କୋବି କୋକଲି ଝୋଳ
ଓଡିଆ ରୁଚି
ସାମଗ୍ରୀ:
କୋକଲି ମାଛ ୨୫୦ ଗ୍ରାମ, ଫୁଲକୋବି ୧ଟି ମଧ୍ୟମ ଆକାରର (ଛୋଟ ଛୋଟ କଟା ହୋଇଥିବା), ଆଳୁ ୨ଟି (ଲମ୍ବା ଲମ୍ବା କଟା ହୋଇଥିବା), ପିଆଜ ୧ଟି, ଅଦା-ରସୁଣ ବଟା ୧ ଚାମଚ, ଟମାଟୋ ୧ଟି (କଟା ହୋଇଥିବା) , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଞ୍ଚା ଲଙ୍କା ଓ ଧନିଆ ପତ୍ର ।
ପ୍ରସ୍ତୁତି
ପ୍ରଥମେ କୋକଲି ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଏବଂ ହଳଦୀ ଗୋଳାଇ ରଖନ୍ତୁ । କଡ଼େଇରେ ତେଲ ଗରମ କରି ମାଛକୁ ମୁଡ଼ମୁଡ଼ିଆ କରି ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ସେହି ତେଲରେ କଟା ହୋଇଥିବା ଫୁଲକୋବି ଏବଂ ଆଳୁରେ ସାମାନ୍ୟ ଲୁଣ-ହଳଦୀ ଦେଇ ଭଲଭାବେ ଭାଜି ଦିଅନ୍ତୁ। ପରିବା ହାଲୁକା ସୁବର୍ଣ୍ଣ ରଙ୍ଗ ହୋଇଗଲେ ତାକୁ କାଢି ରଖନ୍ତୁ । କଡ଼େଇରେ ଆଉ ଟିକେ ତେଲ ଦେଇ ସେଥିରେ ଜିରା ଫୁଟାନ୍ତୁ । ଏବେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ନାଲି ହୋଇ ଆସିଲେ ଅଦା-ରସୁଣ ବଟା ପକାଇ କଷନ୍ତୁ । ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଏବଂ ଧନିଆ ଗୁଣ୍ଡ ପକାଇ ସାମାନ୍ୟ ପାଣି ଦେଇ ଗୋଳାନ୍ତୁ । ମସଲା ତେଲ ଛାଡିବା ଆରମ୍ଭ କଲେ କଟା ଟମାଟୋ ଏବଂ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଟମାଟୋ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ । ଏବେ ଭଜା ହୋଇଥିବା ଆଳୁ ଏବଂ କୋବିକୁ ମସଲା ସହିତ ୨ ମିନିଟ୍ ପାଇଁ ଗୋଳାଇ ଦିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ଉଷୁମ ପାଣି ଦେଇ କଡ଼େଇକୁ ଢାଙ୍କି ଦିଅନ୍ତୁ । ଯେତେବେଳେ ପରିବା ସିଝି ଯିବ ଏବଂ ଝୋଳ ଫୁଟିବା ଆରମ୍ଭ କରିବ, ସେଥିରେ ଭଜା କୋକଲି ମାଛକୁ ପକାଇ ଦିଅନ୍ତୁ । ମାଛ ପକାଇବା ପରେ ମାତ୍ର ୨-୩ ମିନିଟ୍ ଫୁଟାନ୍ତୁ ଯେପରି ମାଛଗୁଡ଼ିକ ଅଧିକ ନରମ ନ ହୁଏ । ଶେଷରେ ଉପରେ କଟା ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କୋବି-କୋକଲି ମାଛ ଝୋଳ। ଏହାକୁ ଭାତ ସହିତ ଖାଆନ୍ତୁ ।



