ଅଭିନେତ୍ରୀରୁ ପ୍ରଯୋଜିକା ଗୁନଗୁନ
ନିଜର ଚମତ୍କାର ଅଭିନୟ, ନୃତ୍ୟ ତଥା ସ୍ବତନ୍ତ୍ର ଉପସ୍ଥାପନା ଶୈଳୀମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଅଭିନେତ୍ରୀ ଗୁନଗୁନ । ଦୂରଦର୍ଶନରୁ ଆରମ୍ଭକରି ଓଲିଉଡର ବଡ ପରଦା ସବୁସ୍ଥାନରେ ନିଜର ବହୁମୁଖୀ ପ୍ରତିଭାପାଇଁ ସବୁବେଳେ ପ୍ରଶଂସା ସାଉଁଟିଥାଆନ୍ତି ଗୁନଗୁନ । ବର୍ତ୍ତମାନ ଫିଲ୍ମ ପୁୟୋଦକମ ପାଇଁ ଚର୍ଚ୍ଚାରେ ଥିବା ଗୁନଗୁନଙ୍କ ସହିତ ସମୟର ଗପସପ ...
ପ୍ର . ସିନେମାର ଶୀର୍ଷକ 'ପୁୟୋଦକମ୍' ବେଶ୍ ରହସ୍ୟମୟ । ଏହାର ଅର୍ଥ ଏବଂ ଚଳଚ୍ଚିତ୍ର ସହ ଏହାର ସମ୍ପର୍କ ବିଷୟରେ କିଛି କହିବେ କି ?
ଉ _ ପୁୟୋଦକମର ଅର୍ଥ ହେଉଛି ଗରୁଡ ପୁରାଣର ଏକ ଶାସ୍ତି । ଯେଉଁ ପୁରୁଷ ମହିଳାଙ୍କ ସହିତ ମିଛରେ ପ୍ରେମ ସମ୍ପର୍କ ରଖି ଶାରିରୀକ ସମ୍ପର୍କ ରଖନ୍ତି ହେଲେ ବିବାହ କରନ୍ତି ନାହିଁ । ସେଭଳି ପୁରୁଷଙ୍କୁ ଜମ ଦଣ୍ଡ ଦେଇଥାଆନ୍ତି । ଝିଅଟିକୁ କିଭଳି ମାଆଙ୍କ ଆଶିଷ ମିଳିବା ସହ ତାକୁ କିପରି ନ୍ୟାୟ ମିଳୁଛି ତାହାକୁ ଫିଲ୍ମ ଜରିଆରେ ଉପସ୍ଥାପନା କରାଯାଇଛି ।
ପ୍ର . 'ପୁୟୋଦକମ୍' ଭଳି ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆପଣଙ୍କୁ ପ୍ରେରଣା କେଉଁଠାରୁ ମିଳିଲା ? :
ଉ . ଅନେକ ଦିନରୁ ସ୍ବପ୍ନ ଥିଲା ଭଲ କାହାଣୀ ଓ ଚରିତ୍ର ମିଳିଲେ ନିଜ ପ୍ରଯୋଜନା ସଂସ୍ଥାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବି । ତେଣୁ ଯେତେବେଳେ ୨୦୨୩ରେ ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି ଏହି କାହାଣୀ ସମ୍ପର୍କରେ ସୂଚନା ଦେଇଥିଲେ, ସେତେବେଳେ କାହାଣୀ ଖୁବ ପସନ୍ଦ ଆସିଥିଲା । କାହାଣୀ ଶୁଣିବାପରେ ନିଷ୍ପତ୍ତି ନେଇଥିଲି କି ଯେତେ କଷ୍ଟ ହେଲେ ବି ଏହି ଫିଲ୍ମଟି ନିର୍ମାଣ କରିବି ।
ପ୍ର. ଅଭିନୟ ସହିତ ପ୍ରଯୋଜନା ଦାୟିତ୍ୱ ତୁଲାଇବା ଆପଣଙ୍କ ପାଇଁ କେତେ ଚ୍ୟାଲେଞ୍ଜିଂ ଥିଲା ?
ଉ. ଏହି କାର୍ଯ୍ୟ ମୋ ପାଇଁ ବହୁତ ଆହ୍ବାନପୂର୍ଣ୍ଣ ଥିଲା । ଅଭିନେତ୍ରୀ ଭାବେ ଅଭିନୟ ସମୟରେ କାମିନି ଚରିତ୍ରର ବିଭିନ୍ନ ଛବିକୁ ପରଦାରେ ଜୀବନ୍ତ ଭାବେ ଫୁଟାଇବାର ଇଚ୍ଛା ଥିଲା । ସେପଟେ ଜଣେ ପ୍ରଯୋଜିକା ଭାବେ ସୁଟିଂ କିଭଳି ଠିକ ସମୟରେ ହେବ, ଖର୍ଚ୍ଚ ସହିତ ଯୋଜନା ସମ୍ପର୍କିତ ଚିନ୍ତା ମଧ୍ୟ ରହିଥିଲା । ଏତେ ଲୋକଙ୍କୁ ନେଇ ସବୁ କାର୍ଯ୍ୟ ଯୋଜନା ମୁତାବକ କରିବା ଟିକେ କଷ୍ଟ ଥିଲା । ହେଲେ ଟିମ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ମୋର ଏହି କାର୍ଯ୍ୟକୁ ସହଜ କରିଥିଲା । ସେମାନଙ୍କ ସାହାଯ୍ୟରେ କାମ ସହଜରେ ହୋଇଯାଉଥିଲା ।
ପ୍ର. ଏହି ଚଳଚ୍ଚିତ୍ରରେ ଆପଣ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି, ତାହା ଆପଣଙ୍କ ପୂର୍ବ ଚରିତ୍ରଗୁଡ଼ିକ ଅପେକ୍ଷା କେତେ ଭିନ୍ନ ?
