ଜୀବନଶୈଳୀ କମାଇବ ହୃଦଘାତ
ଆମର ଦୈନନ୍ଦିନ ଅଭ୍ୟାସରେ ସାମାନ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିବା ଦ୍ୱାରା ହୃଦ୍ଘାତ ଏବଂ ଷ୍ଟ୍ରୋକ୍ ଭଳି ଗମ୍ଭୀର ସମସ୍ୟାର ବିପଦକୁ ଯଥେଷ୍ଟ ପରିମାଣରେ କମାଯାଇପାରିବ ବୋଲି ସିଡନୀ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି । ପ୍ରାୟ ୫୩,୨୪୨ ଜଣ ବ୍ୟକ୍ତିଙ୍କ ଉପରେ ଦୀର୍ଘ ୮ ବର୍ଷ ଧରି ଏହି ଅନୁଧ୍ୟାନ କରାଯାଇଥିଲା । ମିଳିଥିବା ତଥ୍ୟ ଅନୁସାରେ ଯଦି ଜଣେ ବ୍ୟକ୍ତି ଦୈନନ୍ଦିନ ମାତ୍ର ୧୧ ମିନିଟ୍ ଅଧିକ ଶୋଉଛନ୍ତି, ୪.୫ ମିନିଟ୍ ଅଧିକ ବ୍ୟାୟାମ କରୁଛନ୍ତି ଏବଂ ଖାଦ୍ୟରେ ଅଳ୍ପ ପରିମାଣର ପନିପରିବା ବୃଦ୍ଧି କରୁଛନ୍ତି ତେବେ ହୃଦ୍ରୋଗ ଜନିତ ବିପଦ ପ୍ରାୟ ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ । ଗବେଷକଙ୍କ ମତରେ, ଏକାଥରକେ ବଡ଼ ପରିବର୍ତ୍ତନ କରିବା ଅପେକ୍ଷା ଜୀବନଶୈଳୀର ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ପରିବର୍ତ୍ତନ କରିବା ସହଜ ଏବଂ ଅଧିକ ପ୍ରଭାବଶାଳୀ ହୋଇଥାଏ । ଅନ୍ୟପଟେ, ଯେଉଁମାନେ ଦୈନିକ ୮-୯ ଘଣ୍ଟା ଶୋଉଛନ୍ତି, ଅତିକମରେ ୪୨ ମିନିଟ୍ ଶାରୀରିକ ପରିଶ୍ରମ କରୁଛନ୍ତି ଏବଂ ସୁଷମ ଖାଦ୍ୟ ଗ୍ରହଣ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ହୃଦ୍ରୋଗର ଆଶଙ୍କା ୫୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଚାଲିବା କିମ୍ବା ପାହାଚ ଚଢ଼ିବା ଭଳି ସାଧାରଣ କାର୍ଯ୍ୟ ମଧ୍ୟ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୁଏ । ବର୍ତ୍ତମାନ ସମୟରେ ହୃଦ୍ରୋଗ ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ ସାଜିଥିବା ବେଳେ, ଏହି ରିପୋର୍ଟ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ସାଧାରଣ ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।



