ଛତୁ ବେସର
ସାମଗ୍ରୀ:
ଛତୁ ୨୫୦-୩୦୦ ଗ୍ରାମ (ଭଲଭାବେ ଧୋଇ କାଟି ରଖନ୍ତୁ), ୧ଟି ଆଳୁ (ଛୋଟ ଖଣ୍ଡ କରି କଟା), ୧ଟି ଟମାଟୋ (କଟା), ୨ ଚାମଚ ସୋରିଷ, ୧ ଚାମଚ ଜିରା, ୫-୬ କୋଲା ରସୁଣ ଏବଂ ୨ଟି ଶୁଖିଲା ଲଙ୍କାକୁ ଅଳ୍ପ ପାଣି ଦେଇ ଚିକ୍କଣ କରି ବାଟି ଦିଅନ୍ତୁ। ତେଲ, ଫୁଟଣ, ୧ଟି କଟା ପିଆଜ, ହଳଦୀ ଗୁଣ୍ଡ, ଲୁଣ, ଅଳ୍ପ ଚିନି, କଟା ଧନିଆ ପତ୍ର, ଆମ୍ବୁଲ ।
ପ୍ରଣାଳୀ:
ପ୍ରଥମେ କଟା ଛତୁରେ ଅଳ୍ପ ଲୁଣ ଓ ହଳଦୀ ଗୋଳାଇ କଡ଼ାଇରେ ଅଳ୍ପ ଭାଜି ଦିଅନ୍ତୁ ଯେପରି ଛତୁରୁ ପାଣି ମରିଯିବ। ଏହାକୁ ଏକ ପାତ୍ରକୁ କାଢ଼ି ରଖନ୍ତୁ। ସେହି କଡ଼ାଇରେ ପୁଣି ତେଲ ଗରମ କରନ୍ତୁ। ସେଥିରେ ଫୁଟଣ ଏବଂ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ କଟା ପିଆଜ ପକାଇ ନାଲି ହେବା ଯାଏ ଭାଜନ୍ତୁ। ଏବେ କଟା ଆଳୁ ଓ ଟମାଟୋ ପକାଇ ୨ ମିନିଟ୍ ଭାଜନ୍ତୁ। ଏହାପରେ ବାଟି ରଖିଥିବା ସୋରିଷ ବେସର ବଟା, ହଳଦୀ ଏବଂ ଲୁଣ ଦିଅନ୍ତୁ। ମସଲାରେ ଭଜା ଛତୁକୁ ମିଶାନ୍ତୁ ଏବଂ ପାଣିରେ ଧୁଆ ହୋଇଥିବା ଆମ୍ବୁଲ ପକାନ୍ତୁ। ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଆଳୁ ସିଝିବା ଯାଏ ଏହାକୁ ମଧ୍ୟମ ଆଞ୍ଚରେ ଫୁଟିବାକୁ ଦିଅନ୍ତୁ। ଝୋଳ ବହଳିଆ ହୋଇ ଆସିଲେ ଉପରେ କଟା ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।