ମୋ ଚରିତ୍ରର ନାଁ କାମିନି , ଯିଏ ଏଭଳି ଏକ ନାରୀ ନିର୍ଯ୍ୟାତନାର ଶିକାର ହେବାପରେ ଡିପ୍ରେସନକୁ ଚାଲିଯାଇଛି । ଯେଉଁକାରଣରୁ ସେ ନିଜେ ଅନେକ କଷ୍ଟରେ ରହୁଛି । ତେବେ ଏହାପରେ ମାଆଙ୍କ ଶକ୍ତିକୁ ପାଥେୟ କରି ନ୍ୟାୟ ପାଇଁ ଲଢେଇ କରୁଛି ଏହାରି ଉପରେ କାହାଣୀ ଗତିଶୀଳ । ଖୁବ ଚାଲେଞ୍ଜିଂ ଓ ଭିନ୍ନ ଚରିତ୍ର ଥିଲା ।
ପ୍ର. ଏହି ଫିଲ୍ମର ସୁଟିଂ ସମୟରେ କୌଣସି ସ୍ମରଣୀୟ ମୁହୂର୍ତ୍ତ ଯାହା ଆପଣ ସେୟାର୍ କରିବାକୁ ଚାହିଁବେ ?
ଉ _ ସ୍ମରଣୀୟ ସିନ୍ ହେଲା କ୍ଲାଇମାକ୍ସ ସିନ ଏବଂ ସବୁଠାରୁ ପ୍ରିୟ ସିନ ଯଦି କହିବି ତେବେ ମାଆ ଶାରଳାଙ୍କ ଲୁକରେ ସୁଟିଂ କରିବା ସମୟ । ଏହି ସବୁ ସମୟ ଗୁଡିକ ଖୁବ ସ୍ମରଣୀୟ ।
ପ୍ର . ଆଜିକାଲି ଓଡ଼ିଆ ସିନେମାରେ ବିଷୟବସ୍ତୁକୁ ନେଇ ଅନେକ ପରୀକ୍ଷାନିରୀକ୍ଷା ଚାଲିଛି। 'ପୁୟୋଦକମ୍'ର ସ୍ବତନ୍ତ୍ର ବିଷୟବସ୍ତୁକୁ କେତେ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି
ଉ ବର୍ତ୍ତମାନ ସୁଦ୍ଧା ଦର୍ଶକ ଖୁବ ଭଲପାଇବା ଦେଉଛନ୍ତି । ଆଗକୁ ମଧ୍ୟ ଏହାକୁ ଆହୁରି ଭଲ ପାଇବା ମିଳିବ ବୋଲି ଆଶା ରହିଛି । ସବୁ ମାଆଙ୍କ ଦୟା ।
ପ୍ର. ଜଣେ ପ୍ରଯୋଜିକା ଭାବେ ଯୋଜନା କଣ ରହିଛି ?
ଉ . ଜଣେ ପ୍ରଯୋଜିକା ଭାବେ ମୋର ଦାୟିତ୍ବ ଭଲ କାମ କରିବା । ଦର୍ଶକଙ୍କ ମନଲାଖି ଚଳଚ୍ଚିତ୍ର ଓ କାର୍ଯ୍ୟକ୍ରମ ନିର୍ମାଣ କରିବା । ସେଇ ଚେଷ୍ଟାରେ ନିଶ୍ଚୟ ଆଗେଇବି ବୋଲି ଭାବିଛି ।
ପ୍ର . ଆପଣଙ୍କର ପ୍ରଶଂସକ ଏବଂ ପାଠକମାନଙ୍କ ପାଇଁ କିଛି ବିଶେଷ ବାର୍ତ୍ତା ?
ଉ. ଯେମିତି ସବୁବେଳେ ମୋ ହାତ ଧରି ଭଲ ପାଇବାର ସହ ମୋତେ ଆଗକୁ ନେଇଛନ୍ତି ସେମିତି ସମର୍ଥନ ସବୁବେଳେ ମୋତେ ଓ ମୋ କାମକୁ ଦିଅନ୍ତୁ । ମୋର ଆଶା ଅଛି କେବେ ବି ହାରିବିନି ।
ପ୍ରସ୍ତୁତି
ଇପସିତା ମହାପାତ୍ର



