ପୋଇ ସୋରିଷ ଘାଣ୍ଟ
ସାମଗ୍ରୀ _ ପୋଇ ପତ୍ର ଓ ଡାଙ୍ଗ, ମାଛ ମୁଣ୍ଡ, କଖାରୁ, ଗାଜର, ଆଳୁ, ଦେଶୀଆଳୁ, ସାରୁ, ପୋଟଳ, ଟମାଟୋ କଟା,ପିଆଜ କଟା, ରସୁଣ ଅଦା ଛେଚା, ବୁଟଡାଲି, ଧଳା ସୋରିଷ ବଟା, ଗୋଟା ଜିରା, ଧନିଆ, ଶୁଖିଲା ଲଙ୍କା, ନଡିଆ କୋରା ।
ପ୍ରଣାଳୀ _ ପ୍ରଥମେ ମାଛ ମୁଣ୍ଡକୁ ଭଲକରି ଭାଜି କାଢି ଦିଅନ୍ତୁ ଏବଂ ବୁଟ ଡାଲିକୁ ସିଝାଇ କାଢି ରଖନ୍ତୁ । ଗୋଟିଏ ବଡ ପାତ୍ରରେ ସୋରିଷ ତେଲରେ ଗୋଟା ଗରମ ମସଲା ପକାନ୍ତୁ ଏହାପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭଲକରି ଭାଜି ହୋଇଗଲେ ଏଥିରେ ଅଦା ରସୁଣ ଛେଚା ପକାନ୍ତୁ । ଏହାପରେ ଜିରା, ଧନିଆ ଓ ଶୁଖିଲା ଲଙ୍କାର ବଟା ପକାଇ କସନ୍ତୁ । ଅଳ୍ପ ସମୟ ପରେ ହଳଦୀ ଓ ଲଙ୍କା ଗୁଣ୍ଡ , ମିଟ ମସଲା ଅଳ୍ପ ଦିଅନ୍ତୁ । ମସଲା କସି ହେବାପରେ ଏଥିରେ ଟମାଟୋ କଟା ପକାଇ ନିଅନ୍ତୁ । ସମସ୍ତ ମସଲାରୁ ତେଲ ଛାଡିବା ପରେ ଏଥିରେ ପରିବା ପକାଇ ଭାଜନ୍ତୁ । ପରିବା ଅଧା ସିଝା ହୋଇ ଆସିଲେ ଏଥିରେ ପୋଇ ପତ୍ର, ବୁଟ ଡାଲି ଓ ମାଛକୁ ଦେଇ ଘାଣ୍ଟନ୍ତୁ । ଭଲକରି ଘାଣ୍ଟିବା ପରେ ଅଳ୍ପ ପରିମାଣରେ ବାଟି ରଖିଥିବା ଧଳା ସୋରିଷର ବଟା ପକାନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ପାଣି ଦେଇ ଫୁଟିବାକୁ ଛାଡନ୍ତୁ । ସମସ୍ତ ପରିବା ଭଲକରି ସିଝିଯିବା ପରେ ଏଥିରେ ଅଳ୍ପ ନଡିଆ କୋରା ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ପୋଇ ସୋରିଷ ଘାଣ୍ଟ । ଆପଣ ଚାହିଁଲେ ବିନା ମାଛରେ ମଧ୍ୟ ଏହାକୁ କରିପାରିବେ ।



