ଦୂର କରନ୍ତୁ ରୂପି ସମସ୍ୟା
ରୂପି ଏକ ସାଧାରଣ ସମସ୍ୟା ହେଲେ ମଧ୍ୟ ଏହା ଆମ କେଶ ଝଡ଼ିବାର ମୁଖ୍ୟ କାରଣ ସାଜିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏକ ସଠିକ୍ ହେୟାର କେୟାର ରୁଟିନ୍ ଅନୁସରଣ କରିବା ନିହାତି ଜରୁରୀ। ତେଣୁ ଘରେ କିଛି ସାଧାରଣ ପନ୍ଥା ଆପଣାଇ ମଧ୍ୟ ଏହି ସମସ୍ୟାକୁ ସମାଧାନ କରିହେବ ।
ଆଣ୍ଟି-ଡ୍ରାଣ୍ଡ୍ରଫ୍ ସାମ୍ପୁର ଚୟନ
ରୂପି ଦୂର କରିବା ପାଇଁ ସାଧାରଣ ଶାମ୍ପୁ ବଦଳରେ ମେଡିକେଟେଡ୍ ସାମ୍ପୁ ବ୍ୟବହାର କରନ୍ତୁ। ଏହା ମୁଣ୍ଡରେ ଥିବା ଫଙ୍ଗସ୍କୁ ନଷ୍ଟ କରିବାରେ ସାହାଯ୍ୟ କରେ। ସପ୍ତାହରେ ଅତି କମରେ ୨-୩ ଥର ଏହି ଶାମ୍ପୁ ବ୍ୟବହାର କରନ୍ତୁ।
ମୃତ କୋଷକୁ ବାହାର କରନ୍ତୁ
ଯେମିତି ଆମେ ଚେହେରାରୁ ମୃତ କୋଷ ବାହାର କରୁ, ସେମିତି ମୁଣ୍ଡରୁ ମଧ୍ୟ ମୃତ କୋଷ ବାହାର କରିବା ଜରୁରୀ। ଏକ ସ୍କାଲ୍ପ ସ୍କ୍ରବ୍ କିମ୍ବା ନରମ ବ୍ରସ ସାହାଯ୍ୟରେ ମୁଣ୍ଡକୁ ଧୀରେ ଧୀରେ ମସାଜ୍ କରନ୍ତୁ। ଏହା ଜମା ହୋଇ ରହିଥିବା ରୂପିକୁ ବାହାର କରିଦିଏ ଏବଂ ରକ୍ତ ସଞ୍ଚାଳନ ବୃଦ୍ଧି କରେ।
ଉଷୁମ ତେଲରେ ମସାଜ୍ କରନ୍ତୁ
ଅତ୍ୟଧିକ ଶୁଷ୍କତା ଯୋଗୁଁ ରୂପି ହେଉଥିଲେ, ନଡ଼ିଆ ତେଲ କିମ୍ବା ଅଲିଭ୍ ଅଏଲ୍କୁ ସାମାନ୍ୟ ଉଷୁମ କରି ମୁଣ୍ଡରେ ଲଗାନ୍ତୁ। ଏଥିରେ କିଛି ବୁନ୍ଦା ଟି-ଟ୍ରି ଅଏଲ୍ ମିଶାଇ ପାରିବେ, ଯାହାର ଆଣ୍ଟି-ଫଙ୍ଗାଲ୍ ଗୁଣ ରୂପିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବାରେ ଶକ୍ତିଶାଳୀ ହୋଇଥାଏ।
ପ୍ରାକୃତିକ ହେୟାର ପ୍ୟାକ୍
ଘରୋଇ ଉପଚାର ଭାବେ ଦହି ଏକ ଉତ୍ତମ ବିକଳ୍ପ। ଏକ କପ୍ ଦହିରେ ଅଧା ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ ଏବଂ ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଦହି କେଶକୁ କଣ୍ଡିସନିଂ କରେ ଏବଂ ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ସ୍କାଲ୍ପର ପିଏଚ୍ ସ୍ତରକୁ ସନ୍ତୁଳିତ ରଖେ।
ତଉଲିଆକୁ ସଫା ରଖନ୍ତୁ
ରୂପି ଏକ ସଂକ୍ରମଣ ଭଳି ବ୍ୟାପିଥାଏ। ତେଣୁ ସବୁବେଳେ ନିଜର ତଉଲିଆ ଏବଂ ତକିଆ ଖୋଳ ସଫା ରଖନ୍ତୁ। ଅନ୍ୟ କାହାର ତଉଲିଆ ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ଫଙ୍ଗସ୍ ସଂକ୍ରମଣ ଜଣଙ୍କଠାରୁ ଅନ୍ୟଜଣଙ୍କୁ ଯାଇପାରେ।
ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ
କେବଳ ବାହାର ଯତ୍ନ ଯଥେଷ୍ଟ ନୁହେଁ। ଆପଣଙ୍କ ଖାଦ୍ୟରେ ଜିଙ୍କ୍, ଭିଟାମିନ୍ ବି ଏବଂ ଓମେଗା-୩ ଫ୍ୟାଟି ଏସିଡ୍ର ପରିମାଣ ବଢ଼ାନ୍ତୁ। ଅତ୍ୟଧିକ ଚିନି ଏବଂ ମଇଦା ଜାତୀୟ ଖାଦ୍ୟ ଖାଇଲେ ରୂପି ସମସ୍ୟା ବଢ଼ିପାରେ, ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।



