ବିଦ୍ୟୁତ ଝଟକା ମାରିବ ଦାନ୍ତ ବ୍ୟାକ୍ଟେରିଆ
ଦାନ୍ତ ଘଷିବାର ମାତ୍ର କିଛି ଘଣ୍ଟା ପରେ ପାଟିରେ ପୁଣି ବ୍ୟାକ୍ଟେରିଆ ଜମା ହେବା ଆରମ୍ଭ କରିଥାଏ । ତେବେ ଚୀନର ବୈଜ୍ଞାନିକମାନେ ଏକ ଏପରି ଅଭିନବ ଟୁଥବ୍ରଶ୍ ବିକଶିତ କରିଛନ୍ତି ଯାହା ବ୍ରିସଲ୍ସ ମାଧ୍ୟମରେ ସାମାନ୍ୟ ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରି ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ପଲିଭିନାଇଲିଡିନ୍ ଫ୍ଲୋରାଇଡ୍ ନାମକ ଏକ ପଦାର୍ଥରୁ ନିର୍ମିତ ଏହି ଟୁଥବ୍ରଶର ବ୍ରିସଲ୍ସ ଦାନ୍ତ ଘଷିବା ସମୟରେ ସାମାନ୍ୟ ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରେ । ଯାହା ‘ରିଆକ୍ଟିଭ୍ ଅକ୍ସିଜେନ୍ ସ୍ପିସିସ୍’ ଉତ୍ପନ୍ନ କରି ବ୍ୟାକ୍ଟେରିଆ ବ୍ୟାପିବା ରୋକିବାରେ ସାହାଯ୍ୟ କରେ । ଦାନ୍ତ ଓ ମାଢ଼ି ସମସ୍ୟାରେ ପୀଡ଼ିତ ୧୧୫ ଜଣ ଲୋକଙ୍କ ଉପରେ ଗବେଷକମାନେ ଏହି ଟୁଥବ୍ରଶର ପରୀକ୍ଷଣ କରିଥିଲେ । ତିନିମାସ ପରେ ଅଂଶଗ୍ରହଣକାରୀଙ୍କ ନିକଟରେ ସାଧାରଣ ଟୁଥବ୍ରଶ୍ ତୁଳନାରେ ପ୍ଲକ୍ , ମାଢ଼ି ଫୁଲା ଏବଂ ରକ୍ତସ୍ରାବ ଅଧିକ ପ୍ରଭାବଶାଳୀ ଭାବେ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ‘ସାଇନ୍ସ ଆଡଭାନ୍ସେସ୍’ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ପରୀକ୍ଷାଗାର ଏବଂ ପଶୁମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ଏହି ନୂତନ ଟୁଥବ୍ରଶରେ ୯୯ ପ୍ରତିଶତରୁ ଅଧିକ ସଫେଇ ଦକ୍ଷତା ଥିବା ଜଣାପଡ଼ିଛି । ପରୀକ୍ଷଣ ସମୟରେ କୌଣସି ବ୍ୟବହାରକାରୀ ଯନ୍ତ୍ରଣା କିମ୍ବା ବିଦ୍ୟୁତ୍ ଝଟକା ଅନୁଭବ କରିନଥିବା ସୂଚନା ମିଳିଛି ।




