଂ’ ସହିତ ଅନେକ ଚର୍ମ ରୋଗରୁ ଦୂର କରିବ ।
କ୍ଲିନ୍ଜିଂ
ଗ୍ରୀଷ୍ମ ଋତୁରେ ଚର୍ମରେ ଧୂଳି ଏବଂ ଝାଳ ଜମି ରୋମକୂପ ବନ୍ଦ ହୋଇଯାଏ। ତେଣୁ ଦିନକୁ ଅତି କମରେ ଦୁଇଥର ଏକ ହାଲୁକା ଫେସ୍ୱାସ୍ରେ ମୁହଁ ଧୁଅନ୍ତୁ। ଯଦି ଆପଣଙ୍କ ଚର୍ମ ତେଲିଆ, ତେବେ ସାଲିସିଲିକ୍ ଏସିଡ୍ ଥିବା କ୍ଲିନ୍ଜର୍ ବ୍ୟବହାର କରିବା ଭଲ।
ହାଇଡ୍ରେସନ୍
କେବଳ ବାହାରୁ ନୁହେଁ, ଭିତରୁ ମଧ୍ୟ ଚର୍ମକୁ ସତେଜ ରଖିବା ଜରୁରୀ, ତେଣୁ ହାଇଡ୍ରେସନ ଉପରେ ଧ୍ୟାନ ଦିଅନ୍ତୁ ।ଦିନକୁ ଅତି କମରେ ୩-୪ ଲିଟର ପାଣି ପିଅନ୍ତୁ। ଖାଦ୍ୟରେ ଦହି, ସପୁରୀ, ତରଭୁଜ ଏବଂ କାକୁଡ଼ି ଭଳି ଜଳୀୟ ଅଂଶ ଥିବା ଫଳ ସାମିଲ କରନ୍ତୁ, ଏହା ଆପଣଙ୍କୁ ଭିତରୁ ହାଇଡ୍ରେଟ ରଖିବ ।
ହାଲୁକା ମଏଶ୍ଚରାଇଜର୍
ଅନେକ ଭାବନ୍ତି ଖରାଦିନେ ମଏଶ୍ଚରାଇଜର୍ ଦରକାର ନାହିଁ, କିନ୍ତୁ ଏହା ଭୁଲ। ଖରାଦିନ ପାଇଁ ଭାରୀ କ୍ରିମ୍ ବଦଳରେ ୱାଟର-ବେସ୍ଡ୍ ବା ଜେଲ୍ ମଏଶ୍ଚରାଇଜର୍ ବ୍ୟବହାର କରନ୍ତୁ। ଯାହା ଚର୍ମକୁ ଚିକ୍କଣ ନକରି ଆଦ୍ରତା ପ୍ରଦାନ କରିବ।
ପ୍ରାକୃତିକ ଫେସ୍ ପ୍ୟାକ୍ର
ଘରୋଇ ଉପଚାର ଭାରତୀୟ ଚର୍ମ ପାଇଁ ସବୁଠାରୁ ନିରାପଦ। ତେଣୁ ଚନ୍ଦନ ଏବଂ ଗୋଲାପ ଜଳକୁ ପ୍ୟାକ କରି ବ୍ୟବହାର କରନ୍ତୁ । ଏହା ଚର୍ମକୁ ଥଣ୍ଡା ରଖିବା ସହ ପୋଡ଼ାଜଳା କମାଇଥାଏ। ଏହାସହ ମୁଲତାନି ମାଟି, ଆଲୋଭେରା ଜେଲ୍ ଆଦିରୁ ମଧ୍ୟ ପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ ।
ଆଖି ଏବଂ ଓଠର ଯତ୍ନ
ମୁହଁ ସହ ଆଖି ଚାରିପାଖର ଚର୍ମ ଖୁବ୍ କୋମଳ। ତେଣୁ ବାହାରକୁ ଗଲାବେଳେ ଉତ୍ତମ ମାନର ସନ୍ଗ୍ଲାସ୍ ପିନ୍ଧନ୍ତୁ ଏବଂ ଓଠକୁ ଫାଟିବାରୁ ରକ୍ଷା କରିବା ପାଇଁ ଏସପିଏଫ ଥିବା ଲିପ୍ ବାମ୍ ବ୍ୟବହାର କରନ୍ତୁ।



