ବଡ଼ଦିନରେ ଗଛ ସଜାଇବାର ତାତ୍ପର୍ଯ୍ୟ
ଖ୍ରୀଷ୍ଟମାସ୍ ବା ବଡ଼ଦିନରେ ପ୍ରତ୍ୟେକ ଖ୍ରୀଷ୍ଟଧର୍ମୀଲୋକଙ୍କ ଘରେ ଖ୍ରୀଷ୍ଟମାସ୍ ଗଛ ସଜାଯାଇଥିବା ଦେଖିବାକୁ ମିଳେ । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜିତ ଗଛ ଘରକୁ ଆଣୁଥିଲେ […]
ଖ୍ରୀଷ୍ଟମାସ୍ ବା ବଡ଼ଦିନରେ ପ୍ରତ୍ୟେକ ଖ୍ରୀଷ୍ଟଧର୍ମୀଲୋକଙ୍କ ଘରେ ଖ୍ରୀଷ୍ଟମାସ୍ ଗଛ ସଜାଯାଇଥିବା ଦେଖିବାକୁ ମିଳେ । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ ।

ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ ଖ୍ରୀଷ୍ଟମାସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା । ତେବେ ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ୍ ଗଛକୁ ନେଇ ବହୁତ କାହାଣୀ ରହିଛି ।
ବ୍ରିଟେନ୍ କାହାଣୀ ଅନୁସାରେ, ବଡ଼ଦିନରେ ଗୀର୍ଜାଘର ଓ ଘରର ସବୁଜ ଡାଳପତ୍ରରେ ସଜାଯାଏ । ଦୁଇ ଶତାବ୍ଦୀ ପୂର୍ବେ ବ୍ରିଟେନ୍ ଦେଶରେ ହାନୋଭର୍ ରାଜାଙ୍କ ସହ ବନ୍ଧୁମିଳନ ଅବସରରେ ରାଜା ତୃତୀୟ ଜର୍ଜଙ୍କ ଜର୍ମାନ୍ ପତ୍ନୀ ଶାର୍ଲଟ୍ ୧୮୦୦ ମସିହାରେ ପିଲାଙ୍କୁ ଖ୍ରୀଷ୍ଟମାସ୍ ଗଛ ସହିତ ପରିଚିତ କରାଇଲେ । ସେ ସମୟରେ ରାଜ ପରିବାରକୁ ଛାଡ଼ି ଅନ୍ୟତ୍ର ଏହି ପ୍ରଥାର ସେତେଟା ଚଳନ ନଥିଲା । ନିଜ କିଶୋରାବସ୍ଥାରୁ ରାଣୀ ଭିକେଫାରିଆ ଏହି ପ୍ରଥା ସହିତ ପରିଚିତ ଥିଲେ ଓ ପ୍ରତିବର୍ଷ ବଡ଼ଦିନରେ ତାଙ୍କ କୋଠରୀରେ ଖ୍ରୀଷ୍ଟମାସ୍ ଗଛ ରଖାଯାଉଥିଲା ।
ଖ୍ରୀଷ୍ଟମାସ୍ ଗଛକୁ ଇଂଲଣ୍ଡରେ ଲୋକମାନେ ଜନ୍ମ, କୌଣସି ପ୍ରକାର ଖୁସି ଏବଂ ସମ୍ପକୀୟଙ୍କର ମୃତୁ୍ୟରେ ମଧ୍ୟ ସଜାଇଥାନ୍ତି । ଏହି ଗଛ ଜରିଆରେ ସେମାନେ ଅନ୍ୟମାନଙ୍କର ଖୁସି ସହିତ ପୃଥିବୀ ସଦାସର୍ବଦା ଚିରସବୁଜ ରହିଥାଉ ବୋଲି ପାର୍ଥନା କରିଥାନ୍ତି ।

ବାଇବେଲ୍ ଗ୍ରନ୍ଥ ଅନୁସାରେ, ସ୍ୱର୍ଗର ଗଛ ସହିତ ଖ୍ରୀଷ୍ଟମାସ୍ ଗଛର ସମ୍ପର୍କ ରହିଛି । ପବିତ୍ର ଗ୍ରନ୍ଥ ବାଇବେଲ୍ର ଏକ କାହାଣୀ ଅନୁସାରେ, ଆଡାମ୍ ଓ ଇଭ୍ ନାମକ ପ୍ରଥମ ପୁରୁଷ ଓ ସ୍ତ୍ରୀଙ୍କଠାରୁ ମାନବ ଜାତିର ସୃଷ୍ଟି । ଏହି କାହାଣୀରେ ଲାଲ୍ ସେଓ ଓ େୱଫର୍ ଇତ୍ୟାଦିରେ ଲଦା ଏକ ଗଛ ରହିଥିଲା । ଯୀଶୁ ଜନ୍ମ ବୃତ୍ତାନ୍ତର ଦୃଶ୍ୟ ସହିତ ଏହି ସ୍ୱର୍ଗର ଗଛକୁ ମଧ୍ୟ ଘରମାନଙ୍କରେ ଲୋକେ ସଜାଇବାକୁ ଲାଗିଲେ ।

ଗଛମାନଙ୍କରେ ସେଓ ଫଳ ପରିବର୍ତ୍ତେ ଲାଲ୍ ରଙ୍ଗର ବଲ୍ ଖଞ୍ଜି ଦିଆଯାଉଥିଲା ।
ପାରମ୍ପରିକ ଭାବେ ଖ୍ରୀଷ୍ଟମାସ୍ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, େୱଫର୍, ରଙ୍ଗୀନ ଜରି, ପାଉଁରୁଟି ଓ ମିଷ୍ଟାନ ଇତ୍ୟାଦି ଦ୍ୱାରା ସଜାଇବାର ପ୍ରଥା ରହିଥିଲା । ସମୟର ପରିବର୍ତ୍ତନ ସହିତ ଗଛକୁ ସଜାଇବାର ପରମ୍ପରାରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଅଷ୍ଟାଦଶ ଶତାବ୍ଦୀ ବେଳକୁ ଖ୍ରୀଷ୍ଟମାସ୍ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ସଜାଗଲା ।

ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ରଙ୍ଗୀନ୍ ମାଳା,ବଲ୍ , ଛୋଟ ଛୋଟ ଉପହାର ଓ ଚକୋଲେଟ୍ ଆଦି ଆକର୍ଷଣୀୟ ସାମଗ୍ରୀରେ ସଜାଯାଉଛି । ଗଛର ସର୍ବୋଚ୍ଚ ଭାଗରେ ଏକ ପ୍ରଜ୍ୱଳମାନ ତାରକା ଖଞ୍ଚିତ ହୋଇଥାଏ । ଯାହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର ‘ବେଥ୍ଲେହେମ୍’ ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍ଙ୍କୁ ସୂଚାଏ ।

ଜର୍ଜିଆ ଦେଶର ପରମ୍ପରା ଅନୁସାରେ,ଖ୍ରୀଷ୍ଟମାସ ଗଛକୁ ‘ଚିଚିଲାକି’ ବୋଲି କୁହାଯାଇଥାଏ । ଶୁଖିଲା ହେଜେଲ୍ ନଟ୍ ବା ୱାଲ୍ ନଟ୍ ଶାଖାକୁ ବ୍ୟବହାର କରି ଏକ ଛୋଟ କୋଣାକାର ଗଛର ଆକାର ପ୍ରଦାନ କରାଯାଏ । ଚିଚିଲାକି ପ୍ରାୟତଃ ୨୦ ସେଣ୍ଟିମିଟରରୁ ନେଇ ୩ ମିଟର୍ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ହୋଇଥାଏ ।

ଜର୍ଜିଆର କୃଷ୍ଣ ସାଗର ଉପକୂଳବର୍ତ୍ତୀ ଗୁରିଆ ଓ ସାମେଗ୍ରେଲୋ ଅଞ୍ଚଳରେ ଚିଚିଲାକିି ରଖିବା ଏକ ସାଧାରଣ ପ୍ରଥା । ଜର୍ଜିଆ ପରମ୍ପରାଅନୁସାରେ, ଗୀର୍ଜାଘରମାନେ ଜାନୁଆରୀ ପହିଲାରେ ସନ୍ଥ ବେସିଲ୍ଙ୍କୁ ପୂଜା କରନ୍ତି ଓ ଜର୍ଜୀୟମାନଙ୍କ ବିଶ୍ୱାସ ଅନୁସାରେ ଚିଚିଲାକି ମହାନ୍ ସନ୍ଥ ବେସିଲ୍ଙ୍କ ଦାଢ଼ି ପରି ଦେଖାଯାଏ ।
ଖ୍ରୀଷ୍ଟମାସ ଗଛକୁ ନେଇ ପୋଲାଣ୍ଡ ଦେଶରେ ଏକ ନିଆରା ପରମ୍ପରା ଦେଖାଯାଏ । ପୋଲାଣ୍ଡ୍ ଦେଶରେ ଘର ଛାତରୁ ଏକ ପାଇନ୍ ଓ ଫିର୍ ଗଛର ଡାଳ ଝୁଲାଇ ରଖାଯାଏ । ଏହାକୁ ‘ପ୍ୟାନିକଲ୍’ କୁହନ୍ତି ।

ପରଜୀବୀ ଗୁଳ୍ମ ଓ ଲତା ମଧ୍ୟ ଏହି ପ୍ରଥାନୁସାରେ ଗ୍ରହଣୀୟ ଥିଲା । ସେହି ଲତାର ଡାଳରେ ସେଓ, ବାଦାମ, ବିସ୍କୁଟ୍, ରଙ୍ଗୀନ୍ କାଗଜ, ରିବନ୍ ଫିତା, ତାରା ଓ େୱଫର୍ ଲଗାଇ ସଜା ଯାଏ । ଏପରି କଲେ ଗଛର ଚମତ୍କାରୀ ଶକ୍ତି ଯୋଗୁଁ ଆଗାମୀ ଶସ୍ୟ ଅମଳ ଭଲ ହୁଏ ବୋଲି ବିଶ୍ୱାସ ରହିଛି ।




