ଖରାରେ ରଖନ୍ତୁ ଗ୍ୟାଜେଟ୍ସର ଧ୍ୟାନ
ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଏବଂ ଖରା ଦେଖିବାକୁ ମିଳୁଛି, ଯେଉଁ କାରଣରୁ ବାୟୁମଣ୍ଡଳର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ଟପୁଥିବା ଦେଖିବାକୁ ମିଳୁଛି । ତେବେ ଏହା କେବଳ ମଣିଷ ନୁହେଁ, ବରଂ ଆମର ନିତ୍ୟବ୍ୟବହାର୍ଯ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସ ଯେପରିକି ମୋବାଇଲ୍, ଲାପଟପ୍, ଇଅରବଡ୍ସ ଏବଂ ପାୱାର ବ୍ୟାଙ୍କ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଉଛି । ଯାହାଫଳରେ ଏଗୁଡ଼ିକ ଅତିଶୀଘ୍ର ଓଭରହିଟ୍ ବା ଅତ୍ୟଧିକ ଗରମ ହୋଇ ବ୍ୟାଟେରୀ ନଷ୍ଟ ହେବା, କାର୍ଯ୍ୟଦକ୍ଷତା କମିଯିବା କିମ୍ବା ହଠାତ୍ ଡିଭାଇସ୍ ବନ୍ଦ ହୋଇଯିବା ଭଳି ସମସ୍ୟା ଦେଖାଦେଉଛି । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ଶକ୍ତିର ସଂରକ୍ଷଣ ନିୟମ ଆଧାରରେ ଯେତେବେଳେ ଆମେ ଫୋନ୍ ବ୍ୟବହାର କରୁ, ବ୍ୟାଟେରୀରେ ଗଚ୍ଛିତ ଶକ୍ତି ହିଟ୍ରେ ପରିଣତ ହୋଇଥାଏ । କିନ୍ତୁ ଗ୍ରୀଷ୍ମଋତୁରେ ବାହାରର ତାପମାତ୍ରା ଅଧିକ ଥିବାରୁ ଏହି ଉତ୍ତାପ ବାୟୁମଣ୍ଡଳକୁ ସହଜରେ ସ୍ଥାନାନ୍ତରିତ ହୋଇପାରେନାହିଁ । ଯେଉଁଥିପାଇଁ ବିଶେଷ କରି ବ୍ୟାଟେରୀ ଏବଂ ପ୍ରୋସେସର୍ର ମିଶ୍ରଣ ଥିବା ଗ୍ୟାଜେଟ୍ସଗୁଡ଼ିକ ଅଧିକ ଗରମ ହେବାର ଆଶଙ୍କା ଥାଏ । ଏହି ଓଭରହିଟିଂ ସମସ୍ୟାରୁ ବର୍ତ୍ତିବା ପାଇଁ ଫୋନ୍ର ସେଟିଂସରେ କିଛି ଗୁରୁତ୍ୱପୂର୍ଣ୍ଣ ବଦଳ କରାଯାଇପାରିବ, ଯେପରିକି ସ୍କ୍ରିନ୍ ବ୍ରାଇଟନେସ୍ କମ୍ ରଖିବା, ଆବଶ୍ୟକ ନଥିଲେ ରିଫ୍ରେଶ୍ ରେଟ୍କୁ 60Hz ରେ ସେଟ୍ କରିବା, ଜିପିଏସ୍/ଲୋକେସନ, ବ୍ଲୁଟୁଥ୍ ଏବଂ ନିୟରବାଇ ସ୍କାନିଂ ଭଳି ସେବାଗୁଡ଼ିକୁ ବନ୍ଦ ରଖିବା ଏବଂ ବ୍ୟାକଗ୍ରାଉଣ୍ଡ ଆପ୍ସକୁ ସୀମିତ କରିବା । ଏହା ସହିତ ସବୁଠାରୁ ଅଧିକ ଗରମ ଚାର୍ଜିଂ ସମୟରେ ହେଉଥିବାରୁ କେବଳ ଜରୁରୀ ପରିସ୍ଥିତିରେ ହିଁ ଫାଷ୍ଟ ଚାର୍ଜିଂ ବ୍ୟବହାର କରିବା ଉଚିତ । ସେହିଭଳି ସବୁ ସମୟରେ ବ୍ୟାଟେରୀ ସେଭର୍ ଅନ୍ ରଖିବା କିମ୍ବା କୌଣସି ଅଜଣା 'କୁଲିଂ ଆପ୍ସ' ଇନଷ୍ଟଲ୍ କରିବା ଅନୁଚିତ । କାରଣ ଏହା ବ୍ୟାକଗ୍ରାଉଣ୍ଡ ଲୋଡ୍ ବଢ଼ାଇ ଫୋନ୍କୁ ଆହୁରି ଗରମ କରିଦିଏ । ସେହିଭଳି ସବୁବେଳେ ଚେଷ୍ଟା କରନ୍ତୁ କିଭଳି ଗ୍ୟାଜଟ୍ସ ଗୁଡିକୁ ଥଣ୍ଡା ସ୍ଥାନରେ ରଖିବା ସହ ଅପବ୍ୟବହାରରୁ ଦୂରେଇ ରୁହନ୍ତୁ ।




