ପିଲାଙ୍କ କ୍ଷେତ୍ରରେ ବଢୁଛି ମାୟୋପିଆ

ପିଲାଙ୍କ କ୍ଷେତ୍ରରେ ବଢୁଛି ମାୟୋପିଆ
Ipsita Picture
By: Ipsita
Published On

 

ଆଜିର ଆଧୁନିକ ଲାଇଫ୍ଷ୍ଟାଇଲ୍ରେ ଶିଶୁ ତଥା କୋମଳମତି ପିଲାମାନେ ଖେଳପଡ଼ିଆ ଛାଡ଼ି ମୋବାଇଲ୍, ଟାବଲେଟ୍ଓ ଟିଭି ସ୍କ୍ରିନ୍ସାମ୍ନାରେ ଅଧିକ ସମୟ ବିତାଉଛନ୍ତି । ତେବେ ଏହାର ଗମ୍ଭୀର ପ୍ରଭାବ ସେମାନଙ୍କ ଆଖି ଉପରେ ପଡୁଛି । ବାହାରେ ଶାରୀରିକ ପରିଶ୍ରମ ଓ ଆଉଟ୍ଡୋର ଆକ୍ଟିଭିଟି କମିଯିବା ଯୋଗୁଁ ପିଲାଙ୍କ ମଧ୍ୟରେ ମାୟୋପିଆ’  ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନର ଏକ ଅଧ୍ୟୟନ ଅନୁଯାୟୀ, ଆସନ୍ତା ୨୦୫୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜନସଂଖ୍ୟାକୁ ଚଷମା ପିନ୍ଧିବାକୁ ପଡ଼ିପାରେ । ବର୍ତ୍ତମାନ ଭାରତର ସହରାଞ୍ଚଳରେ ପ୍ରାୟ ୧୪ ପ୍ରତିଶତ ପିଲା ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏହା କ୍ରମାଗତ ଭାବେ ବଢ଼ିଚାଲିଛି । ଏହି ସଂକଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଅଲ୍ ଇଣ୍ଡିଆ ଅପ୍ଥାଲ୍ମୋଲୋଜିକାଲ ସୋସାଇଟିପକ୍ଷରୁ ଏକ ଜାତୀୟ ଗାଇଡ୍ଲାଇନ୍ ଜାରି କରାଯାଇଛି, ଯେଉଁଥିରେ ପିଲାଙ୍କ ଆଖିର ନିୟମିତ ଯାଞ୍ଚ କରିବା, ସ୍କ୍ରିନ୍ ଟାଇମ୍ କମାଇବା ଏବଂ ଦୈନିକ ଅତିକମରେ ଦୁଇ ଘଣ୍ଟା ବାହାରେ ଖେଳକୁଦ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ଅନୁସାରେ ପ୍ରାକୃତିକ ସୂର୍ଯ୍ୟାଲୋକର ଅଭାବ ଯୋଗୁଁ ଆଖିର ସ୍ୱାଭାବିକ ବିକାଶ ବାଧାପ୍ରାପ୍ତ ହେଉଛି, ଯାହା ପରବର୍ତ୍ତୀ ସମୟରେ ପିଲାଙ୍କ ପାଠପଢ଼ା, ଭବିଷ୍ୟତର କାର୍ଯ୍ୟଦକ୍ଷତା ତଥା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ । ମାୟୋପିଆ କେବଳ ଚଷମା ଲାଗିବା ଭଳି ଏକ ସାଧାରଣ ସମସ୍ୟା ନୁହେଁ, ବରଂ ଅଧିକ ପାୱାର ବଢ଼ିଗଲେ ଏହା ଆଖିର ଗମ୍ଭୀର ରୋଗର କାରଣ ମଧ୍ୟ ପାଲଟିପାରେ । ଏହାକୁ ସମ୍ପୂର୍ଣ୍ଣ ଭାବେ ଭଲ କରାଯାଇନପାରିଲେ ମଧ୍ୟ ଚଷମା, ଲୋ-ଡୋଜ୍ ଆଟ୍ରୋପିନ୍ ଆଇ ଡ୍ରପ୍ସ, ଅର୍ଥୋ-କେ ଲେନ୍ସ ଏବଂ ସଫ୍ଟ ମଲ୍ଟିଫୋକାଲ କଣ୍ଟାକ୍ଟ ଲେନ୍ସ ସାହାଯ୍ୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାର ପ୍ରଭାବକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିରୁ ବର୍ତ୍ତିବା ପାଇଁ ପିଲାମାନେ ବହି ବା ମୋବାଇଲକୁ ଆଖିଠାରୁ ୨୫-୩୦ ସେମି ଦୂରରେ ରଖିବା, ପର୍ଯ୍ୟାପ୍ତ ଆଲୋକରେ ପଢ଼ିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୨୦-୨୦-୨୦ନିୟମ (ପ୍ରତି ୨୦ ମିନିଟ୍ରେ ୨୦ ସେକେଣ୍ଡ ପାଇଁ ୨୦ ଫୁଟ୍ ଦୂରକୁ ଚାହିଁବା) ଅନୁସରଣ କରିବା ଉଚିତ । ପିତାମାତାମାନେ ନିଜେ ସ୍କ୍ରିନ୍ ବ୍ୟବହାର କମାଇ ଉଦାହରଣ ସାଜିବା ସହ ଘରେ ନୋ-ସ୍କ୍ରିନ୍ ଜୋନ୍ତିଆରି କରିବା ଏବଂ ପିଲାଙ୍କ ମଧ୍ୟରେ ବହି ପଢ଼ିବା, ଚିତ୍ର ଆଙ୍କିବା ଓ ବାହାରେ ଖେଳିବା ଭଳି ସୁଭ୍ୟାସ ଗଠନ କରାଇଲେ ହିଁ ଭବିଷ୍ୟତ ପିଢ଼ିର ଆଖିକୁ ଏହି ମାୟୋପିଆର କବଳରୁ ସୁରକ୍ଷିତ ରଖାଯାଇପାରିବ ।

Tags: