ଘରକୁ ରଖନ୍ତୁ ସୁଖୀ   

ଘରକୁ ରଖନ୍ତୁ ସୁଖୀ   
Ipsita Picture
By: Ipsita
Published On

 

ଏକ ସୁଖୀ ଏବଂ ସମୃଦ୍ଧ ପରିବାର ପାଇଁ ଘରେ ସକାରାତ୍ମକ ଶକ୍ତି  ରହିବା ଅତ୍ୟନ୍ତ ଆବଶ୍ୟକ। ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ସହଜ ଉପାୟ ଆପଣେଇଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏକ ସକାରାତ୍ମକ ଘର ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ଟିପ୍ସକୁ ଅନୁକରଣ କରିପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ଟିପ୍ସ ସମ୍ପର୍କରେ ।

 

୧. ମୁଖ୍ୟ ପ୍ରବେଶ ଦ୍ୱାର

ଘରର ମୁଖ୍ୟ ଦ୍ୱାର ସବୁବେଳେ ସଫାସୁତୁରା ଏବଂ ଆଲୋକିତ ରହିବା ଉଚିତ୍। ବାସ୍ତୁ ଅନୁଯାୟୀ, ମୁଖ୍ୟ ଦ୍ୱାରରେ ଓଁ  କିମ୍ବା ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରକୁ ଶୁଭ ଶକ୍ତିର ଆଗମନ ହୁଏ ଏବଂ ବାହାରର ଖରାପ ଦୃଷ୍ଟି ପଡ଼େ ନାହିଁବୋଲି ବିଶ୍ବାସ ରହିଛି ।

 

୨. ପୂଜା ଘରର ଦିଗ

 ପୂଜା ଘର ସର୍ବଦା ଈଶାନ୍ୟ କୋଣ (ଉତ୍ତର-ପୂର୍ବ ଦିଗ)ରେ ହେବା ଆବଶ୍ୟକ। ଏହି ଦିଗ ଦେବତାଙ୍କ ବାସସ୍ଥାନ ବୋଲି କୁହାଯାଏ, ଯାହା ଘର ମଧ୍ୟରେ ଶାନ୍ତି ଏବଂ ଆଧ୍ୟାତ୍ମିକ ସକାରାତ୍ମକତା ବଜାୟ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ପୂଜା ଘର ନିର୍ମାଣ ପୂର୍ବରୁ ଏ ଦିଗରେ ଧ୍ୟାନ ଦିଅନ୍ତୁ ।

 

୩. ଶୋଇବା ଘରର ବ୍ୟବସ୍ଥା

ଶୋଇବା ଘର ସବୁବେଳେ ଦକ୍ଷିଣ-ପଶ୍ଚିମ (ନୈଋତ କୋଣ) ଦିଗରେ ହେବା ଭଲ। ଶୋଇବା ସମୟରେ ମୁଣ୍ଡ ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରଖି ଶୋଇବା ଉଚିତ୍, ଏହା ଦ୍ୱାରା ଗଭୀର ନିଦ୍ରା ହେବା ସହ ମାନସିକ ଶାନ୍ତି ମିଳିଥାଏ।

 

୪. ରୋଷେଇ ଘରର ସ୍ଥାନ

ରୋଷେଇ ଘର ପାଇଁ ଅଗ୍ନି କୋଣ (ଦକ୍ଷିଣ-ପୂର୍ବ ଦିଗ) ସବୁଠାରୁ ଉପଯୁକ୍ତ ସ୍ଥାନ। ରୋଷେଇ କଲାବେଳେ ମୁହଁ ପୂର୍ବ ଦିଗକୁ ରହିଲେ ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ ଏବଂ ଅନ୍ନପୂର୍ଣ୍ଣାଙ୍କ କୃପା ବଜାୟ ରହେବୋଲି ବିଶ୍ବାସ ରହିଛି ।

 

୫. ଦର୍ପଣର ବ୍ୟବହାର

ଘରେ ଦର୍ପଣ ସର୍ବଦା ଉତ୍ତର କିମ୍ବା ପୂର୍ବ କାନ୍ଥରେ ଲଗାଇବା ଉଚିତ୍। ଧ୍ୟାନ ରଖନ୍ତୁ ଯେପରି ଶୋଇବା ସମୟରେ ଆପଣଙ୍କ ପ୍ରତିବିମ୍ବ ଦର୍ପଣରେ ଦେଖା ନଯାଏ, କାରଣ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ ଏବଂ ଶରୀରରେ କ୍ଳାନ୍ତି ଆଣିଥାଏ।

 

୬. ବାୟୁ ଏବଂ ଆଲୋକ

ଘରର ଝରକାଗୁଡ଼ିକ ଏପରି ହେବା ଉଚିତ୍ ଯେପରି ସକାଳର ସୂର୍ଯ୍ୟ କିରଣ ଏବଂ ଶୁଦ୍ଧ ବାୟୁ ଭିତରକୁ ଆସିପାରିବ। ସୂର୍ଯ୍ୟ କିରଣ ପ୍ରାକୃତିକ ଭାବେ କୀଟାଣୁ ନାଶ କରିବା ସହ ଘରର ବାତାବରଣକୁ ସକାରାତ୍ମକ ଶକ୍ତିରେ ଭରିଦିଏ।

Tags: